ନବୀନଙ୍କ ବିଜେପୁର ଗୋଟିଚାଳନା ! ସିଂ ହେଲେ କିଙ୍ଗ୍ , କ୍ଷମତା ହରାଇଲା ଆଚାର୍ଯ୍ୟ ପରିବାର . . ସୁଶାନ୍ତ ସିଂ ହେଲେ ପୋଷ୍ଟର ବଏ

106

Capture2ବିଜେଡିରେ ମିଶିଲେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର । ୩ ହଜାର ସମର୍ଥକଙ୍କ ସହ ଆସି ନବୀନଙ୍କ ନୀତି, ଆଦର୍ଶ ଆଉ ବିକାଶର ଧାରାକୁ ସମର୍ଥନ ଜଣାଇ ଶଙ୍ଖ ଫୁଙ୍କିଲେ । ଗଣମାଧ୍ୟମରେ ଏସବୁ ଶଦ୍ଦ ଦେହସୁହା ହୋଇଗଲାଣି । ନେତା ମାନେ ମଧ୍ୟ ଏସବୁ ଶଦ୍ଦକୁ ଘୋଷିଦେଲେଣି । ଯେତେବେଳେ ଆବଶ୍ୟକ ପଡେ, ନେତାଙ୍କ ମୁହଁରୁ ଅନବରତ ଏଭଳି ଶଦ୍ଦ ବାହାରେ । ଠିକ ଯେମିତି ସୁବଳଙ୍କ ପରିବାର ବିଜେଡିରେ ସାମିଲ ହେବା ବେଳେ ଦଳୀୟ ନେତା କହିଲେ, ନବୀନଙ୍କ ନୀତି ଆଉ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଏଭଳି ନିଷ୍ପତ୍ତି ନେଲେ ।

subal sahoo no moreଗତ ୧୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଅଛି ବିଜୁ ଜନତା ଦଳ । ଚାରି ଚାରି ଥରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ନବୀନ । ଥରେ ମେଂଟରେ ନିର୍ବାଚନ ବେଳେ ଏଠି ବିଜୁ ଜନତା ଦଳ ପ୍ରାର୍ଥୀ ବାଜିମାତ କରିଥିଲେ । ହେଲେ ଏହାପରେ ଲଗାତ ତିନି ତିନି ଥର ସୁବଳ ସାହୁ, ବିଜେପୁର ବିଧାନସଭା ଆସନରୁ ଜିତିଥିଲେ । ଅର୍ଥାତ୍ ନବୀନଙ୍କ ଭାବମୁର୍ତ୍ତିକୁ ଢେର ପଛରେ ପକାଇ, ନବୀନଙ୍କୁ ପରାସ୍ତ କରି ଏଠି ସୁବଳ ଜିତିଥିଲେ । ହେଲେ ତାଙ୍କ ଅବର୍ତ୍ତମାନରେ ସୁବଳଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ଯେ, କାହିଁକି ନବୀନଙ୍କ ଆଦର୍ଶକୁ ବୁଝିବାକୁ ସୁବଳଙ୍କ ପରିବାରକୁ ଏତେ ଦିନ ଲାଗିଗଲା? ନା’ ରାଜନୀତିରେ ଏହାକୁ ସୁବିଧାବାଦ୍ କୁହାଯାଏ । ସୁବଳଙ୍କ ପରିବାର ତରଫରୁ କୁହାଗଲା, ଆଗାମୀ ଦିନରେ ସୁବଳ ସାହୁ ବିଜୁ ଜନତା ଦଳରେ ସାମିଲ ହେବାକୁ ଚାହୁଁଥିଲେ । ହେଲେ ଏ ବାବଦରେ କେହି ଶତ ପ୍ରତିଶତ ସତ କଥା କହିପାରିବେନି, କାହିଁକି ନା ସୁବଳ ସାହୁ ଆଉ ଜୀବିତ ନାହାନ୍ତି । ଠିକ ବିଜୁ ବାବୁଙ୍କ ସ୍ୱପ୍ନ ଭଳି ସୁବଳ ସାହୁଙ୍କ ମନର କଥା ବାବଦରେ କୈାଣସି ସ୍ପଷ୍ଟତା ନାହିଁ ।

