ନିର୍ବାଚନ ରାଜନୀତିର ଦୋଛକିରେ ବିଜୟ ! କେଉଁ ଶିବିରର ସାଜିବେ ସିପାହୀ, ସମୟ ଗଡୁଛି ଚର୍ଚ୍ଚା ବଢୁଛି ।

1,025

କନକ ବ୍ୟୁରୋ : ବଡ ଦ୍ୱନ୍ଦ୍ୱରେ ବିଜୟ । ବିଜେପିକୁ ବାଏ ବାଏ କରିବା ପରେ ରାଜ୍ୟ ରାଜନୀତିର ହେଭିୱେଟ ନେତା କୁହାଯାଉଥିବା ବିଜୟ ମହାପାତ୍ର ଏବେ ନିଜର ରାଜନୈତିକ କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ଅନେକ ଉତଥାନ ଓ ପତନ ଦେଇ ଗତି କରିଥିବା ବିଜୟ ବୋଧହୁଏ ନିଜ ରାଜନୈତିକ କ୍ୟାରିୟରରେ ଏଭଳି କନଫ୍ୟୁଜନରେ କେବେ ପଡିନଥିବେ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ବିଜୟ କେଉଁ ଦଳକୁ ଯିବେ, କେଉଁଠୁ ଲଢିବେ ସେନେଇ ସ୍ଥ୍ିର କରିପାରୁନାହାନ୍ତି । ବିଜେଡିରୁ ଗ୍ରୀନ୍ ସିଗନାଲ ମିଳୁନଥିବା ବେଳେ କଂଗ୍ରେସର ହାତ ଧରିବାକୁ ଅମଙ୍ଗ ହେଉଛନ୍ତି ବିଜୟ । ଏସବୁ ଭିତରେ ବିଜୟ ପୁଣିଥରେ ନିଜର ପୁରୁଣା ଶିବିରକୁ ଫେରିଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟ ରାଜନୀତିର ଲାଇମଲାଇଟରେ ରହୁଥିବା ନେତାଙ୍କ ମଧ୍ୟରୁ ବିଜୟ ଅନ୍ୟତମ । ଓଡିଶା ରାଜନୀତିର ଏହି ପୋଖତ ଖେଳାଳି ଏବେ ନିଜର ରାଜନୈତିକ କ୍ୟାରିୟରକୁ ନେଇ ସନ୍ଦିହାନ ରହିଛନ୍ତି । ଯେଉଁ ଲକ୍ଷ୍ୟ ନେଇ ବିଜୟ ବିଜେପିକୁ ବାଏ ବାଏ କରିଥିଲେ ସେଥିରେ ଏକରକମ ପୂର୍ଣ୍ଣଛେଦ ପଡିଛି । କାରଣ ପୂର୍ବରୁ ଯେତେବେଳେ ରାଜ୍ୟରେ ତୃତୀୟ ସାମ୍ମୁଖ୍ୟର କଥା ଉଠିଛି ସେତେବେଳେ ବିଜୟ, ବୈଜୟନ୍ତ ଓ ଦାମଙ୍କୁ ନେଇ ଚର୍ଚ୍ଚା ହୋଇଛି । ଏପରିକି ନିଜ ନିଜ ଦଳର ହାତ ଛାଡିବା ପରେ ଏହି ତ୍ରିମୂର୍ତ୍ତିଙ୍କୁ ନେଇ ରାଜନୀତିରେ ନୂଆ ନୂଆ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଥିଲା । ଏପରିକି କଂଗ୍ରେସ ଓ ବିଜେଡି ବାଦ୍ ଅନ୍ୟ ଏକ ଦିଗ ରହିଛି ବୋଲି ମଧ୍ୟ ବିଜୟ ପୂର୍ବରୁ କହି ଆସିଛନ୍ତି । ଯାହା ତୃତୀୟ ସାମ୍ମୁଖ୍ୟର ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । କିନ୍ତୁ ଯେତେବେଳେ ବୈଜୟନ୍ତ ଓ ଦାମ ବିଜେପିରେ ଯୋଗ ଦେଇଛନ୍ତି ସେତେବେଳେ ବିଜୟଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଏହାପୂର୍ବରୁ ବିଜୟ ବିଜେପି ଛାଡିବା ପରେ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ୨୦୦୦ ମସିହାର କଥାକୁ ସେ ଭୁଲିଯାଇଥିବା କହିବା ପରେ ଏହି ଚର୍ଚ୍ଚା ଅଧିକ ଘନୀଭୂତ ହୋଇଥିଲା । ଏହାସହ କନକ ନ୍ୟୁଜର ନ୍ୟୁଜମେକର କାର୍ଯ୍ୟକ୍ରମରେ ଯୋଗଦେଇ ବିଜୟ ଯାହା କହିଥିଲେ ତାହା ତାଙ୍କର ବିଜେଡି ଯିବା ସମ୍ଭାବନାକୁ ଆଉ ପାଦେ ଆଗେଇ ନେଇଥିଲା । ବିଜୟ କହିଥିଲେ, ରାଜନୈତିକ ଜୀବନରେ ଅନେକ ଘଟଣା ଘଟେ । ଆଗାମୀ ଦିନରେ ଯେହେତୁ କିଛି ନୂଆ ଘଟିବ, ତେଣୁ ପୁରୁଣା କଥାକୁ ମନେ ରଖି କିଛି ଲାଭ ନାହିଁ । ଅତୀତ ସବୁବେଳେ ଆଇନା ଦେଖାଏ । ତାକୁ ପୁଂଜି କରି ଆଗକୁ ବଢିହୁଏନା । ଆଗକୁ ବଢିବାକୁ ହେଲେ ଆଗକୁ ଚାହିଁବାକୁ ପଡେ । ତେବେ ବିଜେପିରୁ ଇସ୍ତଫା ଦେବାର ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ବିଜେଡି ପକ୍ଷରୁ ବିଜୟଙ୍କୁ ଗ୍ରୀନ ସିଗନାଲ ମିଳିନାହିଁ । ତେଣୁ ବିଜୟଙ୍କ ପାଇଁ ବିଜେଡି ଦ୍ୱାର ଏବେ ଧୀରେ ଧୀରେ ବନ୍ଦ ହେବାକୁ ଯାଉଛି ।

