ବିଜେପୁର ପାଇଁ ସରିଲା ନାମାଙ୍କନ ! ଆଜି ହେବ ପ୍ରାର୍ଥୀପତ୍ର ଯାଂଚ୍, ତ୍ରିମୁଖୀ ଲଢ଼େଇର ପ୍ରଚାର ତାଲିକାରେ ହେବିୱେଟ୍

39

କନକ ବ୍ୟୁରୋ: ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ହେବ ପ୍ରାର୍ଥୀପତ୍ର ଯାଂଚ୍ । ଗତକାଲି ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଆସନ୍ତା ୯ ତାରିଖ ଯାଏଁ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ନାମାଙ୍କନର ଦାଖଲର ଶେଷ ଦିନରେ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପିକୁ ଟକ୍କର ଦେଇ ହଜାର ହଜାର କର୍ମୀଙ୍କୁ ନେଇ ବିଶାଳ ଶୋଭାଯାତ୍ରାରେ ଦମ୍ ଦେଖାଇଛି କଂଗ୍ରେସ ।

ବିଜେପୁରରେ ଜମିବ ହାଇଭୋଲଟେଜ୍ ପ୍ରଚାର । ସବୁ ଦଳର ସମ୍ମାନ ବାଜି ଲାଗିଥିବା ବିଜେପୁରକୁ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମାଗିବେ ଭୋଟ୍ । ବିଜେପୁର ଆସନକୁ ତିନି ତିନି ଥର ନିଜ କବଜାରେ ରଖିଥିବା କଂଗ୍ରେସକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ଦଳର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ବିଜେପୁର ବିଜୟ ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ବି ପ୍ରସ୍ତୁତ ହୋଇଛି । ପ୍ରଚାର ପାଇଁ ଦିଲ୍ଲୀରୁ ଆସିବେ କେନ୍ଦ୍ରୀୟ ନେତା । କେନ୍ଦ୍ରମନ୍ତ୍ରୀ, ସାଂସଦ ଆଉ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ । ରମଣ ସିଂ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ ଓ ରାଧାମୋହନ ସିଂଙ୍କ ଭଳି ନେତା ଓହ୍ଲାଇବେ ପ୍ରଚାର ମୈଦାନକୁ ।

ତେବେ ବିଜେପୁର ପାଇଁ ସରିଲା ନାମାଙ୍କନ । ଆଜି ଠାରୁ ଭୋଟ ଭିଡିବା ପାଇଁ ଆରମ୍ଭ ହେବ ହାଇଭୋଲଟେଜ ପ୍ରଚାର । ବିଜେପୁର ମୈଦାନରେ ମାଳମାଳ ମନ୍ତ୍ରୀ, ନେତା ଓ ଅଭିନେତା ଧରିବେ ପ୍ରଚାରର ମଙ୍ଗ । ତେବେ ସବୁଠାରୁ ବଡ କଥା ହେଲା ଭୋଟରଙ୍କ ମନ ଜିଣିବା ପାଇଁ ଏବେ ନେତାଙ୍କ ଅପେକ୍ଷା ଅଭିନେତାଙ୍କୁ ଗୁରୁତ୍ୱ ଦେଉଛି ଦଳ । ଯେଉଁମାନେ ଅଭିନେତାରୁ ନେତା ପାଲଟିଛନ୍ତି ଦଳ ତାଙ୍କ ହାତରେ ଧରାଇଛି ପ୍ରଚାରର ମଙ୍ଗ । ଆଉ ଏହାର ପ୍ରଥମ ସୋ ନାମାଙ୍କନପତ୍ର ଦାଖଲ ବେଳେ ଦେଖିବାକୁ ମିଳିଛି ।

ତେଣୁ ବିଜେପୁର ନିର୍ବାଚନ ବୈତରଣୀ ପାର ହେବାକୁ ଏବେ ଓଲିଉଡ ଷ୍ଟାର ବିଭିନ୍ନ ଦଳ ପାଇଁ ସାଜିଛନ୍ତି ଟ୍ରମ୍ପକାର୍ଡ । ଖୁବ କମ ସମୟ ହାତରେ ଥିବାରୁ ଫିଲ୍ମ ଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଆଣି ଭୋଟ ହାତେଇବା ପାଇଁ ସବୁ ଦଳ ମନସ୍ଥିର କରିସାରିଲେଣି । ତେଣୁ ଚଳିତ ବିଜେପୁର ଉପନିର୍ବାଚନରେ ବିଜେଡିର ଓଲିଉଡ ବନାମ ବିଜେପିର ଓଲିଉଡ ଭିତରେ ଲାଗିବ ଜୋରଦାର ଲଢେଇ । କାରଣ ଉଭୟ ଦଳରେ ଓଲିଉଡର ବଛା ବଛା କଳାକାର ରହିଛନ୍ତି । ତେଣୁ ପ୍ରଚାର ମୈଦାନରେ ନେତାଙ୍କ ଲଢେଇ ଅପେକ୍ଷା ଓଲିଉଡ ଅଭିନେତାଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ବିଜେପୁର ନିର୍ବାଚନକୁ ଆହୁରି ରଙ୍ଗୀନ କରିବ ।