cmଏବେ ଆସିବା ମୁଳ ମୁଦ୍ଦାକୁ । ୧୧୭ ବିଧାୟକ, ୨୦ ସାଂସଦଙ୍କ ସହ ରାଜ୍ୟ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ପରେ ନିର୍ବାଚନ ଜିତିବା ଦଳର ଦେହସୁହା ହୋଇଗଲାଣି । ହେଲେ ଏବେ କଣ ରାଜନୈତିକ ସ୍ଥିତି ବଦଳିଯାଇଥିବା ନବୀନ ଭାବୁଛନ୍ତି କି? ପ୍ରକୃତରେ କଣ ବିଜେପି ଆଗକୁ ବଢୁଥିବା ନେଇ ନବୀନ ଭୟଭୀତ କି? ଏହି କଥା ଆମେ ଏଥିପାଇଁ କହୁଛୁ, କାହିଁକି ନା ଯେଉଁ ପରିବାର ଠାରୁ ବିଜେଡି ହାରି ଆସୁଥିଲା, ଆଜି ସେମାନଙ୍କୁ ଦଳରେ ମିଶାଇ ନବୀନ ବିଜେପୁର ଦଖଲର ମୁଳଦୁଆ ପକାଇଛନ୍ତି ।

ଆପଣ କହିପାରନ୍ତି, ଏଥିରେ ଭୁଲ କେଉଁଠି ରହିଲା? ଆପଣଙ୍କ କଥା ଶତ ପ୍ରତିଶତ ସତ । ଗୋଟିଏ ରାଜନୈତିକ ଦଳ କିଭଳି ନିର୍ବାଚନରେ ବାଜିମାତ୍ କରିବ, ସେବାବଦରେ ନିର୍ଣ୍ଣୟ ନେବାର ସଂପୁର୍ଣ୍ଣ ଅଧିକାର ସେମାନଙ୍କର ଅଛି । ହେଲେ ବରଗଡ ରାଜନୀତିରେ ବେଶ ପ୍ରଭାବୀ ଥିବା ଦଳୀୟ ନେତାଙ୍କୁ ବାଦ୍ ଦେଇ ନବୀନ ଏଭଳି ନିଷ୍ପତ୍ତି ନେଲେ କାହିଁକି? ତାଙ୍କର କଣ ନିଜ ଦଳର କର୍ମୀ ଆଉ ନେତାଙ୍କ ଉପରେ ଭରସା ନଥିଲା? ନା’ ସେମାନେ ନିର୍ବାଚନରେ ବାଜିମାତ୍ କରିପାରିବେ ନାହିଁ, ଏହା ନବୀନ ଜାଣିପାରିଥିଲେ । ନିର୍ବାଚନରେ ସବୁ ଦଳ ଚାହାନ୍ତି ବାଜିମାତ୍ କରିବାକୁ । ନବୀନ ବାବୁ ଏହି ସମାନ ରାସ୍ତାରେ ଯାଇଛନ୍ତି । ହେଲେ, ନବୀନ ବାବୁଙ୍କୁ ଏତେ ଡର ଘାରିଛି ଯେ ସିଏ ଅନୁକମ୍ପା ଭୋଟ୍ ଉପରେ ଭରସା କରୁଛନ୍ତି ।