ଅନ୍ୟପଟେ ବିଜୟ କଂଗ୍ରେସରେ ମିଶିବେ ବୋଲି ମଝିରେ ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ହେଉଥିଲା । କିନ୍ତୁ ବିଜୟ ଅଣକଂଗ୍ରେସ ଟ୍ୟାଗରୁ ରାଜନୀତି ଆରମ୍ଭ କରିଥିବାରୁ କଂଗ୍ରେସ ଦଳକୁ ଯିବେ ନାହିଁ ବୋଲି ଚର୍ଚ୍ଚା ହେବା ପରେ ଏଥିରେ ପୂର୍ଣ୍ଣଛେଦ ପଡିଥିଲା । ଆଉ ଏସବୁ ଭିତରେ ଯେତେବେଳେ ରାଜ୍ୟ ରାଜନୀତିର ହେଭିୱେଟ ବିଜେପିରେ ଯୋଗ ଦେଇଛନ୍ତି ଓ ପୁରୁଣା ବନ୍ଧୁ ଦିଲ୍ଲୀପ ରାୟଙ୍କୁ ଯେତେବେଳେ ବିଜେଡି ଶିବିରରେ ଏଣ୍ଟ୍ରି କରିବାକୁ ଗ୍ରୀନ୍ ସିଗନାଲ ମିଳିଛି ସେଭଳି ସ୍ଥଳେ ବିଜୟଙ୍କ ରାସ୍ତା କୁଆଡେ ତାହା ସବୁୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ଏଭଳି ରାଜନୈତିକ ସମୀକରଣ ମଧ୍ୟରେ ବିଜୟ ପୁଣିଥରେ ବିଜେପିକୁ କମବ୍ୟାକ କରିବେ ବୋଲି ଖବର ସାମ୍ନାକୁ ଆସୁଛି । ଏପରିକି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ମଧ୍ୟ ଏନେଇ ପରୋକ୍ଷରେ ଇଙ୍ଗିତ ମଧ୍ୟ ଦେଇସାରିଛନ୍ତି । ଯଦି ଏହି ଚର୍ଚ୍ଚା ବାସ୍ତବରେ ପରିଣତ ହୁଏ ତେବେ ନିଜର ସ୍ୱାଭିମାନ ସହ ସାଲିସ କରି ବିଜୟ ପୁଣିଥରେ ବିଜେପି କ୍ୟାମ୍ପରେ ସାମିଲ ହେଉଥିବା ନେଇ ଏକ ବାର୍ତ୍ତ ଯିବ । କିନ୍ତୁ ଯଦି ବିଜୟ ଏପରି ନ କରନ୍ତି ତେବେ କେଉଁ ଶିବିରର ସିପାହୀ ହୋଇ ବିଜୟ ଆଗାମୀ ନିର୍ବାଚନ ଲଢିବେ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ବିଜୟ ପରିବର୍ତ୍ତିତ ରାଜନୈତିକ ସମୀକରଣ ମଧ୍ୟରେ ନିଜର ରାଜନୈତିକ କ୍ୟାରିୟର ପାଇଁ ଏବେ କନଫ୍ୟୁଜନରେ ରହିଛନ୍ତି ।