ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ମତଦାନ ! ଜନତା କରିବେ ନେତାଙ୍କ ଫଇସଲା, ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଭୋଟିଂ

53

କନକ ବ୍ୟୁରୋ: ବିଜେପୁର କାହାର ? ଆଜି ଜନତା କରିବେ ନେତାଙ୍କ ଫଇସଲା । ପ୍ରାୟ ମାସେ ଧରି ଚାଲିଥିବା ପ୍ରଚାରର କୋଳାହଳ ଆଉ ତମାମ ଶକ୍ତି ପ୍ରଦର୍ଶନ ପରେ ଆଜି ଆସିଛି ନିଷ୍ପତି ନେବାର ସମୟ । ୨ ଲକ୍ଷ ୨୧ ହଜାର ଭୋଟର ନିର୍ଦ୍ଧାରଣ କରିବେ, ବିଜେପୁରର ଜନ ପ୍ରତିନିଧି କିଏ ହେବେ । ଆଉ କିଛି ସମୟ ପରେ ଅର୍ଥାତ୍ ସକାଳ ୮ଟାରୁ ୨୮୧ଟି କେନ୍ଦ୍ରରେ ଆରମ୍ଭ ହୋଇଯିବ ମତଦାନ । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଜେପୁର ଉପରେ ନଜର ରଖିଛି ୧୨ଟି ଫ୍ଲାଇଂ ସ୍କ୍ୱାଡ୍ । ୧୨ଟି ଚେକ ପୋଷ୍ଟ, ବାହାର ଗାଡ଼ି ପ୍ରବେଶ ଉପରେ କଟକଣା ଲଗାଯାଇଛି ।୧୫୫ଟି ସମ୍ବେଦନଶୀଳ ଏବଂ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ଉତେଜନା ପ୍ରବଣ ବୁଥରେ ବିଏସଏଫ ଓ ସିଆରପିଏଫ ଯବାନ ମୂତୟନ ବ୍ୟବସ୍ଥା ହୋଇଛି । ଅପରାହ୍ନ ୫ଟା ଯାଏଁ ମତଦାନ ଜାରି ରହିବ ।

ସୂଚନା ଅନୁସାରେ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ୧୨ଟି ସ୍ୱତନ୍ତ୍ର ସ୍କ୍ଵାଡ୍ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ସଶସ୍ତ୍ର ଯବାନ ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରହିବେ। ଏଥିପାଇଁ ବଲାଂଗୀର ଏବଂ ସମ୍ବଲପୁରରୁ ୮ ଲେଖାଏଁ, ନୂଆପଡ଼ାରୁ ୪ଜଣ ମାଜିଷ୍ଟ୍ରେଟ୍ ଆସିଛନ୍ତି । ସମସ୍ତ ପୁଲିଂ ପାର୍ଟ ସୁରକ୍ଷିତ ଭାବେ ବୁଥକୁ ପହଂଚି ସାରିଛନ୍ତି । ଯେଉଁ ୧୨ଟି ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଥିଲା, ଶୁକ୍ରବାର ସଂଧ୍ୟା ସୁଦ୍ଧା ସେଠାରେ ପୁଲିଂ ପାର୍ଟି ପହଂଚିଛନ୍ତି । ଏଥର ବ୍ୟାପକ ସଂଖ୍ୟାରେ ଫୋର୍ସ ମୁତୟନ ରହିବେ। ବିଏସଏଫ୍ ଏବଂ ସିଆର୍ପିଏଫର ୫ କମ୍ପାନୀ ଫୋର୍ସ ପହଂଚିଛନ୍ତି । ଗୋଟିଏ କମ୍ପାନୀ ସମ୍ବେଦନଶୀଳ ବୁଥ ଏବଂ ୪ କମ୍ପାନୀ ବିଭିନ୍ନ ଅଂଚଳରେ ମୋର୍ଚ୍ଚା ସମ୍ଭାଳିବେ । ୩୬ ପ୍ଲାଟୁନ ରାଜ୍ୟ ସଶସ୍ତ୍ର ପୁଲିସ୍ ମଧ୍ୟ ନିର୍ବାଚନ ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ୭୯ଟି ବୁଥ୍ କ୍ରିଟିକାଲ୍ ବୋଲି ଚିହ୍ନଟ ହୋଇଥିଲା । ଏହି ସଂଖ୍ୟା ୧୫୫କୁ ବଢ଼ାଇ ଦିଆଯାଇଛି । ୩୦ ଜଣ ଆଇଆଇସି ଏବଂ ୧୫୦ଜଣ ଏସଆଇ ବାହାର ଜିଲ୍ଲାରୁ ଆସିଛନ୍ତି । ୪୦ଟି ମୋବାଇଲ ପାର୍ଟି ୫ଟି ଲେଖାଏଁ ବୁଥଓ୍ଵାରୀ ତଦାରଖ କରିବେ।

