ନିର୍ବାଚନ ଯାହା ବଢାଇବ ରାଜନୈତିକ ଦଳଙ୍କ ହୃତକମ୍ପ । ବିଜେପୁର ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ସମୀକ୍ଷା । ବ୍ୟାଟଲଗ୍ରାଉଣ୍ଡ ବିଜେପୁର ।

61

ସାମ୍ପ୍ରତିକ ପରିସ୍ଥିତିରେ, ବିଜେପୁର ଉପ-ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ସବୁଠାରୁ ମହତ୍ୱପୁର୍ଣ୍ଣ । ୨୦୧୯ ନିର୍ବାଚନ ଆଗରୁ ଏହା ହେବ ସେମିଫାଇନାଲ । କେଉଁ ଦଳର ଲୋକପ୍ରିୟତା କେତେ ଏବଂ ଲୋକଙ୍କ ମନରେ କଣ ଅଛି, ତାର ପରୀକ୍ଷା ପାଇଁ ଏକ ମାଧ୍ୟମ ପାଲଟିଛି ବିଜେପୁର ନିର୍ବାଚନ ମଣ୍ଡଳୀ । ଯଦିଓ ନିର୍ବାଚନ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ରହିଛି, ତଥାପି ନେତାଙ୍କର ଭାଗ୍ୟ ବା ସେମାନଙ୍କ ପ୍ରତିଷ୍ଠା ଏଠି ଲାଗିଛି ବାଜିରେ । କାରଣ, ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳଙ୍କର ଏହି ନିର୍ବାଚନ ମଣ୍ଡଳୀରେ ଶକ୍ତି ରହିଛି, ପ୍ରତି ରାଜନୈତିକ ଦଳ ଏଠି ପତିଆରା ପ୍ରଦର୍ଶନ କରିବାକୁ ସମର୍ଥ । ତେଣୁ କଡା ଟକ୍କର ମଧ୍ୟରେ ଯିଏ ଜିତିବ, ୨୦୧୯ ପାଇଁ ଏକ ଅନୁକୁଳ ବାତାବରଣ ତିଆରି କରିପାରିବ ବୋଲି ଅନୁମାନ କରାଯାଉଛି । ତେଣୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବାଜିମାତ କରି ପ୍ରତିପକ୍ଷ ଶିବିରରେ ଛନକା ଭରିବା ପାଇଁ ସମସ୍ତେ ଗୋଟିଚାଳନା କରିଛନ୍ତି ।


୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ, ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଶାସକ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୈକା ଆଣିଦେଇଛି ।

ବିଜେଡି ପାଇଁ ଆହ୍ୱାନ
ରାଜ୍ୟରେ ଲଗାତର ଚାରି ଚାରି ଥର କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ବୋଧହୁଏ ଏଭଳି ରାଜନୈତିକ ଆହ୍ୱାନର ସାମ୍ନା କରିନଥିବ, ଯାହା ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଦଳ ଆଗରେ ରହିଛି । ପ୍ରତିବନ୍ଧକର ବଡ ପାହାଡ ଶାସକ ଦଳ ସମ୍ମୁଖରେ ରହିଛି । ବିଜେଡି ପାଇଁ ଖାସ କରି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ଅଗ୍ନୀପରିକ୍ଷାର ବଳେ । କାରଣ ରାଜ୍ୟରେ ବିଜୁ ଜନତା ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଆଧାର ରହିଛି ପଂଚାୟତ ନିର୍ବାଚନର ଫଳାଫଳ । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ ଖାସ କରି ଭାରତୀୟ ଜନତା ପାର୍ଟି । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବା ପାଇଁ ଏହାକୁ ଏକ ଅବସର ଭାବେ ବ୍ୟବହାର କରିବ ।


