ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ ! ସେପଟେ, ବିଜେଡିକୁ ଟକ୍କର ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଆଣିଲା ବିଜେପି

22

କନକ ବ୍ୟୁରୋ: ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେପଟେ ବିଜେପି ପାଇଁ ପ୍ରଚାର ପାଇଁ ମୈଦାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବରପାଲିରେ ନବୀନଙ୍କ ନିର୍ବାଚନୀ ସଭା ଚାଲିଥିବା ବେଳେ ଗାଇସିଲରେ ଚାଲିଛି ସ୍ମୃତି ଇରାନୀଙ୍କ ନିର୍ବାଚନୀ ସଭା । ମୁହାଁମୁହିଁ ହେବେ ନବୀନ ଓ ସ୍ମୃତି । ମାଳ ମାଳ ନେତା ଓ ଅଭିନେତାଙ୍କ ପ୍ରଚାର ଭିତରେ ଆଜି ବିଜେପୁରରେ ଗଡିବ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡ଼ି ।

ଦୀର୍ଘ ୪ ମାସ ଧରି ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ କରିଥିବା କ୍ଷେତ୍ରରେ ଚୁଡ଼ାନ୍ତ ସ୍ପର୍ଶ ଦେବା ସହ ୬ କିଲୋମିଟର ଧରି ରୋଡ୍ ସୋ କରିବେ ନବୀନ । ଆଜି ପ୍ରଚାର କରିବା ସହ ବରଗଡରେ ରାତ୍ରିଯାପନ କରିବେ ନବୀନ । ପୂର୍ବରୁ କେବେ ଏପରି ହୋଇନଥିବା ବେଳେ ଆଜି ପ୍ରଥମ ଥର ପାଇଁ ନବୀନ ରାଜଧାନୀ ଭୁବନେଶ୍ୱରରୁ ବହୁ ଦୂର ବରଗଡରେ ରାତିରେ ରହିବେ । ଆଉ ଆସନ୍ତାକାଲି ବିଜେପୁର ଏବଂ ବରପାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆଜି ପ୍ରଚାର ଲଢେଇକୁ ଓହ୍ଲାଇଛନ୍ତି । ଏହା ସହ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ ମଧ୍ୟ ବିଜେପୁରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।