ଅର୍ଥନୈତିକ ସ୍ୱାଧୀନତା ଦାବି କରି ବିଜୁ ବାବୁଙ୍କୁ ଚର୍ଚ୍ଚାକୁ ଆଣିଲେ ନବୀନ । ୧୯୯୧ରେ ବିଜୁ କହିଥିଲେ, ଯଦି କେନ୍ଦ୍ର ଅବହେଳା ଜାରି ରହେ ତେବେ ଭାରତରୁ ଅଲଗା ହୋଇଯିବ ଓଡିଶା
କ୍ଷୁବ୍ଧ ହୋଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ, କରିଥିଲେ ଜବାବ ତଲବ୍
କନକ ବ୍ୟୁରୋ: ଅର୍ଥନୈତିକ ସ୍ୱାଧୀନତା ପାଇଁ ନବୀନଙ୍କ ଦାବି ପୁଣି ଥରେ ୧୯୯୧ରେ ବିଜୁବାବୁ କରିଥିବା ଦାବିକୁ ମନେ ପକାଇଦେଇଛି । କେନ୍ଦ୍ରୀୟ ଅବହେଳା ଅଭିଯୋଗ କରି ରାଜ୍ୟକୁ ଅଧିକ କ୍ଷମତା ଦେବାକୁ ଦାବି କରିଥିଲେ ବିଜୁବାବୁ । ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ରାଜ୍ୟର ବିକାଶ ପାଇଁ ଭିକ୍ଷା ଥାଳ ଧରି ଓଡ଼ିଶା ଆଣ୍ଠୁ ମାଡି ବସିପାରିବ ନାହିଁ । କେନ୍ଦ୍ର ଅବହେଳା କଲେ ଭାରତରୁ ଅଲଗା ହୋଇଯିବ ଓଡ଼ିଶା । ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା । ଏପରିକି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର କ୍ଷୁବ୍ଧ ହେବା ସହ ବିଜୁବାବୁଙ୍କୁ ଜବାବ ତଲବ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଅଭିଯୋଗ କରି ଏହାର ଦୃଢ଼ ପ୍ରତିବାଦ କରିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଦେଶକୁ ଚମକାଇ ଦେଇ ବିଜୁ ବାବୁ କହିଥିଲେ, ଯଦି ଏପରି ଅବହେଳା କରାଯାଏ, ତେବେ ଭାରତରୁ ଅଲଗା ହୋଇଯିବ ରାଜ୍ୟ । ପ୍ରତିବାଦର ଏହି ଶାଣିତ ସ୍ୱର ପୂରା ଦେଶରେ ମହାବିତର୍କ ସୃଷ୍ଟି କରିଥିଲା । ବିଜୁବାବୁଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର । ଏନେଇ ଜବାବ ତଲବ କରିଥିଲେ ପ୍ରଧାନମନ୍ତ୍ରୀ । ବିଜୁବାବୁ ଉତର ଥିଲା ବେଶ ଆଗେବଭରା । ସେ ଲେଖିଥିଲେ, “ଯେଉଁ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମରେ ଜୀବନକୁ ବାଜି ଲଗାଇ ଦେଇଥିଲେ, ଦୀର୍ଘ ବର୍ଷ ଧରି ନେହରୁଙ୍କ ସହ ମିଶି ଯିଏ ଦେଶ ଗଠନ ଲାଗି କାମ କରିଛନ୍ତି, ତାଙ୍କୁ ବିଭାଜନକାରୀ ଭଳି ଚିତ୍୍ରଣ କରିବା ଦୁର୍ଭାଗ୍ୟଜନକ ।”
ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହ ବିଜୁବାବୁଙ୍କ ସମର୍ଥନରେ ବାହାରି ତାଙ୍କ ଦେଶଭକ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଯାଇ ପାଇପାରିବ ନାହିଁ ବୋଲି ମତ ଦେଇଥିଲେ । ସେପଟେ ବିଜୁବାବୁଙ୍କ ବୟାନ ସେତେବେଳେ ଦେଶର ସବୁ ପ୍ରମୁଖ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ପ୍ରେସମିଟ୍ କରି ଅସଲ ପ୍ରସଙ୍ଗ ଦେଶବାସୀଙ୍କ ଆଗରେ ଥୋଇଥିଲେ ବିଜୁବାବୁ । କିପରି ରାଜ୍ୟର ବିକାଶ ନେଇ ୨୭ଟି ପ୍ରକଳ୍ପର କେନ୍ଦ୍ରୀୟ ମଂଜୁରୀ ପାଇଁ ଦିଲ୍ଲୀ ଆସି ଏ ମନ୍ତ୍ରାଳୟରୁ ସେ ମନ୍ତ୍ରାଳୟକୁ ଧାଉଁଛନ୍ତି ବିବରଣୀ ଦେଇଥିଲେ ବିଜୁବାବୁ । ଗୋଟିଏ ମନ୍ତ୍ରାଳୟ ଅନୁମତି ଦେବା ପରେ କିପରି ଅନ୍ୟ ମନ୍ତ୍ରାଳୟ ଚାପି ଦେଉଛନ୍ତି, ତାହା ଦର୍ଶାଇଥିଲେ । କେନ୍ଦ୍ର ଅବହେଳାର ପ୍ରତିବାଦ କରି ବିଜୁବାବୁଙ୍କ କହିଥିଲେ – ‘ଓଡ଼ିଆମାନେ ଭିକ୍ଷା ଥାଳ ଧରି ଆଣ୍ଠୁ ମାଡ଼ି ବସିପାରିବେ ନାହିଁ ।
ବିଜୁବାବୁଙ୍କର ଦାବିଥିଲା –
କେନ୍ଦ୍ର ନିକଟରେ ସବୁ କ୍ଷମତା ଠୁଳ ନକରି କ୍ଷମତାର ବିକେନ୍ଦ୍ରୀକରଣ କରାଯାଉ
ରାଜ୍ୟ ଶକ୍ତିଶାଳୀ ହେଲେ ଦେଶ ଶକ୍ତିଶାଳୀ ହେବ
ବିଶେଷ କରି ରାଜ୍ୟକୁ ଆର୍ଥିକ ସାୟତ୍ତତା ଦିଆଯାଉ
ବିଦେଶୀ ପୁଂଜିନିବେଶ ପାଇଁ ରାଜ୍ୟକୁ ସ୍ୱାଧୀତନା ଦିଆଯାଉ
ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାଠାରୁ ଋଣ ଆଣିବା ଅଧିକାର ମିଳୁ
ରାଜ୍ୟରୁ ଆସୁଥିବା ଟିକସ ଓ ରାଜସ୍ୱ ଖର୍ଚ୍ଚ କରିବା ଅଧିକାର ଦିଆଯାଉ
କେବଳ ପ୍ରତିରକ୍ଷା ଓ ମୁଦ୍ରା ପଲିସୀ କେନ୍ଦ୍ର ଅଧୀନରେ ରହୁ
ବିଜୁବାବୁଙ୍କ ଏଭଳି ଯୁକ୍ତିକୁ କରୁଣାନିଧିଙ୍କ ଭଳି ତୁଙ୍ଗ ନେତା ସମର୍ଥନ ଜଣାଇଥିଲେ ।
ସୋଭିଏତ୍ ଋଷର ଉଦାହରଣ ଦେଇ ବିଜୁବାବୁ ଚେତାବନୀ ଦେଇଥିଲେ ଯେ କେନ୍ଦ୍ର ସବୁ କ୍ଷମତା ନିଜ ଅଧୀନରେ ରଖିଲେ ପରିଣାମ ଭୟାନକ ହେବ । ରାଜ୍ୟକୁ ଅଧିକ କ୍ଷମତା ଦିଆଗଲେ, ଜମ୍ମୁ କାଶ୍ମୀର ଓ ପଂଜାବ ଭଳି ରାଜ୍ୟରେ ବିଚ୍ଛିନ୍ନତାବାଦର ଆନ୍ଦୋଳନ ଛାଆଁକୁ ଛାଆଁ ବନ୍ଦ ହୋଇଯିବ ।
ସେପଟେ,ଅର୍ଥନୈତିକ ସ୍ୱାଧୀନତା ଦାବିକୁ ନିର୍ବାଚନ ପ୍ରସଙ୍ଗ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା । ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ରାଜ୍ୟର ଅର୍ଥନୈତିକ ସ୍ୱାଧୀନତା ଆବଶ୍ୟକ । ଦଳ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟକୁ ଯିବ । ବିଜୁବାବୁଙ୍କ ଭଳି ଅର୍ଥନୈତିକ ସ୍ୱାଧୀନତା ଦାବି କରି ପୁଣି ଥରେ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ବର୍ଷ ହୋଇଥିବାରୁ ଏହାକୁ ନେଇ ଆରମ୍ଭ ହୋଇ କଥା କଟାକଟି । ବିଜେଡି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଯାଉଥିବା ବେଳେ ଏପରି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।