ଖୁବଶୀଘ୍ର ବାଜିବ ବିଜେପୁର ବିଗୁଲ ! ତାରିଖ ଘୋଷଣା ନେଇ ସଂକେତ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

33

କନକ ବ୍ୟୁରୋ : ଖୁବଶୀଘ୍ର ବାଜିବ ବିଜେପୁର ବିଗୁଲ୍ । ଉପନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ବିଜେଡି-ବିଜେପି ତୁତୁ ମେମେ ମଧ୍ୟରେ ଉପନିର୍ବାଚନ ନେଇ ସଙ୍କେତ ଦେଇଛନ୍ତି ନିର୍ବାଚନ କମିଶନ । ଉପନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ବିଜେପୁର ବ୍ୟାଟଲକୁ ସରଗରମ କରିଛି ଦଳ ବଦଳ ରାଜନୀତି । ପ୍ରଥମେ କଂଗ୍ରେସ ହାତ ଛାଡି ବିଜେଡିରେ ମିଶିଥିଲେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ । ବିଜେଡି ସୁପ୍ରିମୋ ମାଷ୍ଟର ଷ୍ଟ୍ରୋକ୍ ଖେଳି ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ଅଶୋକ ପାଣିଗ୍ରାହୀ । ସଙ୍ଗେ ସଙ୍ଗେ ପଦ୍ମ ପୋଖରୀକୁ ଲମ୍ଫ ଦେଇଥିଲେ ଏହି ପୂର୍ବତନ ବିଧାୟକ । ଏହାପରେ ଧର୍ମେନ୍ଦ୍ର କ୍ୟାମ୍ପରୁ ଦଳର ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ଛଡାଇ ଆଣିଥିଲା ବିଜେଡି ।

ବିଜେପୁରରେ ବାଜି ଲାଗିଛି ସବୁ ଦଳର ବଳ । ସମସ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ, ବିଜେପୁର ଦଖଲ କରିବ କିଏ? ତାରିଖ ଘୋଷଣା ହୋଇନି ହେଲେ ପ୍ରାର୍ଥୀ ଘୋଷଣା ଅଳ୍ପ ବହୁତ ସରିଲାଣି । ସୁବଳ ସାହୁଙ୍କ ମୃତ୍ୟୁ ପରେ ତିନି ମାସ ହେଲା ଖାଲି ପଡିଛି ବିଧାନସଭା ଆସନ । ଆସନ୍ତା ଫେବୃଆରୀ ୧୮ ତାରିଖ ଅର୍ଥାତ ୬ ମାସ ଭିତରେ ଉପନିର୍ବାଚନ କରିବା ନେଇ ଗାଇଡଲାଇନ୍ ରହିଛି । ଏହାରି ଭିତରେ ଆଜି ନିର୍ବାଚନ ନେଇ ସଙ୍କେତ ମିଳିଛି ।