ପୁଣି ଉପ-ନିର୍ବାଚନ ଦେଖିବ ବିଜେପୁର । ଦେଢ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ ।

166

କନକ ବ୍ୟୁରୋ: ପୁଣି ଉପ-ନିର୍ବାଚନ ଦେଖିବ ବିଜେପୁର । ଦେଢ଼ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଗତକାଲି ବିଜେପୁର ବିଧାୟକ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଏହି ଆସନରେ ଏବେ ଉପ-ନିର୍ବାଚନ ହେବାକୁ ଯାଉଛି । ପୂର୍ବରୁ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଗତବର୍ଷ ବିଜେପୁରରେ ଉପ-ନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ହୋଇଥିଲେ । ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାର ଭୋଟ୍ ବ୍ୟବଧାନରେ ପରାଜିତ କରି ବିଧାୟିକାଭାବେ ନିର୍ବାଚିତ ହୋଇଥିଲେ ରୀତା ସାହୁ ।

ଅନ୍ୟପଟେ ଏହାର ଠିକ୍ କିଛି ମାସ ପରେ ଅର୍ଥାତ୍ ଗତ ମେ’ ମାସରେ ବିଜେପୁର ବାସୀ ପୁଣିଥରେ ଏହି ଆସନ ପାଇଁ ମତଦାନ ସାବ୍ୟସ୍ତ କରି ନିଜ ନେତା ବାଛିଥିଲେ । କିନ୍ତୁ ଏଥର ରୀତାଙ୍କ ବଦଳରେ ପ୍ରଥମ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢ଼ି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ତିଳକ ପିନ୍ଧିଥିଲେ । ହେଲେ ଏବେ ନବୀନ ନିଜର ପାରମ୍ପାରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଏଠାରେ ପୁର୍ନବାର ଉପ-ନିର୍ବାଚନ ହେବାକୁ ଯାଉଛି ।

ସୂଚନା ମୁତାବକ, ୨୦୧୮ରେ ଉପ-ନିର୍ବାଚନ, ୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ପୁଣି ଏକ ଉପ-ନିର୍ବାଚନ ହେବାକୁ ଯାଉଛି । ଯାହା ଦେଢ଼ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇ ନେତା ବାଛିବେ ବିଜେପୁରବାସୀ । ଅନ୍ୟପଟେ ହେବାକୁଥିବା ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବିରୋଧୀ ଦଳମାନେ ମଧ୍ୟ ଏଥର ୨୦୧୯ ଯୁଦ୍ଧରେ ପରାଜୟର ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀ ଦେବାକୁ ଅଣ୍ଟା ଭଡ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।