prasana acharya୨୦୧୪ରେ ବିଜୁ ଜନତା ଦଳ ତରଫରୁ ବିଜେପୁର ଆସନରୁ ଲଢୁଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଅଳ୍ପ କିଛି ଭୋଟ ବ୍ୟବଧାନରେ ସେ ସୁବଳ ସାହୁଙ୍କ ନିକଟରୁ ପରାସ୍ତ ହୋଇଥିଲେ । ଏହାପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାକୁ ପଠାଇଥିଲେ ନବୀନ । ଆଉ ସୁବଳ ସାହୁଙ୍କ ଦେହାନ୍ତ ପରେ ସମସ୍ତେ ଅନୁମାନ କରୁଥିଲେ, ହୁଏତ ନବୀନ ତାଙ୍କର ଅଭିଜ୍ଞ ନେତାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ସାମ୍ନାକୁ ଆଣିବେ । ହେଲେ ଏହା ହେଲାନି । ସୁବଳଙ୍କ ପତ୍ନୀଙ୍କୁ ନିର୍ବାଚନରେ ଲଢାଇବାକୁ ନବୀନ ମନସ୍ଥ କରି, ତାଙ୍କୁ ଦଳରେ ମିଶାଇଥିବା ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ଉଠୁଛି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ ନକରିବା ନେଇ କିଛି ସୁଚିନ୍ତିତ ରଣନୀତି ରହିଛି କି? ଦିଲ୍ଲୀ ଦରବାରରୁ ନବୀନ ତାଙ୍କ ପ୍ରତିନିଧିଙ୍କୁ ଫେରାଇବାକୁ ଚାହିଁଲେନି କି? ଯଦି ଉପନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥାନ୍ତେ ତେବେ ତାଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡିଥାନ୍ତା । ତେଣୁ ଦୁଇ ଦୁଇଟି ନିର୍ବାଚନ ଅର୍ଥାତ୍ ବିଜେପୁର ଉପ ନିର୍ବାଚନ ଆଉ ରାଜ୍ୟସଭା ନିର୍ବାଚନକୁ ସାମ୍ନା କରିବାକୁ ନବୀନ ଚାହିଁଲେନି, ସେଥିପାଇଁ ଏହି ଗୋଟିଚାଳନା କଲେ କି? ଏସବୁ ଦିଗକୁ ନେଇ ଏବେ ଆରମ୍ଭ ହୋଇଛି ଅଙ୍କକଷା ।

ବିଜୁ ଜନତା ଦଳର ଏହି ଗୋଟିଚାଳନା ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ସମସ୍ତଙ୍କ ନଜର । ନିଷ୍ପତ୍ତିରେ ପ୍ରସନ୍ନ ଆଚାର୍ଯ୍ୟ ଖୁସି ଅଛନ୍ତି କି ନାହିଁ? ଯେତେବେଳେ ସୁବଳଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିଲେ, ସେତେବେଳେ ଚିତ୍ରରେ ନଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବରଗଡ ରାଜନୀତିରେ ଆଚାର୍ଯ୍ୟ ପରିବାରର ଭୁମିକା ବେଶ ଗୁରୁତ୍ୱପୁର୍ଣ୍ଣ । ପ୍ରସନ୍ନ ଆଚାର୍ଯ୍ୟ ଆଜିର ମିଶ୍ରଣ ପର୍ବରେ ଅନୁପସ୍ଥିତ ରହିବା ପରେ ପ୍ରଶ୍ନ ଉଠୁଛି, ଏହି ମିଶ୍ରଣକୁ ନେଇ ସେ ଖୁସି ଅଛନ୍ତି କି ନାହିଁ? ନବୀନ କଣ ଆଚାର୍ଯ୍ୟ ପରିବାରକୁ ବାଦ୍ ଦେଇ ବରଗଡ ରାଜନୀତିରେ ଆଗକୁ ବଢିବାକୁ ଚାହୁଁଛନ୍ତି କି?

