ବିଜେପିରୁ ଇସ୍ତଫା ଦେଲେ ହେଭିୱେଟ୍ ନେତା ବିଜୟ ମହାପାତ୍ର ! ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

748

କନକ ବ୍ୟୁରୋ : ଦିଲ୍ଲୀପଙ୍କ ପରେ ଇସ୍ତଫା ବିଜେପିର ହେଭିୱେଟ୍ ନେତା ବିଜୟ ମହାପାତ୍ର । ଦଳ ଛାଡ଼ିବା ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ । ଇସ୍ତଫା ଦେବା ପରେ ବିଜୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର ଆନ୍ତରିକତା ନାହିଁ । ବହୁ ତରବରିଆ ଭାବେ ବିଜେପିରେ ଯୋଗଦେଇଥିଲେ । ତେବେ ଏନେଇ ଅନ୍ୟ କୌଣସି ଦଳ ସହ ଆଲୋଚନା ହୋଇନି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଆଜିଠାରୁ ବିଜେପିରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ବିଜୟ । ତେବେ ଏହି ନିଷ୍ପତି ନିହାତି ଆକସ୍ମିକ ନୁହେଁ । କାରଣ ଦୁଇ ବର୍ଷ ଧରି ବିଜୟ ମହାପାତ୍ର ଓ ବିଜେପିର ସମ୍ପର୍କ ଭଲ ନାହିଁ । ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନ ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶୀତଳ ଯୁଦ୍ଧ ଚାଲିଥିଲା । ଦୀର୍ଘ ଦିନ ଧରି ଦଳର କାର୍ଯ୍ୟକଳାପ ନେଇ ଅନନ୍ତୁଷ୍ଟ ଥଲେ ବିଜୟ ମହାପାତ୍ର ।

ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନଥଲା ଦଳ । ତେବେ ଅନ୍ୟପଟେ ବିଜେପରି କାର୍ଯ୍ୟକ୍ରମରେ ଯୋଗନଦେଇ ବିଭିନ୍ନ ସମୟରେ ଦଳକୁ ଟାର୍ଗେଟ କରୁଥିଲେ ବିଜୟ ମହାପାତ୍ର । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନାକୁ ମଧ୍ୟ ଟାର୍ଗେଟ କରୁଥିଲେ ବିଜୟ ମହାପାତ୍ର । ଆଉ ଏହାର ଫାଇଦା ଉଠାଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ ।

ପ୍ରଥମେ ଦିଲ୍ଲୀପ ଆଉ ଏବେ ବିଜୟ ମହାପାତ୍ର ଜଣକ ପରେ ଜଣେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ବିଜେପିର ଆଗାମୀ ପଦକ୍ଷେପ କ’ଣ ରହିବ ସେନେଇ ସମସ୍ତଙ୍କ ନଜର ରହିଛି । ଏବେ ପ୍ରଶ୍ନ ଉଠୁଛି ଦଳ ଛାଡ଼ିବା ପରେ କେଉଁ ଦଳରେ ଯୋଗ ଦେବେ ବିଜୟ । ବର୍ତ୍ତମାନ ସମୟରେ ଯାହାକୁ ଏକ ଘଡ଼ିସନ୍ଧି ମୁହୂର୍ତ୍ତ କୁହାଯାଇପାରେ । କାରଣ ୨୦୧୯ ନିର୍ବାଚନ ଆଉ ଅଧିକ ଦିନ ନୁହେଁ । ଏଭଳି ସମୟରେ ଦୁଇ ହେଭିୱେଟ୍ ନେତାଙ୍କୁ ହରାଇ ରାଜ୍ୟ ବିଜେପିରେ ଏହାର ପ୍ରତିକୂଳ ପ୍ରଭାବ ପକାଇପାରେ ।

ସୂଚନାଯୋଗ୍ୟ ଦିନ ଥିଲା ବିଜୟ ମହାପାତ୍ର ଦିନେ ବିଜୁ ବାବୁଙ୍କ ଅନୁଗତ ଥିଲେ । ବିଜେଡ଼ି ଗଠନ ପରେ ବିଭିନ୍ନ ରାଜନୈତିକ କାରଣ ଯୋଗୁଁ ସେ ଦଳରୁ ବାଦ ପଡ଼ିଥିଲେ । ବିଜେଡ଼ିରୁ ବାଦ ପଡ଼ିବା ପରେ ବିଜୟ ମହାପାତ୍ର ଓଡ଼ିଶା ଗଣପରିଷଦ ନାମରେ ଏକ ଦଳ ଗଠନ କରିଥିଲେ । ଓଡ଼ିଶା ଗଣପରିଷଦ ବନ୍ଦ ହେବା ପରେ ସେ ବିଜେଡ଼ିରେ ଯୋଗଦେଇଥିଲେ । ଆଉ ତାଙ୍କୁ ଦଳରେ ପ୍ରାଧାନ୍ୟ ମିଳିବ ବୋଲି ମଧ୍ୟ ଭାବିଥିଲେ । କିନ୍ତୁ ସେପରି କିଛି ହେଲା ନାହିଁ । ଧର୍ମେନ୍ଦ୍ର ପ୍ରଧାନଙ୍କ ମତାନ୍ତର ଯୋଗୁଁ ସେ ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିଲେ ।