“ଭାଷଣ ଦେଇଛନ୍ତି ପ୍ରଣୟ ସାହୁଙ୍କୁ ଜିତାଅ, କିନ୍ତୁ ଭିତରେ ଭୁଷାଅ” ସୁର ରାଉତରାୟଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା ! ବିଜେପୁର ବାଜି ଜିତବାକୁ ଦମ୍ଭ ଦେଖାଇଲେ ବିଜେଡି, ବିଜେପି

76

କନକ ବ୍ୟୁରୋ : ବିଜେପୁର କାହାର? ଯେଉଁ ପ୍ରଶ୍ନର ଉତର ପାଇବା ପାଇଁ ସାରା ଓଡ଼ିଶା ଚାହିଁ ରହିଛି । ତା’ର ସଠିକ୍ ଉତର ମିଳିବ ଆସନ୍ତାକାଲି । ଆସନ୍ତାକାଲି ବିଧିବଦ୍ଧ ଭାବରେ ପ୍ରକାଶ ପାଇବ ବିଜେପୁର ଉପ-ନିର୍ବାଚନର ଫଳାଫଳ । ପ୍ରାୟ ମାସେ ଧରି ଚାଲିଥିବା ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ କିଏ ବାଜି ମାରିବ, ତାକୁ ନେଇ ଜାରି ରହିଛି ଆକଳନ । ବିଜେପୁରରେ କିଏ, କେବେ ବ୍ୟବଧାନରେ ବିଜୟୀ ହେବ, ସେ ନେଇ କେଉଁ ଦଳର ଦାବି କ’ଣ ରହିଥିଲା ।

bijepurକିଏ ବନିବ ବିଜେପୁର ବାଜିଗର୍ ? କେଉଁ ଦଳ ଜିତିବ ଉପ-ନିର୍ବାଚନ ?ପ୍ରାୟ ମାସେ ଧରି ଚାଲିଥିବା କସରତ ଏବଂ ନିର୍ବାଚନ ସରିବା ପରେ ରାଜନୈତିକ ଦଳ ଗୁଡ଼ିକର ଅଙ୍କକଷା ଭିତରେ ଆସନ୍ତାକାଲି ଆସିବ ବିଜେପୁର ଉପ-ନିର୍ବାଚନର ଫଳାଫଳ । କାହାମୁଣ୍ଡରେ ସୁନା କଳସ ଢ଼ାଳିବ ବିଜୟ ରୂପକ ହାତୀ ? ବିଜେପୁରରେ କିଏ କରିବ ବାଜିମାତ୍ ? ଭୋଟ୍ ଗଣିତ ପରେ ଏହି ସବୁ ପ୍ରଶ୍ନର ଉତର ସାମ୍ନାକୁ ଆସିଯିବ ।

ଶାସକ ବିଜେଡି ପାଇଁ ବିଜେପୁର ସମ୍ମାନର ଲଢ଼େଇ କୁହାଯାଉଥିବା ବେଳେ ଦଳ କହୁଛି-୨୦ରୁ ୩୦ ହଜାର ଭୋଟରେ ଜିତିବ । ଆଉ ଏଭଳି ଗଣିତ କଷିଛନ୍ତି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର । ଏହାଛଡା ଅରୁଣ ସାହୁଙ୍କର ହିସାବ ମଧ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଣିତ ସହ ପାଖାପାଖି ମିଶି ଯାଉଛି । ତେଣୁ ବିଜେପୁର ବିଜୟକୁ ନେଇ ଦୃଢ ଆଶାବାଦୀ ଅଛି ବିଜେଡି ।

ଏସବୁ ଭିତରେ ବିଜେପିର ବିଶ୍ୱାସ, ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଜିତାଇବା ପାଇଁ ଭୋଟ୍ ଦେଇଛି ବିଜେପୁର । ଦଳ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଯେଉଁମାନେ ଭୋଟ କାରସାଦି କରିଛନ୍ତି ସେମାନେ ଅଙ୍କରେ ବିଶ୍ୱାସ କରନ୍ତି । କିନ୍ତୁ ବିଜେପୁର ବାସୀ ବିଜେପିକୁ ଭୋଟ ଦେଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବିଜେଡି-ବିଜେପିର ଏହି ଦମ୍ଭୋକ୍ତି ଭିତରେ କିନ୍ତୁ ଚାଂଚଲ୍ୟକର ବୟାନ ରଖିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ବିଜୟକୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ସୁର ରାଉତରାୟ କହିଛନ୍ତି-ବିଜେପୁର ଜିତିବ କଂଗ୍ରେସ । ହେଲେ କିଛି ନେତା, କଂଗ୍ରେସରେ ରହି କଂଗ୍ରେସକୁ ହରାଇବାକୁ ଉଦ୍ୟମ କରିଥିବା କହିଛନ୍ତି ସୁର ରାଉତରାୟ । ଏପରିିକି କିଛି ନେତା ମୁହଁରେ କଂଗ୍ରେସ ଜିତିବ ବୋଲି ହାଲ୍ଲା କରୁଥିବା ବେଳେ ପଛପଟୁ ପ୍ରାର୍ଥୀଙ୍କ ହାରିବା ପାଇଁ ଅଙ୍କ କଷିଥିଲେ ।

ବିଜେଡି ଓ ବିଜେପି ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ଏବଂ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସିନେ ତାରକାଙ୍କ ମାରାଥନ୍ ପ୍ରଚାର ଭିତରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବି ଭରପୁର ପ୍ରୟାସ କରିଛନ୍ତି । ତେବେ ୨୦୧୯ ନିର୍ବାଚନ ପୂର୍ବରୁ କାହା ସପକ୍ଷରେ ରହିଛି ଜନମତ ? କେଉଁ ଦଳ ଆଡକୁ ଢଳୁଛନ୍ତି ଜନତା ? ଏହି ସବୁ ପ୍ରଶ୍ନର ଉତର ଦେବ ବିଜେପୁର ଉପ-ନିର୍ବାଚନ । ଆଉ ଆନୁଷ୍ଠାନିକ ଭାବରେ ଫଳଫଳ ଘୋଷଣା ପରେ ଜଣାପଡ଼ିବ ବିଜେପୁରର ବାଜିଗର କିଏ ?