SUSANT SINGHସୁବଳ ସାହୁଙ୍କ ପରିବାରର ମିଶ୍ରଣ ପଛରେ, ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭୁମିକା ବେଶ ଗୁରୁତ୍ୱପୁର୍ଣ୍ଣ ଥିଲା । ସୁବଳଙ୍କ ପରିବାରକୁ ବୁଝାଇବା ଠାରୁ ଆରମ୍ଭ କରି ହଜାର ହଜାର କର୍ମୀଙ୍କୁ ନବୀନ ନିବାସ ଯାଏଁ ଆଣିବା ସବୁ ହେଉଥିଲା ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ । ଏଠି ଚିତ୍ରରେ ନଥିଲେ ପ୍ରସନ୍ନ ଆଚାର୍ଯ୍ୟ । ବରଗଡ ରାଜନୀତିର ଏହି ଟାଣୁଆ ନେତା ଜାଣିଶୁଣି ଏଥିରୁ ନିଜକୁ ଦୁରେଇ ରଖିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି । ବିଜୁ ଜନତା ଦଳର ଅନ୍ଦର ମହଲ କହୁଛି, ବିଜେପୁର ଉପ ନିର୍ବାଚନରେ ସୁଶାନ୍ତ ସିଂ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ଆସିବେ । ଏପରିକି ସ୍ଥାନୀୟ ସ୍ତରରେ ତାଙ୍କ ଦବଦବା ବେଶ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତାହେଲେ, ଆଚାର୍ଯ୍ୟ ପରିବାରର ସ୍ଥିତି କଣ ବରଗଡ ରାଜନୀତିରେ ଗୈାଣ ହେଉଛି କି? ଭଟଲି ନିର୍ବାଚନ ମଣ୍ଡଳୀ ଆଉ ବିଜେପୁର ଭିତରେ ଦୁରତା ଅନେକ । ତେଣୁ ସୁଶାନ୍ତ ସିଂ ଉପ ନିର୍ବାଚନ ବାବଦ ଦାୟିତ୍ୱ ପାଇବା ଅର୍ଥ, ପ୍ରସନ୍ନ ଆଚାର୍ଯ୍ୟ କଣ ନିଜକୁ ଏଥିରୁ ଦୁରେଇ ରଖିବେ କି?

Political Parties Gear Up For Bijepur Assembly Bypollବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିନି, ହେଲେ ରାଜନୈତିକ ସ୍ତରରେ ଏହି ରଣନୀତି ପ୍ରସ୍ତୁତି ଏବେ ରାଜନୈତିକ ପାଣିପାଗକୁ ସରଗରମ କରିଛି । ପଂଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲା ଦଖଲ କରିଥିବାରୁ ଉପନିର୍ବାଚନକୁ ହାଲକା ଭାବେ ନେଉନାହିଁ ଶାସକ ବିଜେଡି । ବିଜେପୁର ପାଲଟିବ ରାଜ୍ୟ ରାଜନୀତିର ବ୍ୟାଟଲ ଗ୍ରାଉଣ୍ଡ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । ଆଉ ରାଜନୈତିକ ଅଙ୍କକଷାରେ ବେଶ ଆଗରେ ବିଜୁ ଜନତା ଦଳ । କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେପୁର?

୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୌକା ଆଣିଦେଇଛି ।
କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ

bijepur electionବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ ସୁବଳ ସାହୁ । ଲଗାତ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମେଂଟରେ ଲଢିଥିଲେ ବିଜେଡି ଓ ବିଜେପି । ୨୦୦୯ ଓ ୨୦୧୪ରେ ଅଲଗା ଅଲଗା ଲଢିଥିଲେ । ତଥାପି ମଧ୍ୟ ସୁବଳଙ୍କୁ ଚାଲେଂଜ ଦେବାରେ ସକ୍ଷମ ହୋଇନଥିଲେ । ତେଣୁ ନିଜ ଗଡ ବଂଚାଇବାକୁ କଂଗ୍ରେସ ସମର୍ଥ ହେଉଛି କି ନାହିଁ, ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟରେ କଂଗ୍ରେସ ଏବେ ନେତୃତ୍ୱ କନ୍ଦଳ ଦେଇ ଗତିକରୁଛି । ଦଳଭିତରେ ସବୁକିଛି ଠିକ ନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିସି ପରିବର୍ତ୍ତନର ହାୱା ଜୋରେ ବହୁଛି । ତେଣୁ ଅସଜଡା ଘର ଆଉ ସଂଗଠନକୁ ଧରି କଂଗ୍ରେସ କିଭଳି ନିର୍ବାଚନକୁ ସାମ୍ନା କରିବ, ଏବେ ଏହା ବଡ ପ୍ରଶ୍ନ ।