ବଡ କଥା ହେଉଛି, ଗତ ୧୭ ବର୍ଷ ଭିତରେ ଦଳ ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ମାତ୍ର ୨ଟି ଉପ-ନିର୍ବାଚନରେ ପରାଜିତ ହୋଇଛି । ତଳସରା ଏବଂ ଲକ୍ଷ୍ମୀପୁର ଆସନରେ ବିଜୁ ଜନତା ଦଳ ପରାଜିତ ହୋଇଥିଲା । ଉଭୟ ଆସନରେ କଂଗ୍ରେସ ବାଜିମାତ କରିଥିଲା । ହେଲେ ଏବେ କିନ୍ତୁ ଚିତ୍ର ବଦଳିଛି । ଭାରତୀୟ ଜନତା ପାର୍ଟିର ପଂଚାୟତ ପ୍ରଦର୍ଶନକୁ ଆଖି ଅନେକ ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି, ରାଜ୍ୟରେ ରାଜନୀତିର ମିଜାଜ ବଦଳୁଛି । ତେବେ ସବୁବେଳେ ସମସ୍ତଙ୍କ ଗଣନାକୁ ଭୁଲ ପ୍ରମାଣିତ କରୁଥିବା ନବୀନ, ବିଜେପୁର ଉପ-ନିର୍ବାଚନରେ ମଧ୍ୟ ସମାନ ଭାବେ ସମସ୍ତଙ୍କ ଗଣନାକୁ ଭୁଲ ପ୍ରମାଣିତ କରିବେ ବୋଲି ବିଜେଡି ନେତା ଆଶା ରଖିଛନ୍ତି ।

