ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡ ଏସପି ଓ କଲେକ୍ଟର ବଦଳିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା !

28
କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ବଡ ଧରଣର ପରିବର୍ତନ । ହଟିବେ ବରଗଡ ଏସପି ଓ କଲେକ୍ଟର । ନୂଆ ଏସ୍ପିଙ୍କ ନିଯୁକ୍ତି ନେଇ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଛି । ତିନିଜଣ ସ୍ୱଚ୍ଛ ଓ ଦକ୍ଷ ଅଫିସରଙ୍କ ନାଁ ସୁପାରିଶ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲା ଗୃହ ବିଭାଗ । ଆଉ ଗୃହ ବିଭାଗର ଚିଠି ପାଇବା ପରେ ତିନି ଜଣଙ୍କ ନାଁ ସୁପାରିଶ କରିଛନ୍ତି ପୋଲିସ ଡିଜି । ସୂଚନା ଅନୁସାରେ ଏହି ତିନି ଜଣ ଆଇପିଏସ୍ ହେଲେ ଜୟନାରାୟଣ ପଙ୍କଜ, ପିନାକ ମିଶ୍ର ଓ କେ. ଶିବା ସୁବ୍ରମଣି । ଏମାନଙ୍କ ମଧ୍ୟରୁ ଜଣେ ବର୍ତମାନର ଏସପି ଯୁଗଳ କିଶୋର ବାନୋଥଙ୍କ ସ୍ଥାନ ନେବେ ।
ସେପଟେ ନୂଆ ଜିଲ୍ଲାପାଳଙ୍କ ନିଯୁକ୍ତି ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ତିନି ଜଣ ଦକ୍ଷ ଆଇଏଏସଙ୍କ ନାଁ ସୁପାରିଶ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଯିଏ ବର୍ତମାନର ଜିଲ୍ଲାପାଳ ଖଗେନ୍ଦ୍ର କୁମାର ପାଢିଙ୍କ ସ୍ଥାନ ନେବେ । ବରଗଡ ଜିଲ୍ଲାପାଳ ଓ ଏସପି, ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଛନ୍ତି ବୋଲି ଅଭିଯୋଗ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ଏବେ ବଦଳିବାକୁ ଯାଉଛନ୍ତି ଜିଲ୍ଲାର ଦୁଇ ପ୍ରଶାସନିକ ଅଧିକାରୀ ।