ଉପନିର୍ବାଚନ ବେଳକୁ କଂଗ୍ରେସ ମୁଖିଆ ପରିବର୍ତ୍ତନ ହୋଇଥିବା ଏକପ୍ରକାର ସ୍ପଷ୍ଟ । ଖୁବଶୀଘ୍ର ରାଜ୍ୟ କଂଗ୍ରେସରେ ନେତୃତ୍ୱ ବଦଳିଥିବେ । ଅର୍ଥାତ୍ ନୁଆ କପ୍ତାନଙ୍କୁ ଧରି କଂଗ୍ରେସ ରାଜନୀତିର ମୈଦାନକୁ ଓହ୍ଲାଇବ । ତେବେ ବଡ ପ୍ରଶ୍ନ ହେଉଛି, ଖେଳାଳିଙ୍କୁ କପ୍ତାନ ପ୍ରଥମେ ଏକାଠି କରିପାରିବେ ତ? କାରଣ ପିସିସି କ୍ଷମତା ହାତେଇବାକୁ ନାନା ଗୋଷ୍ଠୀ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ସେଦୃଷ୍ଟିରୁ ଯିଏ ପିସିସି ସଭାପତି ହୁଅନ୍ତୁ ନା କାହିଁକି ବିଜେପୁର ହେବ ତାଙ୍କ ପାଇଁ ଏସିଡ ଟେଷ୍ଟ । କାରଣ ଗୋଟିଏ ପଟେ ଅନୁକମ୍ପା ଭୋଟ୍ ଆଉ ଅନ୍ୟପଟେ ରାଜନୈତିକ ଗୋଟିଚାଳନା, ଏହାରି ଭିତରେ ସନ୍ତୁଳନ ରକ୍ଷା କରି ଦଳ ନିଜ ଭୋଟ ବ୍ୟାଙ୍କକୁ ଏକାଠି ରଖିପାରୁଛି ନା ନାହିଁ, ତାହା ବଡ ଆହ୍ୱାନର ବିଷୟ ପାଲଟିବ ନୁଆ ସଭାପତିଙ୍କ ପାଇଁ । ଯଦି କୈାଣସି ବି ପରିସ୍ଥିତିରେ କଂଗ୍ରେସ ଏହି ଆସନ ହରାଉଛି ତେବେ ଆଗାମୀ ଦିନରେ ଅର୍ଥାତ୍ ସାଧାରଣ ନିର୍ବାଚନ ବେଳକୁ କଂଗ୍ରେସ କେବଳ ଚର୍ଚ୍ଚାରେ ରହିବ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ । ବିଜେପୁର ଉପନିର୍ବାଚନ ସଂକେତ ଦେବ ଆଗାମୀ ଦିନରେ ଦଳୀୟ ରାଜନୀତି କୁଆଡୁ ଯିବ । ଏହାରି ଭିତରେ କଂଗ୍ରେସ ନିଜ ଦଳର ଦିବଂଗତ ବିଧାୟକଙ୍କ ପରିବାରକୁ ରଖିପାରିଲାନି, ଯାହା ଦଳର ରାଜନୈତିକ ଭବିଷ୍ୟତ ଉପରେ ବଡ ପ୍ରଶ୍ନଚିହ୍ନ ଲଗାଉଛି ।
ବିଜେପି ପାଇଁ ଚାଲେଂଜ

amit sahaସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଦେଇ ଯାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ କାର୍ଯ୍ୟକାରିଣୀ ବେଳେ ୧୨୦ ଆସନ ଜିତିବାକୁ ରୋଡମ୍ୟାପ ତିଆରି ହେଲା । ୩ ଦିନିଆ ଓଡିଶା ଗସ୍ତରେ ଆସି ରୀତିମତ ନେତାଙ୍କୁ ପାଠ ପଢାଇଲେ ଅମିତ ଶାହା । ଆଉ ଯାହାର ପରୀକ୍ଷା ପାଇଁ ମୈଦାନ ହେବ ବରଗଡ । ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ପାଲଟିବ ସବୁ ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ । ବିଜେପିର ନୁଆ ରଣନୀତିର ପ୍ରଥମ ପ୍ରୟୋଗଶାଳା ହେବ ବିଜେପୁର । ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେତାଙ୍କ ହାତରେ ବାଂଟି ବିଜେପି ସଫଳତା ପାଇବାକୁ ଗୋଟିଚାଳନା କରିଛି । ଏହି କ୍ରମରେ ବରଗଡ ଦାୟିତ୍ୱରେ ଅଛନ୍ତି କେନ୍ଦ୍ରୀୟ ନେତା ଅନୀଲ ଜୈନ । କେନ୍ଦ୍ରୀୟ ସ୍ତରର ନେତା ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ ଭୁମିକାରେ ଆସିବେ, ଏହା ସହଜରେ ଅନୁମେୟ । ଯେତେବେଳେ ଦଳ ୨୦୧୯ରେ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି ଓ ନବୀନ ସରକାରଙ୍କ ସ୍ଥାଣୁ ଓ ଅପାରଗତା ବିରୋଧରେ ଲଢେଇ ଜାରି ରଖିଛି ଠିକ ସେହି ସମୟରେ ବିଜେପୁର ଆସନ ହେବ ଅସଲ ପରୀକ୍ଷା । ଦଳ ଖାଲି ହାୱା ତିଆରି କରୁଛି, ନା ବାସ୍ତବତାରେ ବିଜେପି ପାଇଁ ବାତାବରଣ ତିଆରି ହେଉଛି, ଏହାର ସ୍ପଷ୍ଟ ବାର୍ତ୍ତା ମିଳିବ ଏହି ଉପନିର୍ବାଚନରୁ ।

