ଆଗାମୀ ସପ୍ତାହରେ ବିଜେପୁର ନିର୍ବାଚନ ପାଇଁ ବାଜିପାରେ ବିଗୁଲ ! ଜାନୁଆରୀରେ ହେବ କି ନିର୍ବାଚନ ?

22

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଆଉ ସପ୍ତାହକ ମଧ୍ୟରେ ଘୋଷଣା ହୋଇପାରେ । ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଡି. ଏନ୍. ଗୁପ୍ତା ଭେଟିବା ପରେ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବରଗଡ଼ ଜିଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ସୁବଳ ସାହୁଙ୍କର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁ ଘଟିବା ପରେ ଏହି ଆସନ ଖାଲିପଡ଼ିଛି । ଏହି ଆସନକୁ ନେଇ ହାଇକୋର୍ଟରେ ରହିଥିବା ଏକ ମାମଲା ଅକ୍ଟୋବର ମାସରେ ଫଇସଲା ହୋଇଯାଇଛି ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଜଣାଇସାରିଛନ୍ତି ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରାର୍ଥୀଙ୍କ ମୃତ୍ୟୁର ୬ ମାସ ଭିତରେ ଉପନିର୍ବାଚନ ହେବା କଥା । ଆସନ୍ତା ଫେବ୍ରୁଆରୀ ମାସ ପୂର୍ବରୁ ଏଠାରେ ଉପନିର୍ବାଚନ ଶେଷ ହେବ । ମୁଖ୍ୟ ନିର୍ବାଚନ କମିଶନ ଏ ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ବିଜେପୁର ଉପନିର୍ବାଚନ ଏବେ ତିନି ଦଳ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି । ବିଜେପୁର ଉପନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି କମର କଷିବା ଆରମ୍ଭ କରିଥିବା ବେଳେ କଂଗ୍ରେସ ଏହି ରେସରେ ପଛରେ ପଡିଯାଇଛି । ଏପରିକି ବିଜେଡି ଏହି ଆସନ ହାତେଇବା ପାଇଁ ଏକ ନୂଆ ଋଣନୀତି ଆପଣାଇଛି । ତେବେ ଏହି ବିଜେପୁର ଆସନ କିଏ ହାତେଇବ ତାହା ଉପରେ ଏବେ ସମସ୍ତଙ୍କ ନଜର ।