ବିଜେପୁର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ : ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଚାଲିଛି ମତଦାନ ପ୍ରଶିକ୍ଷଣ

40

କନକ ବ୍ୟୁରୋ :  ବିଜେପୁର ଉପନିର୍ବାଚନ ପୂର୍ବରୁ ଗାଁ ଗାଁରେ ଚାଲିଛି ମତଦାନ ପ୍ରଶିକ୍ଷଣ । ଓଡିଶାରେ ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଛି ଭିଭିପିଏଟି ମେସିନ । ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ ବା ଭିଭିପିଏଟି ମେସିନ ଇଲେକ୍ଟ୍ରନିକ ଭୋଟିଂ ମେସିନ ସହ ଯୋଡା ହୋଇ ରହିଥାଏ । ଜଣେ ଭୋଟ ଇଭିଏମରେ ଭୋଟ ଦେଲେ ଭିଭିପିଏଟିରେ ଏହାର ପ୍ରମାଣ ସ୍ୱରୂପ କ୍ରମିକ ନମ୍ବର ଓ ଦଳୀୟ ଚିହ୍ନ ପ୍ରଦର୍ଶିତ ହେବ । ଏହା ଭୋଟରଙ୍କ ସଠିକ ଭୋଟର ପ୍ରମାଣ ଭାବରେ ମଧ୍ୟ ରହିବ । ଏହି କଥାଗୁଡିକୁ ଭୋଟରଙ୍କୁ ବୁଝାଉଛନ୍ତି ଦାୟିତ୍ୱରେ ଥିବା ବ୍ଲକର ଅଧିକାରୀ ।

ଲୋକଙ୍କୁ ଭିଭିପିଏଟିର ସଚେତନତା କରିବା ପାଇଁ କାନ୍ଥବାଡରେ ପୋଷ୍ଟର ଲାଗୁଛି । ଏହା ସହ ପାମ୍ପଲେଟ୍ ମଧ୍ୟ ବଂଟା ଚାଲିଛି । ପୂର୍ବରୁ ଇଭିଏମରେ ଲୋକେ ଭୋଟ ଦେଉଥିଲେ । କିନ୍ତୁ ଭିଭିପିଏଟି ବ୍ୟବହାର ଫଳରେ ନିଜ ଭୋଟର ପ୍ରମାଣ ଆଖିରେ ଦେଖି ବେଶ୍ ଉତ୍ସାହିତ ଲୋକେ । ଏହା ସହ ଏଣିକି ଭୋଟିଂରେ ଆଉ କୌଣସି ହେରଫେର ହେବାର ସମ୍ଭାବନା ନଥିବା ଅନୁଭବ କରିଛନ୍ତି ଲୋକେ ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ମାସ ୨୪ ତାରିଖରେ ଭୋଟ୍ ଓ ୨୮ ତାରିଖରେ ଭୋଟ ଗଣତି ହେବ । ପ୍ରାୟ ୨ ଲକ୍ଷ ୨୧ ହଜାର ୧୪୬ ଜଣ ଭୋଟର ମତସାବ୍ୟସ୍ତ କରିବେ । ଗତବର୍ଷ ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।