ବିଜୟ ବନାମ ବିଜେପି ! ଆଇଓସିଏଲରେ ଓଡିଆଙ୍କ ନିଯୁକ୍ତି ନେଇ ମୁହାଁମୁହିଁ

32

କନକ ବ୍ୟୁରୋ : ରାଜ୍ୟ ବିଜେପିର ୨ ଟାଣୁଆ ନେତା । ବିଜୟ ମହାପାତ୍ର, ଧର୍ମେନ୍ଦ୍ର ପ୍ରଧାନ । ଆଇଓସିଏଲରେ ଓଡିଆଙ୍କ ନିଯୁକ୍ତି ନେଇ ମୁହାଁମୁହିଁ । ବିଜୟ ବନାମ ବିଜେପି ସ୍ଥିତି ।

ବିବାଦ ଆରମ୍ଭ ହୋଇଥିଲା ବିଜୟ ମହାପାତ୍ର ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରୁ । ଯେଉଁଥିରେ ସେ ଲେଖିଥିଲେ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦ୍ୱୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହେଲା । ସ୍ଥାନୀୟ ଅଂଚଳର ଯୁବକଙ୍କ ପାଇଁ ନିଯୁକ୍ତିର ଆଶା ସଂଚାର ହୋଇଥିଲା, ଯାହା ଏବେ ମଉଳିଯାଇଛି । ଏଥିଯୋଗୁଁ ସେମାନଙ୍କ ଭିତରେ ହତାଶାଭାବ ସୃଷ୍ଟି ହୋଇଛି । ବାହାର ରାଜ୍ୟର ଲୋକେ ସୁବିଧା ପାଉଛନ୍ତି । ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଖର୍ଚ୍ଚ ହେଲା, କିନ୍ତୁ ଆମ ପିଲା ୪୦ଟି ଚାକିରି ପାଇଲେନି । ପ୍ରତିଶ୍ରୁତି ସତ୍ୱେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନିଜ କଥା ରଖିଲେନି ।

ବିଜୟଙ୍କ ଚିଠି ବିଜେପି ଭିତରେ ଆଣିଲା ଭୁକଂପ । କାରଣ ଦଳ ଭିତରୁ ଉଠିଥିଲା ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର । ତୁରନ୍ତ ତଥ୍ୟ ଏକାଠି କରି ଦଳ ଡାକିଲା ସାମ୍ବାଦିକ ସମ୍ମିଳନୀ । ଆଉ ବିଜୟଙ୍କ ତଥ୍ୟ ଉପରେ ଜବାବ ଦେଇ କହିଲା, ଆଇଓସିଏଲର ପାରାଦୀପ ପ୍ରକଳ୍ପରେ ଏକଜିକ୍ୟୁଟିଭ ପଦବୀରେ ୫୨୯ ଜଣଙ୍କ ମଧ୍ୟରୁ ୯୦ ଜଣ ଓଡିଆ । ନନ ଏକଜିକ୍ୟୁଟିଭ ପଦବୀରେ ୩୪୬ ଜଣଙ୍କ ମଧ୍ୟରୁ ଓଡିଆ ହେଉଛନ୍ତି ୧୬୬ ଜଣ । ସେହିଭଳି ଠିକାରେ ୮୭ ପ୍ରତିଶତ ଓଡିଆ କାମ କରୁଛନ୍ତି । ଆଇଓସିଏଲର ପୂର୍ବ ନିୟମକୁ ପରିବର୍ତନ କରି ଧର୍ମେନ୍ଦ୍ର ପ୍ରଧାନ ଅଧିକ ଓଡିଆଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛନ୍ତି ।

ସେପଟେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ । ପ୍ରଶ୍ନ ପଚାରିଲା, ବିଜୟ ମହାପାତ୍ର କାହା ପାଇଁ କାମ କରୁଛନ୍ତି? ଓଡିଶାର ବେକାର ଯୁକବଙ୍କ ପାଇଁ ଦରଦ ଦେଖାଉଛନ୍ତି ନା ବିଜେଡିର ସ୍ୱାର୍ଥ ପାଇଁ କାମ କରୁଛନ୍ତି? ବିଜେପି ରାଜନୀତିରେ ଧୀରେ ଧୀରେ ଗୈାଣ ହେଉଥିବା ଏହି ବରିଷ୍ଠ ନେତାଙ୍କ ପାଇଁ ବିଜେପି କିଛି ଏଭଳି ଅପମାନସୂଚକ ଶଦ୍ଦ ଉଚାରଣ କରିଥିଲା ।

ଏହାରି ଭିତରେ ପ୍ରଶ୍ନ ଉଠୁଛି-

– ବିଜେପିରେ ଧର୍ମେନ୍ଦ୍ର-ବିଜୟ ଶୀତଳ ଯୁଦ୍ଧ ଏବେ ସାଂଘାତିକ ରୂପ ନେଲାଣି କି?
– ଓଡିଆ ବେକାରୀଙ୍କ ସ୍ୱାର୍ଥକୁ ନେଇ ରାଜନୈତିକ ରୁଟି ସେକାଯାଉଛି କି?

ଗତ କିଛି ଦିନ ଧରି ବିଜେପିରୁ ଅଲଗା ହୋଇ ରହୁଥିବା ବିଜୟ ମହାପାତ୍ର, ଦଳର ଆଭିମୁଖ୍ୟ ବାହାରେ ଅନେକ ବକ୍ତବ୍ୟ ରଖୁଥିଲେ, ଯାହାକୁ ତାଙ୍କର ବ୍ୟକ୍ତିଗତ ମତ ବୋଲି କହି ଦଳ ଏଡାଇ ଯାଉଥିଲା । ହେଲେ ପ୍ରଥମ ଥର ବିଜେପି ମୁଖପାତ୍ର, ବିଜୟ ମହାପାତ୍ରଙ୍କୁ କଡା ଜବା ଦେଇଛନ୍ତି । କୁହାଯାଉଛି, ଆଗାମୀ ଅମିତ ଶାହାଙ୍କ ଗସ୍ତ ବେଳେ କେନ୍ଦ୍ରାପଡା ରାଜନୀତି କଡ ଲେଉଟାଇବ, ଯେଉଁଠି ଗୌଣ ହେବ ବିଜୟଙ୍କ ଭୂମିକା ଆଉ ତା ଆଗରୁ ବିଜେପି ଦଳୀୟ କାର୍ଯ୍ୟାଳୟରୁ ଟ୍ରେଲର ଦେଖିବାକୁ ମିଳିଛି ।