ସରଗରମ ହେଉଛି ବିଜେପୁର ଉପ-ନିର୍ବାଚନ : ବିଜେପି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିବେ ଦୁଇ କେନ୍ଦ୍ରମନ୍ତ୍ରୀ, ମିଶ୍ରଣ ପର୍ବରେ ଶକ୍ତି ଦେଖାଇବ ଦଳ

39

କନକ ବ୍ୟୁରୋ : ପ୍ରଚାରରେ ଫାଟି ପଡୁଛି ବିଜେପୁର । ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଯେତିକି ପାଖେଇ ଆସୁଛି ସମଗ୍ର ରାଜ୍ୟରେ କଳ୍ପନାଜଳ୍ପନା ଜୋର ଧରୁଛି । ଉପ-ନିର୍ବାଚନ ପ୍ରଚାର କୋଳାହଳରେ ମଧ୍ୟ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀ । ମାଇକ ପ୍ରଚାର, ସଭା, କର୍ମୀ ସମ୍ମିଳନୀ, ନେତାଙ୍କ କବାଟ କିଳା ବୈଠକ, ଦୁଆର ଦୁଆର ବୁଲି ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ଏମିତି କେତେ କ’ଣ । ଯେଉଁ ଅଞ୍ଚଳକୁ ଗଲେ ନିର୍ବାଚନ ତାତି ସ୍ପଷ୍ଟ ପରିପୁଷ୍ଟ ହେଉଛି । ସିନେ ତାରକାଙ୍କଠୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟସ୍ତରର ମନ୍ତ୍ରୀ ଓ ନେତାଙ୍କ ଗହଳି ଲାଗିଛି ବରଗଡ ଜିଲ୍ଲା ବିଜେପୁରରରେ । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦ୍ୱିତୀୟ ଦିନ ପାଇଁ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ।

dharmendra pradhan

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରଚାର କରିସାରିଛନ୍ତି । ତୃତୀୟ କେନ୍ଦ୍ରମନ୍ତ୍ରୀ ଭାବେ ଆଜି ସାଧ୍ୱୀ ନିରଞ୍ଜନ ଜ୍ୟୋତି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେପଟେ ବିଜେପିରେ ଆଜି ମିଶ୍ରଣ ପର୍ବ କରି ଶକ୍ତି ଦେଖାଇବ ଦଳ । ଦିନ ପ୍ରାୟ ୧୦ଟାରେ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ତୃଣମୂଳସ୍ତରର ଅନେକ ନେତା ଓ କର୍ମୀ ଯୋଗଦେବା ସୂଚନା ରହିଛି । ସେହିପରି ବରପାଲିରେ ରୋଡ ସୋ ଓ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଗାଇସିଲଟ ବ୍ଲକରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବେ ସାଧ୍ୱୀ ନିରଞ୍ଜନ ଜ୍ୟୋତି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ବିଜେଡିର ନିର୍ବାଚନୀ ପ୍ରଚାରକୁ ସମାଲୋଚନା କରିଛନ୍ତି । ବିଜେପୁର ବାଜି ଜିତିବାକୁ ବିଜେଡି ସବୁ କଳ କୌଶଳ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ।