ବରଗଡ଼ ବିଜେଡି ରାଜନୀତିରେ ଛକାପଂଝା ! ବିଜେପୁରରେ ରୀତା ସାହୁଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ଚର୍ଚ୍ଚାକୁ ଖଣ୍ଡନ କଲେ ପ୍ରସନ୍ନ ଆଚାର୍ଯ୍ୟ

26

କନକ ବ୍ୟୁରୋ : ଶନିବାର ଦିନ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ପୁଅ ବିଜେଡିରେ ମିଶିବା ପରେ ବରଗଡ଼ ରାଜନୀତି ସରଗରମ ହୋଇଛି । ଆସନ୍ତା ନିର୍ବାଚନରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡି ଟିକେଟରେ ବିଜେପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ପ୍ରାର୍ଥୀ କିଏ ହେବ ନହେବ ଦଳର ସୁପ୍ରିମୋ ସବୁ ଦିଗରୁ ବିଚାର କରି ସ୍ଥିର କରିବେ ।

ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ପରେ ବେଶ ରୋଚକ ହୋଇଛି ବିଜେଡିର ବରଗଡ଼ ରାଜନୀତି । ବରଗଡ଼ର ଦୁଇ ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଭଟଲି ବିଧାୟକ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମଧ୍ୟରେ ଛକାପଂଝା ଚାଲିଥିବା ନେଇ ଚର୍ଚ୍ଚା ହେଉଛି । ସୁବଳଙ୍କ ପରିବାରକୁ ବିଜେଡିରେ ମିଶାଇବାରେ ସୁଶାନ୍ତ ସିଂହଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି ।

ଗୋଟିଏ ପଟେ ବିଜେଡିର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅନ୍ୟ ପଟେ ବରଗଡ଼ର ଜଣେ ଟାଣୁଆ ଯୁବ ନେତା ସୁଶାନ୍ତ ସିଂହ । ଦୁଇ ଥର ଲୋକସଭା ସାଂସଦ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ରହିଥିବା ପ୍ରସନ୍ନ ଆଚାର୍ଯ୍ୟ ଏବେ ଦଳର ରାଜ୍ୟସଭା ସାଂସଦ । ଭଟଲିରୁ ଦୁଇ ଥର ବିଧାନସଭାକୁ ଜିତିଥିବା ସୁଶାନ୍ତ ସିଂହ, ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକ୍ରେ ରହିଛନ୍ତି । ବିଜେଡି କୃଷକ ମୋର୍ଚ୍ଚାର ଅଧ୍ୟକ୍ଷ ସହ ଶ୍ରମ ମନ୍ତ୍ରୀ ଅଛନ୍ତି ସୁଶାନ୍ତ ସିଂହ । ତେବେ ବିଜେଡିର ବରଗଡ଼ ଚେହେରା ଭାବେ ଦୁଇ ନେତାଙ୍କ ମଧ୍ୟ କସରତ ଚାଲିଥିବା କୁହାଯାଉଛି ।

ଗତ ନିର୍ବାଚନରେ ବିଜେପୁର ଆସନରୁ ସୁବଳ ସାହୁଙ୍କ ନିକଟରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଏବେ ରାଜନୈତିକ ସ୍ଥିତି ବଦଳିଛି । ସୁବଳଙ୍କ ପତ୍ନୀ ଆସନ୍ତା ନିର୍ବାଚନରେ ବିଜେପୁର ପାଇଁ ବିଜେଡି ଟିକେଟର ପ୍ରମୁଖ ଦାବିଦାର । ସେପଟେ ସୁବଳଙ୍କ ପରିବାର ବିଜେଡିରେ ମିଶିବା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ । ସେ କହିଛନ୍ତି, ପର ଘର ଭାଙ୍ଗୁଛି ବିଜେଡି ।

ବଦଳୁଥିବା ରାଜନୈତିକ ଦୃଶ୍ୟପଟରେ ହେବାକୁ ଯାଉଛି ବିଜେପୁର ଉପନିର୍ବାଚନ । ଏହା କେବଳ ବିଜେପୁର ନୁହେଁ ଏଥିରେ ବରଗଡ଼ର ବିଜେଡି ରାଜନୀତି କେଉଁଆଡକୁ ଯାଉଛି, ତାହା ମଧ୍ୟ ସ୍ପଷ୍ଟ ହେବ ।