କେଉଁ ମୁଦ୍ଦା ନେଇ ଲଢାଯିବ ବିଜେପୁର ଉପ-ନିର୍ବାଚନ? ଭୋଟର ଚାହୁଁଛି କଣ । ବିକାଶ ବନାମ ପ୍ରତିଶ୍ରୁତିର ଲଢେଇ ।

108

ବିଜେପୁର ଉପନିର୍ବାଚନରେ ବିକାଶ ଏକ ମୁଖ୍ୟ ମୁଦ୍ଦା ହେବ ବୋଲି କୁହାଯାଉଛି । ଏହାକୁ ଆଖି ଆଗରେ ରଖି ଉଭୟ ବିଜେପି ଓ ବିଜେଡି ଗୋଟିଚାଳନା କରିବାରେ ବ୍ୟସ୍ତ । ନବୀନ ଗୋଟିଏ ପରେ ଗୋଟିଏ ଘୋଷଣା କରୁଥିବା ବେଳେ ବରଗଡରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଧର୍ମେନ୍ଦ୍ର ମଧ୍ୟ ରାଜ୍ୟକୁ ଚିଠି ଲେଖି ଜମି ତୁରନ୍ତ ଯୋଗାଇବାକୁ ଅନୁରୋଧ କରିଛନ୍ତି । କାରଣ ଉଭୟ ଦଳ ବେଶ ଭଲ ଭାବେ ଜାଣିଛନ୍ତି, ବିକାକୁ ନେଇ ହିଁ ବିଜେପୁରରେ ହେବ ଲଢେଇ । ଏହାସହ ଜାତି ସମୀକରଣ ଓ ଚାଷୀ ଏବଂ ବୁଣାକାରଙ୍କ ପ୍ରସଙ୍ଗ ମଧ୍ୟ ବେଶ ମହତ୍ୱ ରଖିବ । ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ଏହି ଗୋଟିଚାଳନା କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରି ବିକାଶ ସହ ଅନୁକମ୍ପାକୁ ଧରି ଆଗକୁ ବଢୁଛି ।

Political Parties Gear Up For Bijepur Assembly Bypoll
ଲୋକଙ୍କ ମତ ଆଉ ପ୍ରସଙ୍ଗ ବୁଝିବାକୁ ‘ସମ୍ବାଦ’-‘କନକ ନ୍ୟୁଜ୍’ ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି ଯେ, ବିଜେପୁର ଉପ-ନିର୍ବାଚନରେ ବିକାଶ ହିଁ ମୁଖ୍ୟ ମୁଦ୍ଦା ହେବ । ସର୍ଭେରେ ଭାଗ ନେଇଥିବା ମତଦାତାଙ୍କ ମଧ୍ୟରୁ ଅଧାରୁ ଅଧିକ ନିର୍ବାଚନର ପ୍ରସଙ୍ଗ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ମତଦାତାଙ୍କ ମଧ୍ୟରୁ ୫୬ ପ୍ରତିଶତଙ୍କ ବିଚାରରେ ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ପ୍ରତିଦ୍ୱନ୍ଦ୍ୱୀ ଓ ଦଳମାନଙ୍କ ଆଭିମୁଖ୍ୟ ଓ ପ୍ରଦର୍ଶନ ଭୋଟରଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ବିଜେପୁରବାସୀଙ୍କ ଆଶା ଅତି ସରଳ- ରାସ୍ତାଘାଟର ଉନ୍ନତି, ପାନୀୟଜଳ ସୁବିଧା ଓ ଜଳସେଚନର ସଂପ୍ରସାରଣ। ଗାଇସିଲଟବାସୀ ଚାହାନ୍ତି ଅଙ୍ଗ ଉପରେ ପୂଜାରିପାଲି ଓ ସୁକ୍ତେଲ ଉପରେ ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେଉ। ଜଳସେଚନର ବ୍ୟବସ୍ଥା ହେଲେ ଚାଷର ଉନ୍ନତି ହେବ ଏବଂ ଅଞ୍ଚଳରୁ ଦାଦନ ରୋକାଯାଇ ପାରିବ। ବିଜେପୁର ବ୍ଲକବାସୀ ଆଶା କରନ୍ତି ଦୁଇଟି ବିଶାଳ କଣ୍ଟା (ଜଳାଶୟ)ର ପୁନରୁଦ୍ଧାର କାର୍ୟ୍ୟ ତ୍ୱରାନ୍ଵିତ ହେଉ। ବରପାଲିବାସୀ ଚାହାନ୍ତି କୁମ୍ଭାରୀ-ଆଗଲପୁର ରାସ୍ତା ନିର୍ମାଣ।

