ଫେବୃୟାରୀ ୨୪ରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି : ଭାରତୀୟ ନିର୍ବାଚନ କମିଶନ

166

କନକ ବ୍ୟୁରୋ :  ସବୁ ପ୍ରତୀକ୍ଷାର ଅବସାନ ଘଟିଛି ଏବେ । ବିଜେପୁରରେ ଫେବୃଆରୀ ୨୪ରେ ଉପ-ନିର୍ବାଚନ । ବରଗଡ ଜିଲ୍ଲା ବିଜେପୁର ବିଧାନସଭା କ୍ଷେତ୍ରରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତାମାସ ୨୪ ତାରିଖରେ ଭୋଟ ଓ ୨୮ ତାରିଖରେ ଗଣତି ହେବ । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୬ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିପାରିବେ । ୭ରେ ଯାଂଚ ଏବଂ ୯ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

ଗତବର୍ଷ ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ନିୟମ ଅନୁସାରେ ୬ ମାସ ମଧ୍ୟରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା କଥା । ଅଗଷ୍ଟ ୨୪ ତାରିଖରୁ ଏହି ଆସନ ଖାଲିପଡିବା ନେଇ ବିଧାନସଭା ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଉପ-ନିର୍ବାଚନ ବିଜ୍ଞପ୍ତିରେ ବିଳମ୍ବକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବାରେ ବିଳମ୍ବକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ ବିଜେଡି ଓ କଂଗ୍ରେସ । ବିଜେପୁର ଉପ-ନିର୍ବାଚନରେ ପ୍ରଥମକରି ଇଭିଏମ ସହ ଭିଭିପାଟ ମେସିନ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତିନେଇଛନ୍ତି ।