ନବୀନ ସରକାରଙ୍କୁ ହିସାବ ମାଗିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂରଣ ହୋଇସାରିଛି । ତେବେ ସରକାରଙ୍କୁ ଗତ ଗୋଟିଏ ବର୍ଷର ହିସାବ ମାଗିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୟ କହିଛନ୍ତି ଗତ ଏକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୧୬ ହଜାର ୧୦୫ କୋଟି ୨୭ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରି ନାହାନ୍ତି । ଫଳରେ ଏହି ଟଙ୍କା ଫେରିଯାଇଥିବା ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର । ରାଜ୍ୟ ସରକାର ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବାରେ ଅସମର୍ଥ ହୋଇଥିବାବେଳେ ଗତବର୍ଷ ପିଇବା ପାଣି ବାବଦକୁ ୧୨୮ କୋଟି ୨୩ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ନକରି ଫେରାଇ ଦେଇଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ଗୋଦାମ ନିର୍ମାଣ ବାବଦକୁ ୧୫୦ କୋଟି ଟଙ୍କା ଫେରିଯାଇଛି । କେନ୍ଦ୍ରୀୟ ଅବହେଳା କଥା କହି ରାଜ୍ୟ ସରକାର ରାଜନୀତି କରୁଥିବାବେଳେ ନବୀନ ସରକାର କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନଥିବା ନେଇସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ସେହିପରି ଗୁରୁତ୍ୱପୂର୍ଣ୍ଣ ଜଗମୋହନ ମରାମତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସେ ନିନ୍ଦା କରିଛନ୍ତି ।

ସେପଟେ ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ ।