ବିଜେପୁର ଉପନିର୍ବାଚନ ସସପେନ୍ସରୁ ଉଠିବ ପରଦା ! କୋର୍ଟରେ ଶୁଣାଣି ଶେଷ , ରାୟ ସଂରକ୍ଷିତ

33

କନକ ବ୍ୟୁରୋ : ଅନିଶ୍ଚତତା ଭିତରକୁ ଠେଲି ହୋଇଯାଇଛି ବହୁଚର୍ଚ୍ଚିତ ବିଜେପୁର ଉପନିର୍ବାଚନ । କାରଣ ହାଇକୋର୍ଟରେ ବିଜେପୁର ନିର୍ବାଚନ ଅନିୟମିତତା ଅଭିଯୋଗରେ ମାମଲା ଚାଲୁ ରଖିବାକୁ ଆବେଦନକାରୀ ପ୍ରସନ୍ନ ଆଚାର୍ଯ୍ୟ କୋର୍ଟକୁ ଅନୁରୋଧ କରିଛନ୍ତି । ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ମାମଲାକୁ ପ୍ରସନ୍ନ ପ୍ରତ୍ୟାହାର କରିନେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ମାମଲାକୁ ଚାଲୁ ରଖିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ ଆବେଦନ କରିବାରୁ ବିଜେପୁର ନିର୍ବାଚନ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।

high courtତେବେ ଆଜି ଏହି ମାମଲାର ଶୁଣାଣି ଶେଷ ହୋଇଛି, ହାଇକୋର୍ଟ ଚୂଡାନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ସେପଟେ କୋର୍ଟରେ ମାମଲା ଥିବାରୁ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ କୋର୍ଟରେ ମାମଲା ଥିବାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇପାରିବ ନାର୍ହିଁ । ଏପଟେ କିଛି ଆଇନ ବିଶେଷଜ୍ଞ କହିଛନ୍ତି, ଉପନିର୍ବାଚନ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିନଥିବାରୁ ନିର୍ବାଚନ କରିବାରେ କିଛି ଅସୁବିଧା ନାହିଁ ।

କ’ଣ ଥିଲା ମାମଲା : ୨୦୧୪ ପଂଚଦଶ ବିଧାନସଭା ନିର୍ବାଚନରେ ବିଜେଡିର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ବିଜେପୁରରୁ ନିର୍ବାଚନ ହୋଇଥିଲେ କଂଗ୍ରେସ ନେତା ସୁବଳ ସାହୁ । ସାରା ରାଜ୍ୟରେ ବିଜେଡିର ହାୱା ବହୁଥିବା ବେଳେ ପ୍ରସନ୍ନଙ୍କୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁବଳ ସାହୁ । କଂଗ୍ରେସର ସୁବଳ ସାହୁଙ୍କୁ ଏହି ନିର୍ବାଚନରେ ମିଳିଥିଲା ୫୩ ହଜାର ୨୯୦ ଭୋଟ । ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ପାଇଥିଲେ ୫୨ ହଜାର ୮୩୨ । ମାତ୍ର ୪୫୮ଟି କମ୍ ଭୋଟ୍ ପାଇ ପରାଜୟର ସ୍ୱାଦ ଚାଖିଥିବା ପ୍ରସନ୍ନ ଅଭିଯୋଗ କରିଥିଲେ ଯେ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି ।

ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରସନ୍ନ । ତେବେ ଅସମୟରେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ହେବା ପରେ ପୁଣି ଥରେ ବିଜେପୁରବାସୀ ସେମାନଙ୍କ ପ୍ରତିନିଧି ବାଛିବା ପାଇଁ ଅବସର ସୃଷ୍ଟି ହୋଇଛି । ହେଲେ ଏଥିରେ ଏବେ କଣ୍ଟା ସାଜିଛି ପ୍ରସନ୍ନ ଆଚାର୍ଯ୍ୟ କରିଥିବା ନିର୍ବାଚନୀ ଅନିୟମିତତା ମାମଲା ।