ବିଜେଡି ପାଇଁ ଆହ୍ୱାନ
bjdସେହିଭଳି ଶାସକ ବିଜେଡି ପାଇଁ ମଧ୍ୟ ଏହା ଆହ୍ୱାନ ଆଣିବ । କାରଣ ରାଜ୍ୟରେ ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଏହାକୁ ମାଧ୍ୟମ କରିପାରେ । ଏହାରି ଭିତରେ କିନ୍ତୁ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ୍ । ସୁବଳଙ୍କ ପରିବାର ସଦସ୍ୟଙ୍କୁ ଦଳରେ ମିଶାଇ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଢେର ଆଗକୁ ବଢିଯାଇଛନ୍ତି । ତେଣୁ ପ୍ରଥମ ରାଉଣ୍ଡରେ ଆଗରେ ଥିବା ନବୀନ, ଅନ୍ୟ ରାଉଣ୍ଡରେ ମଧ୍ୟ ଆଗରେ ରହିବେ କି, ତାହା ଏବେ ବଡ ପ୍ରଶ୍ନ ।

ପଂଚାୟତ ନିର୍ବାଚନ ପରେ ଯଦିଓ ବିଜୁ ଜନତା ଦଳ ଅନେକ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି, ତେବେ ଏହା ହେବ ଅସଲ ପରୀକ୍ଷା । କାରଣ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ଉପରେ ଫୋକସ କରିବେ । କଂଗ୍ରେସ ନିଜ ଗଡ ବଂଚାଇବାକୁ ଉଦ୍ୟମ କରିବାକୁ ଥିବା ବେଳେ ବିଜେପି ଧସେଇ ପଶିବାକୁ ଉଦ୍ୟମ କରିବ । ତେଣୁ ୧୭ ବର୍ଷ ପରେ ବି ନବୀନଙ୍କ ଭବମୁର୍ତ୍ତି ମଳିନ ହୋଇନି, ଆଜି ବି ବିଜେଡି ମୁଖିଆଙ୍କର ଲୋକପ୍ରିୟତା ଶୀର୍ଷରେ ରହିଛି, ଏହା ପ୍ରମାଣିତ କରିବାକୁ ଉପନିର୍ବାଚନ ଏକ ଅବସର ନେଇ ଆସିଛି । ତେଣୁ ଶାସକ ଦଳ ଏହାକୁ ମାଧ୍ୟମ କରି ୨୦୧୯ ପୁର୍ବରୁ ବିଜେପିକୁ କଡା ସନ୍ଦେଶ ଦେବାକୁ ଗୋଟିଚାଳନା କରିବ ।

ଅଗ୍ନିପରୀକ୍ଷା ହେବ ଉପନିର୍ବାଚନ
ମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକେତ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୋଟ୍ ଯାହା ହେବ ସେହି ଅନୁସାରେ ୨୦୧୯ ପାଇଁ ରାଜନୀତିର ଚର୍ଚ୍ଚା ଆରମ୍ଭ ହେବ ।

