ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ । ଦିନ ରାତି ଏକ କରି ଦେଇଛନ୍ତି ରାଜନୈତିକ ଦଳ

55

କନକ ବ୍ୟୁରୋ: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ । ଜୋର ଧରୁଛି ପ୍ରଚାର ଅଭିଯାନ । ଦିନ ରାତି ଏକ କରି ଦେଇଛନ୍ତି ରାଜନୈତିକ ଦଳ । ବିଜେଡି ଜନକଲ୍ୟାଣ ସମ୍ପର୍କକୁ ପାଥେୟ କରି ନିର୍ବାଚନ ଜିତିବା ଲକ୍ଷ୍ୟରେ ଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି । ପ୍ରଚାର ପାଇଁ ବିଜେଡି ୪୦ ଜଣିଆ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି ।

ନବୀନଙ୍କ ନେତୃତ୍ୱରେ ୨୧ ଜଣ ବିଧାୟକ, ୫ ମନ୍ତ୍ରୀ, ୬ ସାଂସଦ ବିଜେପୁରରେ ନିର୍ବାଚନୀ ପ୍ରଚାର କରିବେ । ସେମାନଙ୍କ ସହ ଓଲିଉଡର ନାମୀଦାମୀ କଳାକାରଙ୍କ ନାଁ ବି ପ୍ରକାଶ ପାଇଛି । ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ ଓ କୁନା ତ୍ରିପାଠୀ ବିଜେପୁରରେ ପ୍ରଚାର କରିବେ । ସେପଟେ ବିଜେପିର ପ୍ରଚାର ପାଇଁ ଦିଲ୍ଲୀରୁ ହେଭିୱେଟ୍ ନେତା ଆସୁଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମଲାଲଜୀ, କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ପରି ନେତା ବିଜେପୁରରେ ବିଜେପି ପାଇଁ ପ୍ରଚାର କରିବେ । ସେହିପରି ଓଲିଉଡ ଷ୍ଟାର ଶ୍ରୀତମ ଦାସ, ପିଙ୍କି ପ୍ରଧାନ ଓ ମିହିର ଦାସ ମଧ୍ୟ ଦଳର ମୁଖ୍ୟ ପ୍ରଚାରକ ତାଲିକାରେ ଅଛନ୍ତି ।

ସେପଟେ ଏନଏଚଆରସି ଟିମ କୁନ୍ଦୁଲି ଘଟଣାର ତଦନ୍ତ ଚଳାଇଛି । ପୀଡିତାଙ୍କୁ ଚିକିତ୍ସା କରିଥିବା କୋରାପୁଟ ସଦର ଡାକ୍ତରଖାନା ଓ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସପିଟାଲର ୧୨ ଜଣ ଡାକ୍ତରଙ୍କୁ ଏନଏଚଆରସି ଟିମ ଜେରା କରିିଛି । ଭୁବନେଶ୍ୱରରୁ ଆସି କାଉନସିଲ କରିଥିବା ୨ଜଣଙ୍କୁ ମଧ୍ୟ ଏହି ଟିମ୍ ଜେରା କରିଥିବା ଜଣାପଡିଛି । ସେହିପରି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଇଛି । ଆଜି ଏହି ଟିମ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିିଛି ।