ବିଜେପୁରରେ ଗୁଳି ମାଡକୁ ନେଇ ତେଜିଲା ରାଜନୀତି ! ପ୍ରତିବାଦରେ ଆଜି ଗଣସତ୍ୟାଗ୍ରହ କରିବ ବିଜେପି ଯୁବମୋର୍ଚ୍ଚା

33

କନକ ବ୍ୟୁରୋ : ବିଜେପୁରରେ ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତିଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ଜୋରଦାର ହେଲା ରାଜନୀତି । ଘଟଣା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିଜେପୁରରେ ଗଣସତ୍ୟାଗ୍ରହ କରାଯିବ । ଉପନିର୍ବାଚନକୁ ନେଇ ରକ୍ତମୁଖା ହୋଇଥିବା ବିଜେଡି ମନୋରଂଜନଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛି ବିଜେପି । ବିଜେପୁରରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଗୁଳି ଫୁଟିଛି । ବିଜେପୁର ବ୍ଲକ ପଡ଼ା ଗାଁରେ ଥିବା ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରେ ୩ ରାଉଣ୍ଡ ଗୁଳିମାଡ଼ ହୋଇଛି ।

ଏଥିରେ କେହି ମୃତାହତ ହୋଇନଥିବାବେଳେ ତାଙ୍କ ଘର କବାଟ ଓ କାନ୍ଥରେ ୩ ରାଉଣ୍ଡ ଗୁଳି ବାଜିଛି । ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ୨ଟି ଖୋକା ଜବତ କରି ଛାନବିନ୍ ଚଲାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରାତିରେ ଏକ ବୋଲେରୋରେ ୪-୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ଅନ୍ୟପଟେ ଅଚାନକ ଗୁଳିମାଡକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି । ବିଜେପି ଏହି ଗୁଳିକାଣ୍ଡ ପାଇଁ ସିଧାସଳଖ ବିଜେଡିକୁ ଦାୟୀ କରିଛି ।

କିଛି ଦିନ ହେଲା ଏନେଇ ବିଜେପୁର ଅଂଚଳରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତିିକ୍ତତା ଲାଗି ରହିଥିଲା । ଆଜି ରାତିରେ ଗୋଟିଏ ବଲେରୋ ମନୋରଂଜନଙ୍କ ଘର ସମ୍ମୁଖରେ ପହଞ୍ଚିଥିଲା । ଭିତରେ ୪-୫ଜଣ ଦୁର୍ବୃତ୍ତ ମୁହଁ ଘୋଡ଼ାଇ ବସିଥିଲେ। ସେମାନେ ଅଚାନକ ଗୁଳି ଚଳାଇ ପଳାଇଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ।

ଏହି ଘଟଣା ନେଇ ଉଭୟ ବିଜେଡି ଏବଂ ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି । ଘଟଣା ପାଇଁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାସିସ ଆଚାର୍ଯ୍ୟ ବିଜେଡିକୁ ଦାୟୀ କରିଛନ୍ତି । ୫ ତାରିଖ ପଡ଼ାରେ ବିଜେପି ଗୋଟିଏ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରିବା ଧାର୍ଯ୍ୟ ହୋଇଥିଲା । ହେଲେ ସେଠାରେ ବିଜେଡି କର୍ମୀ ଗୋଟିଏ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିଥିଲେ । ସମ୍ମିଳନୀକୁ ବସ୍‌ଷ୍ଟାଣ୍ଡ ପାଖରେ ଆୟୋଜନ କରାଗଲା। ଏହାକୁ ନେଇ ମନୋରଂଜନଙ୍କୁ ବିଜେଡି କର୍ମୀ ହତ୍ୟା ଧମକ ଦେଇଥିଲେ ବୋଲି ଇରାସିସ୍‌ ଅଭିଯୋଗ କରିଛନ୍ତି ।

ଏହାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । କହିଛନ୍ତି, କିଛି ଦିନ ତଳେ ବିଜେପିର ସମ୍ମିଳନୀରେ ମନୋରଂଜନ ବିଜେଡି ନେତାମାନଙ୍କୁ (ମତେ ମିଶାଇ) ଗୁଳି କରିବେ ବୋଲି ଖୋଲା ଧମକ ଦେଇଛନ୍ତି । ଏହାର ଭିଡିଓ ରେକର୍ଡିଂ ମଧ୍ୟ ରହିଛି । ଏହି ଗୁଳିକାଣ୍ଡ ଘଟଣାରେ ବିଜେଡିର କିଛି ହାତ ନଥିବା ମନ୍ତ୍ରୀ ଶ୍ରୀ ସିଂହ ପ୍ରତିକ୍ରିୟାରେ କହିଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏସ୍‌ପି ବି. ଯୁଗଳ କିଶୋର ପଡ଼ା ଗାଁ ପହଂଚିବା ପରେ ସୂଚନା ଦେଇଛନ୍ତି ।