ପଂଚାୟତ ନିର୍ବାଚନ ପରେ ବିଜୁ ଜନତା ଦଳ ପାଇଁ ଏକ ଆଶ୍ୱସ୍ତିର କଥା ହେଉଛି, ଏହି ଅବଧୀ ଭିତରେ ହୋଇଥିବା ଅନେକ ଉପନିର୍ବାଚନରେ ଦଳ ବାଜିମାତ କରିଛି । ହେଲେ ବିଜେପୁର କିନ୍ତୁ ହେବ ଅସଲ ପରୀକ୍ଷାର ମୈଦାନ । କାରଣ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ଉପରେ ଫୋକସ କରିବେ । କଂଗ୍ରେସ ନିଜ ଗଡ ବଂଚାଇବାକୁ ଉଦ୍ୟମ କରିବାକୁ ଥିବା ବେଳେ ବିଜେପି ଧସେଇ ପଶିବାକୁ ଉଦ୍ୟମ କରିବ । ତେଣୁ ୧୭ ବର୍ଷ ପରେ ବି ନବୀନଙ୍କ ଭବମୁର୍ତ୍ତି ମଳିନ ହୋଇନି, ଆଜି ବି ବିଜେଡି ମୁଖିଆଙ୍କର ଲୋକପ୍ରିୟତା ଶୀର୍ଷରେ ରହିଛି, ଏହା ପ୍ରମାଣିତ କରିବାକୁ ଉପନିର୍ବାଚନ ଏକ ଅବସର ନେଇ ଆସିଛି । ତେଣୁ ଶାସକ ଦଳ ଏହାକୁ ମାଧ୍ୟମ କରି ୨୦୧୯ ପୁର୍ବରୁ ବିଜେପିକୁ କଡା ସନ୍ଦେଶ ଦେବାକୁ ଗୋଟିଚାଳନା କରିବ । ଦଳ ଏବେ କର ବା ମର ସ୍ଥିତିର ସାମ୍ନା କରୁଥିବା ରାଜନୈତିକ ଦୃଶ୍ୟପଟ୍ଟରେ ଚର୍ଚ୍ଚା ହେଉଛି । ଯଦି ଦଳ ବିଜେପୁରରେ ପରାଜିତ ହୁଏ, ତେବେ ୨୦୧୯ର ଲଢେଇ ଏତେ ସହଜ ହେବନି । ଆଉ ଯଦି ବାଜିମାତ କରେ, ୨୦୧୯ରେ ବି ଦଳ ବିଜୟ ବାନା ଉଡାଇବା ପାଇଁ ଏକ ବାତାବରଣ ତିଆରି କରିପାରିବ ।
ବିଜେପି ପାଇଁ ଚାଲେଂଜ
୨୦୧୭ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଗଣତିରୁ ଅନୈାପଚାରିକ ଭାବେ ଯେଉଁ ଫଳାଫଳ ଆସିଥିଲା, ତାହା ବିଜେପିର ବହୁ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ଅପ୍ରତ୍ୟାଶିତ ଭାବେ ଦୀର୍ଘ ୧୭ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳକୁ ଏକ ବଡ ଧରଣର ଚାଲେଂଜ ଦେଉଥିବା ଭାରତୀୟ ଜନତା ପାର୍ଟି । ରାଜନୈତିକ ପଣ୍ଡିତଙ୍କ ଗଣନା ଭୁଲ ପ୍ରମାଣିତ ହୋଇଗଲା । ପ୍ରଥମ ପର୍ଯ୍ୟାୟ ଭଳି, ପ୍ରତିଟି ପର୍ଯ୍ୟାୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବେ ସାମ୍ନାକୁ ଆସିଥିଲା । ହେଲେ ଏହାରି ଭିତରେ କିନ୍ତୁ ଦଳର ରାଜ୍ୟ ସଭାପତିଙ୍କ ଜିଲ୍ଲାରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ବସନ୍ତ ପଣ୍ଡାଙ୍କ ଜିଲ୍ଲାରେ ବିଜେଡି ଯଥେଷ୍ଟ ଆଗରେ ରହିଲା । ତେବେ ୨୦୧୪ରେ ଯେତେବେଳେ ସାରା ଦେଶରେ ମୋଦି ଲହର ବହୁଥିଲା, ସେତେବେଳେ ବିଜେପି ରାଜ୍ୟରେ ମାତ୍ର ଗୋଟିଏ ଲୋକସଭା ଆସନ ଓ ୧୦ଟି ବିଧାନସଭା ଆନରେ ଜିତିବାକୁ ସକ୍ଷମ ହୋଇଥିଲା ବେଳେ ପଂଚାୟତ ନିର୍ବାଚନରେ ଦଳର ଏଭଳି ସଫଳତା ନେତାଙ୍କ ମନରେ ଉତ୍ସାହ ଭରିଥିଲା । ଆଉ କୁହାଗଲା, ବିଜେଡି ବିରୋଧରେ ଏକ ବିକଳ୍ପ ତିଆରି ହେଲା । ଯେତେବେଳେ ୨୦୦୯ରେ ମେଂଟ ଭାଙ୍ଗି ଦେଇ ବିଜେପିକୁ ଏକ ସାଇନ ବୋର୍ଡ ପାର୍ଟିର ମାନ୍ୟତା ଦିଆଯାଇଥିଲା, ସେତେବେଳେ କେହି ଭାବିନଥିବେ, ବିଜେପି ଏକ ବଡ ଆହ୍ୱାନର ପାହାଡ ହୋଇ ବିଜେଡି ସାମ୍ନାରେ ଠିଆ ହେବ । ତେବେ ପଂଚାୟତ ନିର୍ବାଚନରେ ବିଜେପିର ବାଜିମାତ ପଛରେ କଣ କାରଣ ରହିଛି, ତାକୁ ନେଇ ଆଜି ବି ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସେ । ବିଜେଡି ଭିତରେ ଥିବା ନେତାଙ୍କ କନ୍ଦଳ, ଲୋକଙ୍କ ମନରେ ନେତାଙ୍କ ଅହଙ୍କାର ନେଇ ଥିବା କ୍ଷୋଭ ବିଜେପିକୁ ବିଜୟୀ ହେବାରେ ସାହାଯ୍ୟ କରିଥିଲା ନା ନିଜ ଦମ୍ ବଳରେ ବିଜେପି ପଂଚାୟତ ନିର୍ବାଚନରେ ଖାସ କରି ଜିଲ୍ଲା ପରିଷଦ ଆସନରେ ବିଜୟ ବାନା ଉଡାଇବାରେ ସମର୍ଥ ହେଲା ।

