ବିଜେପୁର ଉପ-ନିର୍ବାଚନ ପାଇଁ ସରିଲା ପ୍ରଚାର, ଆସନ୍ତାକାଲି ମତଦାନ : ବିଭିନ୍ନ ସ୍ଥାନରେ ନେତାଙ୍କ ଅନ୍ଧାରୀ ବିଜେ

48

କନକ ବ୍ୟୁରୋ : ଦୀର୍ଘ ଦୁଇ ସପ୍ତାହ ଧରି ବିଜେପୁର ନିର୍ବାଚନମଣ୍ଡଳୀରେ ଚାଲିଥିବା ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ସରିଥିବା ବେଳେ ଆସନ୍ତାକାଲି ହେବ ମତଦାନ । ଭୋଟ୍ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଉପ-ନିର୍ବାଚନକୁ ସୁରୁଖୁରୁରେ ସାରିବା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବିଜେପୁର ଉପନିର୍ବାଚନ ପାଇଁ ୨୮୧ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିରୁ ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨୦ଟି ବୁଥର ମତଦାନ ଉପରେ ନଜର ରଖିବା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିପରି ୨୦ଟି ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ୪୦ଟି ବୁଥରେ ମାଇକ୍ରୋ ଅବଜରଭର ରହିବେ । ପ୍ରଚାର ସମୟରେ ଟଙ୍କା ଜବତ ଏବଂ ହିଂସାକାଣ୍ଡ ଭଳି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ସମୟରେ ଯେମିତି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ବିଜେପୁରର ମତଦାନ ପୂର୍ବରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଜେପୁର ପୋଲିସ ପୁନାଗାଁର ଅନି ନାୟକଙ୍କ ଖଳାରେ ଚଢଉ କରିଥିଲା । ଏଠାରୁ ୨୩୭୦ ବୋତଲ ବିଦେଶୀ ମଦ ଜବତ କରିଥିଲା । ଏହି ଘଟଣାରେ ଅନି ନାୟକକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ । କେଉଁଠୁ ଏତେ ପରିମାଣ ମଦ ଆସିଥିଲା ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ ଥିଲା ସେନେଇ ତନାଘନା ଜାରି ରହିଛି । ନିର୍ବାଚନ ପ୍ରଚାର ଅବସରରେ ଦୁଇ ଥର ବିପୁଳ ପରିମାଣ ଟଙ୍କା ଜବତ ହୋଇଥିଲା । ଅନ୍ୟପଟେ ଏତେ ପରିମାଣ ମଦ ଜବତ ହେବା ପରେ ଏହା କାହିଁକି ରଖାଯାଇଥିଲା ସେନେଇ ତଦନ୍ତ ଚାଲିଛି ।

ଏପଟେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ପାରଦର୍ଶିତା, ଅନୁକମ୍ପା, ପ୍ରଚାର ତରିକା, ନିର୍ବାଚନୀ ପ୍ରସଙ୍ଗ ଓ ଏହି କିଛି ଦିନ ମଧ୍ୟରେ ସୃଷ୍ଟି ହୋଇଥିବା ଏକାଧିକ ବିବାଦକୁ ସାମ୍ନାରେ ରଖି କାହା ସପକ୍ଷରେ ମତ ଦେବେ ସେ ନେଇ ଭୋଟର ତର୍ଜମା ଆରମ୍ଭ କରିଦେଲେଣି । ଗତକାଲି ରାତି ଯାଏ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ଏକ ବଡ଼ ସଂଖ୍ୟାର ଭୋଟର ନିର୍ଦ୍ଦିଷ୍ଟ କେଉଁ ଦଳ ସପକ୍ଷରେ ରାୟ ଦେବେ ତାହା ନିର୍ଣ୍ଣୟ କରିନାହାନ୍ତି ବୋଲି ଆମକୁ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଥିଲେ । କିନ୍ତୁ ଅଧିକାଂଶ ମତ ସୂଚାଇ ଦେଉଛି ଯେ ଚିରାଚରିତ ପ୍ରକ୍ରିୟାରୁ ଓହରିଯାଇ ଏକ ବଡ଼ ପରିବର୍ତ୍ତନ ଲାଗି ସେମାନେ ମନ ବଳାଇଛନ୍ତି । ତାଙ୍କ ମପାଚୁପା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରାଇଥିଲେ । ଦୁର୍ନୀତି, ଭ୍ରଷ୍ଟାଚାରଠାରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀକୁ ସରକାର କିଭଳି ଅବହେଳା କରିଛନ୍ତି ସବୁ କାର୍ଡ ଏମାନେ ଖେଳିଛନ୍ତି । ହେଲେ ଏସବୁ ଭୋଟରଙ୍କ ମନରେ ବିଜେଡି ବିରୋଧରେ କ୍ରୋଧ ସୃଷ୍ଟି କରିବାରେ ସକ୍ଷମ ହୋଇଛି କି ? ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ତୁଙ୍ଗନେତାମାନେ ସେମାନଙ୍କ ସାମ୍ନାରେ ରଖିଥିବା ପ୍ରତିଶ୍ରୁତିକୁ ବିଶ୍ୱାସ ବା ଭରସା କରିବେ ? ଏମିତି ଦ୍ୱନ୍ଦ୍ୱ ଭିତରେ ଭୋଟରେ ଏବେ ବି ଗତି କରୁଛନ୍ତି ।