ବିଜେପୁର ଉପ-ନିର୍ବାଚନ ପାଇଁ ଦିନ ୧୨ଟା ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ମତଦାନ : ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ଇଭିଏମରେ ହେଉଛି ସିଲ୍

28

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ବାଜିରେ ଲାଗିଛି ବିଜେପୁର । ପ୍ରାୟ ମାସେ ଧରି ଚାଲିଥିବା ପ୍ରଚାରର କୋଳାହଳ ଆଉ ତମାମ ଶକ୍ତି ପ୍ରଦର୍ଶନ ପରେ ୨୮୧ କେନ୍ଦ୍ରରେ ମତ ସାବ୍ୟସ୍ତ କରୁଛନ୍ତି ବିଜେପୁରବାସୀ । ୨ ଲକ୍ଷ ୨୧ ହଜାର ଭୋଟର, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି । ଦିନ ୧୨ଟା ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେଉଛି । ଭୋଟଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ୍ ଲାଗିଛି । ଏହି ପ୍ରକ୍ରିୟା ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୨ଟି ଫ୍ଲାଇଂ ସ୍କ୍ୱାଡ୍, ୧୨ଟି ଚେକ ପୋଷ୍ଟ ଗଠନ କରାଯାଇଛି । ବିଏସଏଫ ଓ ସିଆରପିଏଫ ଯବାନ ନଜରରେ ରହିଛି ୧୫୫ଟି ସମ୍ବେଦନଶୀଳ ଏବଂ ୨୧ଟି ଅତିସମ୍ବେଦନଶୀଳ ବୁଥ ।

ବିଜେପୁର ଉପନିର୍ବାଚନ ଫାଇଟର କଡା ଟକ୍କର ଚାଲିଥିବା ବେଳେ ବିଜେପୁରର କିଛି ବୁଥରେ ଭୋଟ ଗ୍ରହଣରେ ସମସ୍ୟା ସୃଷ୍ଟି ହୋଇଥିଲା । ଭୋଇପାଲି ୧୦୨ ନମ୍ବର ବୁଥ୍, ବଡସାହସ ବାହାଲ ୨୬୫ ନମ୍ବର ବୁଥ ଓ ଖିନ୍ଦ୍ରାପାଲିର ଗୋଟିଏ ବୁଥରେ ଇଭିଏମ ଖରାପ ହୋଇଯାଇଥିଲା । ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେବେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଇଭିଏମ ମେସିନକୁ ସଜାଡିବା ପରେ ମତଦାନ ଜାରି ରହିଛି । ସେପଟେ ବିଜେପୁର ବରମୁରାର ୧୪୧ନମ୍ବର ବୁଥରେ ଇଭିଏମ ଖରାପ ଯୋଗୁଁ ଦିନ ସାଢେ ୧୧ଟା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ସ୍ୱାମୀଙ୍କ ଦେହାନ୍ତ ପରେ ହେଉଥିବା ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ  । ମତଦାନ ପୁର୍ବରୁ ରୀତା ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି ବିଜେପୁର ବିଜେଡ଼ି ହିଁ ବାଜିମାତ୍ କରିବ । ମୁଖମନ୍ତ୍ରୀ ଆସିବା ପରେ ବିଜେପୁରବାସୀ ଉତ୍ସାହିତ ଅଛନ୍ତି । ଲୋକଙ୍କ ଆଶା ଓ ବିଶ୍ୱାସକୁ ନେଇ କାମ କରିବା ସହ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ସେ କହିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ମଧ୍ୟ ଦୃଢୋକ୍ତ ପ୍ରକାଶ କରିଛନ୍ତି । ମତଦାନ ପୂର୍ବରୁ ପ୍ରତିକ୍ରିୟା ରଖି ଅଶୋକ ପାଣିଗ୍ରାହୀ କହିଛନ୍ତି ବିଜେପୁରରେ ବିଜେପି ହିଁ ବିଜୟ ହେବ । ବିଜେଡି ଶାସନ ସମୟରେ ବିଜେପୁରକୁ ଅଣଦେଖା କରାଯାଇଛି । ରୀତା ସାହୁଙ୍କୁ ଅନୁକମ୍ପା ଭୋଟ ମିଳିବ ନାହିଁ ବୋଲି ଅଶୋକ ପାଣିଗ୍ରାହୀ କହିଛନ୍ତି ।