ତେବେ ଏହାରି ଭିତରେ ଆସିଛି, ବିଜେପୁର ଉପ ନିର୍ବାଚନ, ଯାହା ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଦେଇ ଯାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ କାର୍ଯ୍ୟକାରିଣୀ ବେଳେ ୧୨୦ ଆସନ ଜିତିବାକୁ ରୋଡମ୍ୟାପ ତିଆରି ହେଲା । ୩ ଦିନିଆ ଓଡିଶା ଗସ୍ତରେ ଆସି ରୀତିମତ ନେତାଙ୍କୁ ପାଠ ପଢାଇଲେ ଅମିତ ଶାହା । ଆଉ ଯାହାର ପରୀକ୍ଷା ପାଇଁ ମୈଦାନ ହେବ ବରଗଡ । ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ପାଲଟିବ ସବୁ ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ । ବିଜେପିର ନୁଆ ରଣନୀତିର ପ୍ରଥମ ପ୍ରୟୋଗଶାଳା ହେବ ବିଜେପୁର । ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେତାଙ୍କ ହାତରେ ବାଂଟି ବିଜେପି ସଫଳତା ପାଇବାକୁ ଗୋଟିଚାଳନା କରିଛି । ଏହି କ୍ରମରେ ବରଗଡ ଦାୟିତ୍ୱରେ ଅଛନ୍ତି କେନ୍ଦ୍ରୀୟ ନେତା ଅନୀଲ ଜୈନ । କେନ୍ଦ୍ରୀୟ ସ୍ତରର ନେତା ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ ଭୁମିକାରେ ଆସିବେ, ଏହା ସହଜରେ ଅନୁମେୟ । ଯେତେବେଳେ ଦଳ ୨୦୧୯ରେ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି ଓ ନବୀନ ସରକାରଙ୍କ ସ୍ଥାଣୁ ଓ ଅପାରଗତା ବିରୋଧରେ ଲଢେଇ ଜାରି ରଖିଛି ଠିକ ସେହି ସମୟରେ ବିଜେପୁର ଆସନ ହେବ ଅସଲ ପରୀକ୍ଷା । ଦଳ ଖାଲି ହାୱା ତିଆରି କରୁଛି, ନା ବାସ୍ତବତାରେ ବିଜେପି ପାଇଁ ବାତାବରଣ ତିଆରି ହେଉଛି, ଏହାର ସ୍ପଷ୍ଟ ବାର୍ତ୍ତା ମିଳିବ ଏହି ଉପନିର୍ବାଚନରୁ ।

କଂଗ୍ରେସ ପାଇଁ
ବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ ସୁବଳ ସାହୁ । ଲଗାତର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମେଂଟରେ ଲଢିଥିଲେ ବିଜେଡି ଓ ବିଜେପି । ୨୦୦୯ ଓ ୨୦୧୪ରେ ଅଲଗା ଅଲଗା ଲଢିଥିଲେ । ତଥାପି ମଧ୍ୟ ସୁବଳଙ୍କୁ ଚାଲେଂଜ ଦେବାରେ ସକ୍ଷମ ହୋଇନଥିଲେ । ତେଣୁ ନିଜ ଗଡ ବଂଚାଇବାକୁ କଂଗ୍ରେସ ସମର୍ଥ ହେଉଛି କି ନାହିଁ, ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟରେ କଂଗ୍ରେସ ଏବେ ନେତୃତ୍ୱ କନ୍ଦଳ ଦେଇ ଗତିକରୁଛି । ଦଳଭିତରେ ସବୁକିଛି ଠିକ ନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ନେତାଙ୍କ ଭିତରେ ମନୋମାଳିନ୍ୟ ଦଳ ପାଇଁ ଚିନ୍ତାର ବିଷୟ । ପିସିସି ପରିବର୍ତ୍ତନର ହାୱା ଆଉ ଅସଜଡା ଘର ଏବଂ ସଂଗଠନକୁ ଧରି କଂଗ୍ରେସ କିଭଳି ନିର୍ବାଚନକୁ ସାମ୍ନା କରିବ, ଏବେ ଏହା ବଡ ପ୍ରଶ୍ନ ।


ସୁବଳ ସାହୁଙ୍କ ଦେହାନ୍ତ ପରେ, କଂଗ୍ରେସ ଯେଉଁଭଳି ଭାବେ କ୍ରିୟାଶୀଳ ହେବା କଥା ତାହା ଦେଖାଇନଥିବା ଅଭିଯୋଗ ହେଲା । ସୁବଳ ସାହୁଙ୍କ ପତ୍ନୀ, କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ । ଅର୍ଥାତ୍ ସ୍ପଷ୍ଟ ଭାବେ ବୁଝିବାକୁ ପଡିବ, ଯେତେବେଳେ ବିଧାୟକଙ୍କ ପତ୍ନୀ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି, ଆଉ ଦଳ ତାଙ୍କୁ ବୁଝାଇ ସୁଝାଇ ନିଜ ପାଖରେ ରଖିବାରେ ଅସମର୍ଥ ହେଉଛି, ତେବେ କର୍ମୀଙ୍କ ଅବସ୍ଥା କଣ ଥିବ । ତେବେ, ମୁଳ କଥା ହେଉଛି ସୁବଳ ସାହୁ ବିଜେପୁରକୁ କଂଗ୍ରେସର ଏକ ଅଭେଦ୍ୟ ଗଡ ଭାବେ ତିଆରି କରିଥିଲେ । କଂଗ୍ରେସର କିଛି ଭୋଟ ମଧ୍ୟ ଏହି ଅଂଚଳରେ ରହିଛି । ଅତୀତରେ କଂଗ୍ରେସ ନେତାମାନେ ମଧ୍ୟ ଏହି ଆସନରୁ ବାଜିମାତ କରିଛନ୍ତି । ତେବେ ଗତ କିଛି ଦିନର ଘଟଣାକ୍ରମକୁ ଦେଖିଲା ପରେ, ଅନୁମାନ କରାଯାଇପାରେ ଯେ, ଦôଳ ସବୁକିଛି ଠିକ ଚାଲିନି । ନେତା ଭିତରେ ଅସନ୍ତୋଷ କର୍ମୀଙ୍କ ମନରେ ସନ୍ଦେହ ଭରିଛି । କର୍ମୀ ଆଉ ଶୀର୍ଷ ସ୍ତରୀୟ ନେତୃତ୍ୱଙ୍କ ମଧ୍ୟରେ ଏକ ବଡ ଧରଣର ଫାଟ ତିଆରି ହୋଇଛି । ଯାହାକୁ ଦୁର କରିବାକୁ ବିଜେପୁର ଉପ-ନିର୍ବାଚନ ଏକ ଅବସର ନେଇ ଆସିଛି ।

୨୦୧୯ ଆଗରୁ କଂଗ୍ରେସ ପାଇଁ ବିଜେପୁର ନିର୍ବାଚନକୁ ସାମ୍ନା କରିବା ବଡ ଧରଣର ଚାଲେଂଜ । କାରଣ ଗୋଟିଏ ପଟେ, ନିଜ ଗଡରେ ଅସ୍ତିତ୍ୱ ବଂଚାଇବାକୁ ଦଳ ସଂଘର୍ଷ କରିବ ଆଉ ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ବଢୁଥିବା ଶକ୍ତିକୁ ଅଟକାଇବାକୁ ପଡିବ । ଓଡିଶା ରାଜନୀତିର ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟରେ ତିନି ନମ୍ବର ରାଜନୈତିକ ଦଳ ହୋଇଛି କଂଗ୍ରେସ । ପଂଚାୟତ ନିର୍ବାଚନ ପରେ କଂଗ୍ରେସର ଏହି ଦୁରାବସ୍ଥା । ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ଯେଉଁ ମାନ୍ୟତା ଏହି ସଭାରତ ବର୍ଷର ଏହି ସର୍ବପୁରାତନ ରାଜନୈତିକ ଦଳ ପାଖରେ ଅଛି, ତାହା ଆଜି ବିପଦରେ । ତେଣୁ ଏହି ଆଶଙ୍କାକୁ ଦଳ କିଭଳି ଦୁର କରିବ ତାହା ବଡ ପ୍ରଶ୍ନ । ନଚେତ ଲଗାତର ଭାବେ ଦଳର ଅବକ୍ଷୟମୁଖୀ ପ୍ରଦର୍ଶନ ରାଜ୍ୟରେ ଦଳର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଇପାରେ । ସାରା ଦେଶରେ କଂଗ୍ରେସ ମୁକ୍ତ ନାରା ଦେଉଥିବା ବିଜେପିକୁ କମସେ କମ୍ ତିନି ନମ୍ବର ସ୍ଥାନକୁ ଠେଲିବା କଂଗ୍ରେସ ପାଇଁ ଆହ୍ୱାନ ପାଲଟିବ ।