ବିଜେପୁରରୁ ବିଜେପିର କିଏ ? ୧୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେପୁର ପାଇଁ ଛିଣ୍ଡୁନି ଅଙ୍କ ।

343

କନକ ବ୍ୟୁରୋ: ବିଜେପୁର ବିଧାନସଭା ଆସନ ପାଇଁ ଦ୍ୱନ୍ଦରେ ବିଜେପି । କାରଣ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢ଼ିବାକୁ ଖୋଦ୍ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ୍ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ ବାଛିଥିବାବେଳେ ବିଜେପି ଏଠାରେ ନବୀନଙ୍କୁ ସାମ୍ନା କଲାଭଳି ପ୍ରାର୍ଥୀ ଖୋଜିବାରେ ଦ୍ୱନ୍ଦରେ ରହିଛି । ସବୁଠାରୁ ବଡ଼କଥା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ବିଭିନ୍ନ ପର୍ଯ୍ୟାୟ ପାଇଁ ୧୫ଟି ଲୋକସଭା ଏବଂ ୧୨୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଜେପିରକୁ ନେଇ ସସପେନ୍ସରେ ରହିଛି ଦଳ ।

ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ କାର୍ଡ ଖୋଲିଥିବା ବେଳେ ବିଜେପି ପାଇଁ ଏଠାରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଏବଂ ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖିଥିବା ବିଜେଡି ସୁପ୍ରିମୋଙ୍କୁ ମାତ୍ ଦେବା ପାଇଁ ବିଜେପି ମଧ୍ୟ ଏଠାରୁ ଜଣେ ହେଭିୱେଟଙ୍କୁ ଓହ୍ଲାଇବା ପାଇଁ ବିଳମ୍ବ କରୁଥିବା ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । କିନ୍ତୁ କିଏ ନବୀନଙ୍କ ଟକ୍କର ଦେବ ସେନେଇ ବିଜେପି ଶିବିରର ଅଙ୍କ ଅଛିଣ୍ଡା ରହିଛି ।

ଅନ୍ୟପଟେ ବିଜେପୁର ପାଇଁ ବରଗଡ଼ ଲୋକସଭା ଆସନରୁ ଗତଥର ବିଜେପି ପ୍ରାର୍ଥୀ ହୋଇଥିବା ସୁବାଷ ଚୌହାନଙ୍କ ନାଁ ଶୁଣିବାକୁ ମିଳୁଛି । କାରଣ ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଥିବାବେଳେ ସୁବାଷଙ୍କୁ ମନାଇବା ପାଇଁ ଏଠାରୁ ଦଳ ତାଙ୍କୁ ବାଛିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ସମୀକରଣ ହୁଏ ତେବେ ବିଜେପି ବିଜୟ ସମ୍ଭାବନା କେତେଦୂର ରହିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।