ପାଟକୁରା ନିର୍ବାଚନକୁ ନେଇ ମୁହାଁମୁହିଁ ନେତା । ବିଜେଡି ବିରୋଧରେ ଅଭିଯୋଗ ଆଣିଲେ ବିଜୟ, ଜବାବ ରଖିଲା ବିଜେଡି । 

670

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚିବା ନେଇ ବିଜେପି-ବିଜେଡି ମୁହାଁମୁହିଁ । ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡି ବିରୋଧରେ ଅଭିଯୋଗ ଆଣି ସିଧା ନିଶାନା କରିଛନ୍ତି । କହିଛନ୍ତି କି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ମିଥ୍ୟା ତଥ୍ୟ ଦେଇ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚା ଯାଇଛି । କାରଣ କଟକ ଓ ଭୁବନେଶ୍ୱର ଭଳି ପାଟକୁରାରେ ଭୟାବହ ସ୍ଥିତି ନାହିଁ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ବାଚନ ତାରିଖକୁ ଘୁଞ୍ଚା ଯାଇଛି । ଯଦି ବିଜେଡିର ସାହସ ଅଛି ତେବେ, ଇସିଆଇଙ୍କୁ ଦେଇଥିବା ରିପୋର୍ଟକୁ ସାର୍ବଜନିନ କରନ୍ତୁ ବୋଲି କହିଛନ୍ତି ବିଜୟ ।

ସେପଟେ ବିଜୟଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବରିଷ୍ଠ ନେତା ସୂର୍ଯନାରାୟଣ ପାତ୍ର । ସୂର୍ଯ୍ୟ ପାତ୍ର କହିଛନ୍ତି କି, ବାତ୍ୟା ‘ଫୋନି’ ପୂର୍ବରୁ ଯେଉଁଭଳି ପାଣିପାଗ ସଂସ୍ଥା ଗୁଡ଼ିକ ବାରମ୍ବାର ପୂର୍ବାନୁମାନ କରୁଥିଲେ ତାହା କେଉଁଭଳି କ୍ଷତି କରିଛି ଓଡ଼ିଶାକୁ ସଭିଏଁ ହୃଦୟଙ୍ଗମ କରିଛନ୍ତି । ଆଉ ଏଭଳି ଭୟଙ୍କର ବାତ୍ୟାରେ ଲୋକଙ୍କ ଧନଜୀବନକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଇସିଆଇଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ତାହା ଓଡ଼ିଶାବାସୀ ଜାଣିଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର ।