ନେତା ଓ ମନ୍ତ୍ରୀଙ୍କୁ ନେଇ ତିଆରି ହେଲା ବିଜେପୁର ରଣନୀତି । ଜାଣନ୍ତୁ  କେଉଁ ବ୍ଲକ ସମ୍ଭାଳିବେ କିଏ ?  

23

କନକ ବ୍ୟୁରୋ : ବିଜେଡିର ବିଜେପୁର ରଣନୀତି  । ନିର୍ବାଚନ ପରିଚାଳନା କରିବା ପାଇଁ ମନ୍ତ୍ରୀ ଓ ନେତାଙ୍କୁ ଦାୟିତ୍ୱ ବାଂଟିଛନ୍ତି ବିଜେଡି ସୁପ୍ରିମୋ  । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ସେହିପରି ବିଜେପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ନ୍ୟସ୍ତ କରିଛନ୍ତି ନବୀନ  । ସେପଟେ ସଂଜୟ ଦାସ ବର୍ମାଙ୍କୁ ବରପାଲି ବ୍ଲକ ଓ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ଗାଇସିଲେଟ ବ୍ଲକର ଦାୟିତ୍ୱ ଦିଆଯାଇଛି  । ଏନେଇ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ।ସୂଚନା ଅନୁସାରେ ବୈଠକରେ ନିଷ୍ପତ୍ତି ହୋଇଛି, ଗାଇସିଲଟ ବ୍ଲକ ଦାୟିତ୍ୱ ପ୍ରଶାନ୍ତ ନନ୍ଦ ଓ ନିରଞ୍ଜନ ପୂଜାରୀ ମୁଣ୍ଡାଇବେ । ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପୁର ଏବଂ ବିଧାୟକ ଅରୁଣ ସାହୁ ବରପାଲି ବ୍ଲକ ଦାୟିତ୍ୱରେ ରହିବେ । ଏନଏସି ଦାୟିତ୍ୱ ମଧ୍ୟ ଅଭିଜ୍ଞ ନେତା ମୁଣ୍ଡାଇବେ । ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ।

ପ୍ରତି ପଂଚାୟତ ଭୋଟ ଜଣେ ଲେଖାଏଁ ବିଧାୟକ ଜଗିବେ । ପ୍ରତି ଗାଁ ମଧ୍ୟ ଜଣେ ଲେଖାଏଁ ସ୍ଥାନୀୟ ଦକ୍ଷ ନେତା ଦାୟିତ୍ୱରେ ରହିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତି ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ । ପ୍ରତି ୱାର୍ଡରୁ ଦଳ ଭୋଟ ଭିଡିବାକୁ ସମସ୍ତ ପଦକ୍ଷେପ ହାତକୁ ନେବେ । ଆସନ୍ତା ସପ୍ତାହକ ମଧ୍ୟରେ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ମଧ୍ୟ ଦଳ ପ୍ରସ୍ତୁତ କରିବ । ଯେଉଁଠି ଯାହା ଅସୁବିଧା ରହିବ ସେ ସମ୍ପର୍କରେ ସ୍ୱଂୟ ସଭାପତିଙ୍କୁ ଅବଗତ କରାଯିବ । ବଡ ବ୍ୟବଧାନରେ ବିଜେପୁର ଜିତିବାକୁ ବିଜେଡି ଫୁଲ ଦମରେ ଅଂଟା ଭିଡିଛି । ଏହି ଭୋଟର ଫଳାଫଳ ଦଳକୁ ଅଧିକ ଉତ୍ସାହ ଆଣିବାର ଥିବାରୁ ଦଳ ସଭାପତି ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରିଛନ୍ତି । ଉପନିର୍ବାଚନରେ ଦଳ ବିକାଶ ସହ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ପୁଞ୍ଜି କରି ଭୋଟ ଲଢିବେ ବୋଲି କହିଛି ।

ଦଳ ପାଇଁ ଏ ଉପନିର୍ବାଚନ ବଡ ଚ୍ୟାଲେଞ୍ଜ ଛିଡା କରାଇଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ଦଳ ପାଇଁ ସେମିଫାଇନାଲ ଭାବେ ଉଭା ହୋଇଛି । କୌରସି ପରିସ୍ଥିତିରେ ଦଳ ବିଜେପୁର ଆସନକୁ ହାତ ଛଡା କରିବାକୁ ଚାହୁଁନାହିଁ । ସେଥିପାଇଁ ନବୀନ ନିବାସରେ ବସୁଛି ଘନ ଘନ ବୈଠକ । ବିଜେପୁରରେ ବିଜୟ ବାନା ଉଡାଇବାକୁ ଦଳ ନିର୍ବାଚନ ପରିଚାଳନାକୁ ଆଖିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲା । ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତାଙ୍କୁ ବିଜୟୀ କରାଇବାକୁ ତୃଣ ମୂଳ ସ୍ତରରୁ ଏକାଧିକ ନେତାଙ୍କ ହାତରେ ଲଗାମ ଧରାଇବାକୁ ସ୍ଥିର ହୋଇଛି ।

ଗୋଟିଏ ହେଲେ ଭୋଟକୁ ଅଣଦେଖଶ କରାଯିବନି । ପ୍ରତିଟି ଭୋଟ ରହିବ ନଜର । ଦଳ ସପକ୍ଷରେ ଭୋଟ ହାତେଇବାକୁ ପଂଚାୟତ ଜଗିବେ ନେତା । ବ୍ଲକ ଏନଏସି ପାଇଁ ଦାୟିତ୍ୱ ସମ୍ଭାଳିବେ ଜଣେ ରାଜ୍ୟସ୍ତରୀୟ ବଡ ମୁଖିଆ । ତାଙ୍କ ନେତୃତ୍ୱରେ ଗାଁ ନୁହେଁ, ପ୍ରତି ଘର ଉପରେ ଆଖି ରଖିବେ ସ୍ଥାନୀୟ କର୍ମକର୍ତ୍ତା । ଆଖପାଖ ଜିଲ୍ଲାର ବିଧାୟକ ଏବଂ ମନ୍ତ୍ରୀଙ୍କ ସହ ବଛା ବଛା ବିଧାୟକ କ୍ୟାମ୍ପ ପକାଇବେ । କଳେ ବଳେ କୌଶଳେ ଶଙ୍ଖ ପାଇଁ ଭୋଟ ଭିଡିବେ । ବିଜେପୁର ଗଡ ଜିତିବାକୁ ଏପରି ସମରସଜ୍ଜା ପାଇଁ ବିଜେଡି ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ । ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରୁ ଆରମ୍ଭ କରି ରଣକୌଶଳ ଆଦରିବାରେ ବେଶ୍ ଆଗରେ ରହିଛି ଶାସକ ବିଜେଡି ।

ସେପଟେ ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇଥିବା ବିଜେପି କ୍ୟାମ୍ପ ମଧ୍ୟ କଂଗ୍ରେସ ଗଡରେ ପଦ୍ମ ଫୁଟାଇବାକୁ ସବୁ କଳ କୌଶଳ ଲଗାଇବାକୁ ତିଆରି କରିଛି ବ୍ଲୁ-ପ୍ରିଂଟ । ପଂଚାୟତ ପ୍ରଚାରବେଳେ ଯେଉଁ ପ୍ରୟୋଗ ପଦ୍ମଦଳକୁ ଦ୍ୱିତୀୟ ସ୍ଥାନରେ ରଖିଥିଲା ପୁଣି ବିଜେପୁରରେ ସେହି ପ୍ରୟୋଗ କରିବାକୁ ଯାଉଛନ୍ତି ବିଜେପି ଟପବସ । ବିଜେପି ନିଜର ସମସ୍ତ ଆଶା ପ୍ରକଟ କରିଛି କେନ୍ଦ୍ରୀୟ ନେତାଙ୍କ ଉପରେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଜୁଏଲ ଓରାମ ଧରିବେ ପ୍ରଚାରର ମଙ୍ଗ । ସେହିପରି ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାମ କୃପାଲ ଯାଦବଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମଧ୍ୟ ବିଜେପୁର ମାଟିରେ ଦେଖିବାକୁ ମିଳିବ । ବିଜେପି ପ୍ରଭାରୀ ଅରୁଣ ସିଂ ଓ କେନ୍ଦ୍ରୀୟ ନେତା ସୌଦାନ ସିଂ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ତେବେ ଏସବୁ ଭିତରେ ବିଜେପୁର ନିର୍ବାଚନ କ୍ଷେତ୍ରର ତିନିଟି ବ୍ଲକ ପାଇଁ ତିନି ତୁଙ୍ଗ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ଗାଇସିଲଟ ବ୍ଲକରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପୁରରେ ଜୟନାରାୟଣ ମିଶ୍ର ଓ ବରକାଲିରେ ବିଧାୟକ ଦଳ ନେତା କେଭି ସିଂଦେଓ ପ୍ରଚାରର ତଦାରଖ କରିବେ । ତେଣୁ ପୁଣିଥରେ ପଞ୍ଚାୟତ ନିର୍ବାଚନ ପରି ବିଜେପୁର ଉପ-ନର୍ବିାଚନରେ ଦଳ ବାଜି ମାରିବ ବୋଲି କହିଛି ବିଜେପି । ଏହାସହ ବିଜେପି କହିଛି ବିଜେପୁର ଉପନିର୍ବାଚନକୁ ନେଇ ବିଜେଡି ଏବେ ଭୟଭୀତ ହୋଇଛି ।ଏପରିକି ସରକାରୀ ଅଧିକାରୀଙ୍କୁ ଏବେଠାରୁ ଧମକାଇବା ଆରମ୍ଭ କରିଛି ବିଜେଡି ।

ଏହି ରେସରେ ପଛରେ ପଡିନି କଂଗ୍ରେସ । କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ତେବେ ଏଥର ବି କଂଗ୍ରେସର ଗଡ ଭାବେ ପରିଚିତ ବିଜେପୁରରେ କଂଗ୍ରେସ ବାଜିମାତ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେପୁରରେ ଯିଏ ବାଜି ଜିତିବ ସେ ୭ ମାସ ପାଇଁ କ୍ଷମତାରେ ରହିବ । ତଥାପି ବିଜେପୁର ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । କାହିଁକି ନା ବିଜେପୁର ବିଜୟ ଉପରେ ନିର୍ଭର କରୁଛି ୨୦୧୯ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି । ଏହାସହ ବିଜେପୁର ଉପନିର୍ବାଚନର ଫଳାଫଳ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ଉପରେ ମଧ୍ୟ ପଡିବ । ତେଣୁ ବିଜେପୁର ହାତେଇବା ପାଇଁ ଏବେ ଜି ଜାନ ଲଗାଇ ଦେଇଛନ୍ତି ପ୍ରତି ଦଳ ।