ବିଜେପୁର ଗଣିତ
୨୦୦୪ରେ ଏହି ଆସନରୁ ଲଢିଥିଲେ ୮ ଜଣ ପ୍ରାର୍ଥୀ । ସେତେବେଳେ ରାଜ୍ୟରେ ଥିଲା ବିଜେଡି-ବିଜେପି ମେଂଟ । କଂଗ୍ରେସ ଟିକେଟରୁ ଲଢିଥିଲେ ସୁବଳ ସାହୁ । ଆଉ ବିଜେଡିର ପ୍ରାର୍ଥୀ ହୋଇଥିଲେ ଅଶୋକ କୁମାର ପାଣିଗ୍ରାହୀ । ସୁବଳ ସାହୁ ପାଇଥିଲେ ୬୬ ହଜାର ୪୦୭ ଭୋଟ ଆଉ ବିଜେଡି ପ୍ରାର୍ଥୀ ପାଇଥିଲେ ୪୪ ହଜାର ୪୮୯ ଭୋଟ । ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାରେ ପ୍ରବେଶ କରିଥିଲେ ସୁବଳ ସାହୁ ।

୨୦୦୯ରେ ଏହି ଆସନରୁ ଲଢିଥିଲେ ୭ ଜଣ ପ୍ରାର୍ଥୀ । ଏହି ସମୟ ବେଳକୁ ଭାଙ୍ଗିଯାଇଥିଲେ ବିଜେଡି ବିଜେପି ମେଂଟ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ସୁବଳ ସାହୁ, ବିଜେଡିରୁ ପ୍ରଭାତ ଆଦିତ୍ୟ ମିଶ୍ର ଓ ବିଜେପିରୁ ମହମ୍ମଦ ରଫିକ୍ । ହେଲେ ପୁଣି ଚାଲିଥିଲା ସୁବଳ ସାହୁଙ୍କ ଯାଦୁ । ସୁବଳ ପାଇଥିଲେ ୫୬ ହଜାର ୮୬୪ ଭୋଟ । ବିଜେଡି ପାଇଥିଲା ୪୭ ହଜାର ୮୯୩ ଓ ବିଜେପି ପାଖକୁ ଯାଇଥିଲା ୧୯ ହଜାର ୪୯୩ ଭୋଟ । ବିଜେଡି ଓ ବିଜେପିକୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ବିଧାନସଭା ଆସିଥିଲେ ସୁବଳ ସାହୁ ।

୨୦୧୪ରେ ସାରା ଦେଶରେ ମୋଦି ହାୱା ବହୁଥାଏ ଓ କଂଗ୍ରେସର ଏକ ନକରାତ୍ମକ ଚିତ୍ର ଭୋଟରଙ୍କ ସାମ୍ନାରେ ଥାଏ । ଏଭଳି ସ୍ଥିତିରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁବଳ ସାହୁ । କଂଗ୍ରେସରୁ ଲଗାତର ତୃତୀୟ ଥର ପାଇଁ ସେ ହୋଇଥିଲେ ପ୍ରାର୍ଥୀ । ଆଉ ବିଜେଡି ନିଜର ବଡ କାର୍ଡ ଖେଳିଥିଲା ସୁବଳ ସାହୁଙ୍କ ବିରୋଧରେ । ନବୀନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୈ÷ଦାନକୁ ଓହ୍ଲାଇଲେ ନବୀନ । ଆଉ ବିଜେପି ପ୍ରାର୍ଥୀ କରିଥିଲା ଜୟ ଶଙ୍କର ପଟ୍ଟନାୟକଙ୍କୁ । ହେଲେ ତମାମ ଗୋଟିଚାଳନା ଓ ମୋଦି ହାୱାକୁ ମାତ ଦେଇ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେଲେ ସୁବଳ ସାହୁ । ଲଢେଇ ଜୋରଦାର ଥିଲେ ବି କଂଗ୍ରେସ ବାଜି ମାରିନେଇଥିଲା । ସୁବଳ ସାହୁ ପାଇଥିଲେ ୫୩ ହଜାର ୨୯୦ ଭୋଟ । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୫୨ ହଜାର ୮୩୨ ଭୋଟ ମିଳିଥିବା ବେଳେ ଜୟ ଶଙ୍କର ପଟ୍ଟନାୟକଙ୍କୁ ମିଳିଥିଲା ୩୦ ହଜାର ୧ ଭୋଟ ।