ଗୋଟିଏ ମୋବାଇଲ ପାର୍ଟିରେ ଜଣେ ଅଫିସର, ୫ଜଣ ସଶସ୍ତ୍ର ଯବାନ ଏବଂ ଜଣେ ଲେଖାଏଁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରହିବେ । ୧୨ଟି ସ୍ଥାନରେ ଚେକ୍ ପୋଷ୍ଟରେ ନାକାବନ୍ଦୀ କରାଯାଉଛି । ଏହାବାଦ ୮ଟି ସ୍ୱତନ୍ତ୍ର ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିଛନ୍ତି । ଗୋଟିଏ କମ୍ପାନୀ ଓଡ଼ିଶା ସ୍ୱିଫ୍ଟ ଫୋର୍ସ ମଧ୍ୟ ମୋର୍ଚ୍ଚାରେ ରହିବେ । ୧୫୫ଟି କ୍ରିଟିକାଲ୍ ବୁଥରୁ ୨୦ଟିରେ ଓ୍ଵବ କାଷ୍ଟିଂ, ୨୦ଟିରେ ଭିଡିଓ କାଷ୍ଟିଂ ଏବଂ ୪୦ଟିରେ ମାଇକ୍ରୋ ଅବଜର୍ଭର ରହିବେ । ମୋଟ୍ ୫୩ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିବେ। ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଛି । ସୂଚନାଯୋଗ୍ୟ, ଏଥର ମୋଟ୍ ୨,୨୧,୧୪୯ ଭୋଟର୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରୁ ଗାଇସିଲାଟରେ ୩୪,୯୨୮ ଏବଂ ୩୨,୭୧୩ ଜଣ, ବିଜେପୁରରେ ୪୧,୦୨୯ ଏବଂ ୩୭,୩୦୮, ବରପାଲିରେ ୩୧,୨୩୭ ଏବଂ ୨୭,୮୩୭ ଏବଂ ବରପାଲି ଏନଏସିରେ ୮,୨୨୩ ଏବଂ ୭,୮୫୫ ଜଣ ଯଥାକ୍ରମେ ପୁରୁଷ ଓ ମହିଳା ଭୋଟର୍ ଅଛନ୍ତି ।

ଉପନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଭାରତର ନିର୍ବାଚନ କମିସନ୍ କଡ଼ା ନଜର ରଖିଛନ୍ତି । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିଂ ଟିମ୍ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସବୁ ନେଇ ପହଞ୍ଚି ସାରିଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜର୍ଭର୍ମାନେ ରହିବେ । ନିର୍ବାଚନ କମିସନଙ୍କ ପକ୍ଷରୁ ନିୟମିତ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି ଓ ସ୍ଥିତିର ସମୀକ୍ଷା କରାଯାଉଛି । ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସଭାରେ ଚପଲ ଫିଙ୍ଗାଯିବା ଓ ସୋହେଲାରେ ଘଟିଥିବା ଗୁଳିକାଣ୍ଡ ପରିପ୍ରେକ୍ଷୀରେ ଅତିରିକ୍ତ ସୁରକ୍ଷା ବନ୍ଦୋବସ୍ତ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି । ବିଶେଷ କରି ମାଇକ୍ରୋ ଅବଜର୍ଭର୍ ଓ ପାରାମିଲିଟାରି ଫୋର୍ସ ମୁତୟନ ମାମଲାରେ ଆଦୌ କୋହଳ ନ ହେବା ପାଇଁ ନିର୍ବାଚନ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି ।