ବିଜେପୁର ଉପ-ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ ! ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ, ଶୋଭାଯାତ୍ରା କରି ଶକ୍ତି ଦେଖାଇବ ଦଳ

38

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଜି ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଆଜି ନାମାଙ୍କନ ଦାଖଲ କରିବେ ରୀତା ସାହୁ । ସେଇଥିପାଇଁ ଦୁଇ ଦିନ ତଳୁ ବିଜେପୁରରେ ବିଜେଡି ନେତା ଓ କାର୍ପଟଦାର ଡେରା ପକାଇ ରହିଛନ୍ତି । ବିଜେଡି ନେତା, କର୍ମୀ ଓ ସମର୍ଥକଙ୍କ ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ ଠାରେ ରୀତା ସାହୁ ନାମାଙ୍କନ ଦାଖଲ କରିବେ । ଦଳ ପ୍ରାର୍ଥୀପତ୍ର ଆଳରେ ଶକ୍ତିପ୍ରଦର୍ଶନ ଯୋଜନା କରିଥିବା ଜଣାପଡିଛି । ସେପଟେ, ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଦଳ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ତେବେ ପ୍ରଣୟଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରଣୟଙ୍କ ନାଁ ଘୋଷଣା କରିବା ପରେ ବିଜେପୁର ମୈଦାନରେ ଲଢେଇ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ ହୋଇଛନ୍ତି ।

ଉଲ୍ଲେଖଥାଉ କି, ବିଜେପୁର ନିର୍ବାଚନ ପାଇଁ ନୂଆ ଚେହେରା କିନ୍ତୁ ବିଜେପୁର ବାସୀଙ୍କ ପାଇଁ ନୂଆ ନୁହଁନ୍ତି ରୀତା । କେବଳ ଦଳ ପରିବର୍ତ୍ତନ କରି କଂଗ୍ରେସ ଛାଡି ବିଜେଡି ହାତ ଧରିଛନ୍ତି ରୀତା । ଚଳିତ ଉପନିର୍ବାଚନରେ ରୀତା ସାହୂଙ୍କୁ ସପକ୍ଷରେ ଅନୁକମ୍ପାର ଭୋଟ ଦେଖିବାକୁ ମିଲିବ । କାରଣ ତାଙ୍କ ସ୍ୱାମୀ ସ୍ୱଗତଃ ସୁବଳ ସାହୁ ବିଜେପୁର ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ଏକରକମ ସୁବଳ ସାହୁଙ୍କ ଗଡ ଭାବେ ପରିଚିତ ଥିଲା । ତେବେ ତାଙ୍କ ଦେହାନ୍ତ ପରେ ସେହି ଆସନରୁ ପ୍ରଥମଥର ନିର୍ବାଚନର ସାମ୍ନା କରିବେ ରୀତା । ତେଣୁ ସୁବଳଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ରୀତା ସାହୁଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ଏହା ତାଙ୍କ ବିଜୟପଥକୁ ସୁଗମ କରିବ ବୋଲି ତାଙ୍କର ସମର୍ଥକ କହିଛନ୍ତି ।

ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁଙ୍କ ସପକ୍ଷରେ ଅନୁକମ୍ପା ଯିବାର ଧାରଣା ହିଁ ତାଙ୍କୁ ଆଜି ଶକ୍ତିଶାଳୀ କରିଛି । ଠିକ ଯେମିତି ୧୯୯୧ରେ ହୋଇଥିଲା । ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୀତିର ଧାର ଧରିନଥିବା ରୀତା ସାହୁଙ୍କୁ ନବୀନ ଆଗକୁ ଆଣି ବିଜେପୁରରେ ବିଜେଡିର ପଲ୍ଲାକୁ ମଜଭୁତ କରିଛନ୍ତି । ତେଣୁ ୧୯୯୧ ଭଳି ରୀତା ସାହୁ ମଧ୍ୟ ଅନୁକମ୍ପାମୂଳକ ଭୋଟ ହାତେଇବେ ବୋଲି ଦୃଢ ଆଶାବାଦୀ ଅଛନ୍ତି ।ଏସବୁ ବାଦ ରୀତାଙ୍କ ବିଜୟର ଆଉ ଏକ ଟ୍ରମ୍ପକାର୍ଡ ହେଉଛି ନବୀନଙ୍କ ଲୋକପ୍ରିୟତା ସାଙ୍ଗକୁ ବିଜେପୁର ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜେପୁର ପାଇଁ ବିଭିନ୍ନ ଯୋଜନା ଘୋଷଣା କରି ଯେଉଁଭଳି ଟଙ୍କାର ଭଣ୍ଡାର ଖୋଲିଛନ୍ତି ତାହା ରୀତାଙ୍କ ବିଜୟରେ ବେଶ ସହାୟକ ହେବ । ନବୀନଙ୍କ ଲୋକପ୍ରିୟତା ମଧ୍ୟ ବିଜେପୁର ଉପନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସେହିଭଳି ରୀତା ସାହୁଙ୍କ ବିଜୟ ପଥରେ କଣ୍ଟା ସାଜି ପାରେ ଦଳୀୟ କନ୍ଦଳ । ରୀତା ସାହୁଙ୍କୁ ବିଜେଡିରେ ମିଶାଇ ପ୍ରାର୍ଥୀ ଘୋଷଣା କରିବା ଅନେକ ଦଳୀୟ ନେତାଙ୍କ ହଜମ ହୋଇନାହିଁ । ଏପରିକି ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳ ଛାଡି ପଦ୍ମ ପୋଖରୀରେ ଯୋଗ ଦେଇ ଟିକେଟ ହାତେଇ ସାରିଛନ୍ତି । ତେଣୁ ରୀତା ସାହୁଙ୍କ ପାଇଁ ବିଜେପୁର ଉପନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହୋଇପାରେ । ତାଛଡା ରୀତା ସାହୁ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ମୁହଁ । ତେଣୁ ତାଙ୍କୁ ଜନସାଧାରଣ ଗ୍ରହଣ କରିବେ କି ନାହିଁ ତାହା ଏକ ବଡ ପ୍ରଶ୍ନବାଚୀ ।

ବିଜେପୁର ଲଢେଇ ପାଇଁ ତିନି ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ଲଢୁଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ ପାଣିଗ୍ରାହୀ । ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ ପ୍ରଣୟଙ୍କ ନାଁରେ ମୋହର ମାରିଛି କଂଗ୍ରେସ ।