ଗାଇସିଲଟବାସୀ ଚାହାନ୍ତି ପଡ଼ୋଶୀ ବଲାଙ୍ଗୀର ଜିଲ୍ଲା ସହ ସିଧାସଳଖ ସଂଯୋଗ। ଅଞ୍ଚଳର ବିକାଶ ପାଇଁ ବିଜେପୁର ମତଦାତାଙ୍କ ଆଶାର ତାଲିକା ଆହୁରି ଲମ୍ବା।
ବିଜେପୁରର ମତଦାତାଙ୍କ ବିଚାରରେ ମୁଖ୍ୟତଃ ଗ୍ରାମାଞ୍ଚଳ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପ-ନିର୍ବାଚନରେ ଚାଷ ଓ ଚାଷୀଙ୍କ ସମସ୍ୟା ଦ୍ୱିତୀୟ ମୁଖ୍ୟ ପ୍ରସଙ୍ଗ ହେବ। ନିଜ ଅଂଚଳର ବିକାଶକୁ ଗୁରୁତ୍ୱ ଦେଇଥିଲେ ୫୬% ମତଦାତା । ସେହିପରି ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରମୁଖ ପ୍ରସଙ୍ଗ ବୋଲି କହିଥିଲେ ୨୩% ଲୋକ । ଏସବୁ ଭିତରେ ନେତୃତ୍ୱକୁ ୫% ଓ ପ୍ରାର୍ଥୀଙ୍କ ଭାବମୂର୍ତିକୁ ୫% ଜନତା ଗୁରୁତ୍ୱ ଦେଇଥିଲେ । ସେପଟେ ବିଜେପୁରରେ ଅନୁକମ୍ପା ଭୋଟ୍ ସବୁଠାରୁ ବଡ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନୁକମ୍ପା ସପକ୍ଷରେ ମାତ୍ର ୪% ଲୋକ ମତ ରଖିଥିଲେ ଓ ଅନ୍ୟାନ୍ୟ ପ୍ରସଙ୍ଗ ୭% ଭୂମିକା ନେଇ ପାରେ ବୋଲି ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଥିଲା ।

ବୁଣାକାର ବହୁଳ ଏ ନିର୍ବାଚନ ମଣ୍ଡଳୀର ଜୀବନ ଜୀବିକା ସହ ଯୋଡ଼ି ହୋଇଛି ଆଉ ଏକ ପ୍ରସଙ୍ଗ। ବୁଣାକାର ଚାହାନ୍ତି ହାତବୁଣା ଲୁଗା ଉପରୁ ଜିଏସଟି ଛାଡ଼। ନିର୍ବାଚନମଣ୍ଡଳୀର ବୁଣାକାର ପରିବାରଙ୍କ ସଂଖ୍ୟା ଷୋହଳ ହଜାରରୁ ଅଧିକ। ତେଣୁ ଏହି ତିନି ମୁଖ୍ୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଙ୍କର ଆଭିମୁଖ୍ୟ ସେମାନଙ୍କର ଭବିଷ୍ୟତ ନିର୍ଦ୍ଦାରଣ କରିବ ।