ଫେରିବେ ଜିଲ୍ଲାପାଳ ଓ ଏସପି ! ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଶେଷ ପରେ ଜିଲ୍ଲାପାଳ ଓ ଏସପି ପୁଣି ଥରେ ଫେରିବେ ଜଗତସିଂହପୁର

39

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଶେଷ ପରେ ବରଗଡ଼ ଜିଲ୍ଲାପାଳ ଯାମିନୀ ଷ଼ଡ଼ଙ୍ଗୀ ଓ ଏସପି ଜୟ ନାରାୟଣ ପଙ୍କଜଙ୍କୁ ପୁଣି ଥରେ ତାଙ୍କ ପୁରୁଣା ଜିଲ୍ଲା ଅର୍ଥାତ୍ ଜଗତସିଂହପୁରକୁ ଫେରାଇ ଅଣାଯିବ । ରାଜ୍ୟ ସରକାର ଏ ନେଇ ମନସ୍ଥିର କରିଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ, ବରଗଡରେ ନୂଆ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିଯୁକ୍ତି ଦିଆଯିବା ବଦଳରେ ପୂର୍ବତନ ଜିଲ୍ଲାପାଳ ଖଗେନ୍ଦ୍ର କୁମାର ପାଢୀ ଓ ଏସ୍ପି ଯୁଗଳ କିଶୋର କୁମାର ବାନୋଥଙ୍କୁ ପୁଣି ସେହି ଜିଲ୍ଲାରେ ଅବସ୍ଥାପିତ କରାଯିବ ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖାସ୍ ଏଇଥିପାଇଁ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ପି ପଦରେ କାହାକୁ ନିଯୁକ୍ତି ଦିଆଯାଇନାହିଁ । ପୂର୍ବରୁ ମଧ୍ୟ ଖୋର୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଆୟୋଗଙ୍କ ନିର୍ଦେଶ ଅନୁସାରେ ଫେରାଇ ଅଣାଯାଇଥିଲେ ହେଁ ନିର୍ବାଚନ ପରେ ପୁଣି ସଂପୃକ୍ତ ଜିଲ୍ଲାରେ ନିଯୁକ୍ତି ମିଳିଥିଲା ।

ଏଠାରେ ଉଲ୍ଲେଖଥାଉକି, ଜିଲ୍ଲାପାଳ ଓ ଏସ୍ପିଙ୍କ ନିରପେକ୍ଷତା ଉପରେ ସନ୍ଦେହ ପ୍ରକଟ କରି ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ବଦଳାଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ରଖିଥିଲା । ଆୟୋଗ ବିଜେପିର ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ । ଉଭୟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳାଇବାକୁ ନିର୍ଦେଶ ଦିଆଯାଇଥିଲା । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ପିଙ୍କର ବରଗଡ ବଦଳି ହୋଇଥିଲା । ବରଗଡ଼ ପୂର୍ବତନ ଜିଲ୍ଲାପାଳ ଶ୍ରୀ ପାଢୀ ଆସନ୍ତା ଏପ୍ରିଲ ମାସରେ ଅବସର ନେବେ ।