ପଂଚାୟତ ଭୋଟ ପରେ…
BJPପଂଚାୟତ ନିର୍ବାଚନରେ ବରଗଡ ଜିଲ୍ଲାରେ ନିଜ ପତିଆରା ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ଶାସକ ବିଜେଡି ମାତ୍ର ୯ଟି ଜୋନରେ ବାଜିମାତ କରିଥିବା ବେଳେ ବାକି ସବୁ ଅର୍ଥାତ୍ ୨୫ଟି ଜୋନରେ ଫୁଟିଥିଲା ପଦ୍ମ । ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ୨୦୧୨ରେ ଏଠି ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଗଠନ କରିଥିଲା ହେଲେ ୨୦୧୭ରେ ଏହାକୁ ବିଜେପି ଛଡାଇ ଆଣିଥିଲା । ତେଣୁ ଏହି ବାତାବରଣ ପୁଣି ଥରେ ଭାରତୀୟ ଜନତା ପାର୍ଟି ପାଇଁ ବଜାୟ ରହୁଛି ନା ଶାସକ ବିଜେଡି କମବ୍ୟାକ୍ କରିବାରେ ସଫଳ ହେଉଛି ଏବେ ତା ଉପରେ ସମସ୍ତଙ୍କ ନଜର । ହେଲେ ବଡ କଥା ହେଉଛି, ଅନୁକମ୍ପା ଭୋଟ ରହିବ କଂଗ୍ରେସ ସପକ୍ଷରେ । ଯାହାକୁ ନେଇ ଶୀର୍ଷ ସ୍ତରର ନତୋଙ୍କ ଭିତରେ ମାନସ ମନ୍ଥନ ଆରମ୍ଭ ହୋଇଛି ।

ବରଗଡ ଜିଲ୍ଲା ଅଧୀନରେ ଆସୁଛି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଟଲୀ, ଅତାବିରା, ବିଜେପୁର, ବରଗଡ ଓ ପଦମପୁର । ଏହି ସବୁ ଆସନରୁ ଶାସକ ବିଜେଡି ହାତରେ ରହିଛି ୩ଟି ଆସନ । କଂଗ୍ରେସ ହାତରେ ଗୋଟିଏ ଓ ବିଜେପି ହାତରେ ଥିଲା ଗୋଟିଏ । ଜିଲ୍ଲାରୁ ଅଛନ୍ତି ଦୁଇ ଦୁଇ ଜଣ ମନ୍ତ୍ରୀ । ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି । ତେଣୁ ଶାସକ ବିଜେଡି ଏଠି ନିଜ ଦବଦବା ଜାହିର କରିବାକୁ ଉଦ୍ୟମ କରିବ । ସେପଟେ ଛତିଶଗଡର ପ୍ରଭାବ ବିଜେପି ପାଇଁ ଫାଇଦା ଅଣିପାରେ, ଯାହା ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏହି ଫ୍ୟାକ୍ଟର ବିଜେପିକୁ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହାରି ଭିତରେ ଏବେ ନଜର କେବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । କାରଣ ଏହା ପରେ ହିଁ ରାଜନୈତିକ ଉଷ୍ମତା ବଢିବ । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି, କିଏ କେଉଁ ରଣନୀତି ଆପଣାଉଛି ଆଉ ବାଜିମାତ କରୁଛି ଓ ରାଜ୍ୟ ରାଜନୀତି କୁଆଡେ ଯାଉଛି, ଏବେ ତାକୁ ଅପେକ୍ଷା । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ବରଗଡ, ତିନି ରାଜନୈତିକ ଦଳ ପାଇଁ ଅଗ୍ନିପରୀକ୍ଷା ହେବ । ତେବେ ନବୀନ ନେଇଥିବା ନିଷ୍ପତ୍ତି, ତୃଣମୁଳ ସ୍ତରର କର୍ମୀଙ୍କୁ ଏକାଠି ରଖୁଛି, ନା ସେମାନଙ୍କ ଭିତରେ ମନୋମାଳିନ୍ୟ ବଢୁଛି, ତା ଉପରେ ନଜର ।