କାହା ସାର୍ଟିଫିକେଟ ଅରିଜିନାଲ?

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହା ସାର୍ଟିଫିକେଟ୍ ଅରିଜିନାଲ୍ । ବିଜେପିର ନା ବିଜେପି ସରକାରର । ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ଆଜି ରାଜ୍ୟ ବିଜେପି ନବୀନ ସରକାରଙ୍କ ଉପରେ ଆକ୍ରମଣ କରି କହିଛି. ରାଜ୍ୟ ସରକାର ଟଂକା ଖର୍ଚ କରିପାରୁନାହାଁନ୍ତି । ବିଜୟ ମହାପାତ୍ର ଏସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଗୋଟିଏ ବର୍ଷରେ ୧୬ ହଜାର କୋଟି ଖର୍ଚ ହୋଇନପାରି କେନ୍ଦ୍ରକୁ ଫେରିଯାଇଛି । ଆଉ ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ ଓଡିଶା ଆସି କହିଛନ୍ତି, ନବୀନ ସରକାର ଖୁବ୍ ଭଲ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ପ୍ରଦର୍ଶନ ଉଚ୍ଚକୋଟିର ବୋଲି କହିଛନ୍ତି । ପ୍ରଶ୍ନ ଉଠୁଛି କିଏ ଠିକ୍ । ରାଜ୍ୟ ବିଜେପି ନା କେନ୍ଦ୍ର ବିଜେପି ସରକାର ।

ତେବେ କିଛି ଦିନ ଆଗରୁ କେନ୍ଦ୍ରୀୟ ଅନୁଦାନ ବ୍ୟବହାର କରିବାରେ ରାଜ୍ୟ ଫେଲ ମାରୁଥିବା କହି ନବୀନ ସରକାରକୁ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ଅର୍ଥ ବ୍ୟବହାର ନ’ହୋଇ ଫେରିଯିବା ଓଡିଶା ଲୋକଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ହକରୁ ବଂଚିତ କରିବା ସହ ସମାନ । ଆଉ ଏହାର କଡା ଜବାବ ରଖି ବିଜେଡି କହିଥିଲା, କେନ୍ଦ୍ରମନ୍ତ୍ରୀ ପ୍ରଥମେ ହୋମୱାର୍କ କରନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଛି ଆଉ ରାଜ୍ୟ କିଭଳି ଖର୍ଚ୍ଚ କରିନି ତାର ତାଲିକା ଦେବାକୁ ଆହ୍ୱାନ ବି ଦେଇଥିଲା ।

ରାଜ୍ୟକୁ କେନ୍ଦ୍ର ଦେଉଛି ସାର୍ଟିଫିକେଟ । ଆଉ ବିଜେପିର ରାଜ୍ୟ ସ୍ତରୀୟ ନେତୃତ୍ୱ ସରକାର ଅପାରଗ ଓ ଟଙ୍କା ଖର୍ଚ୍ଚ ବିଫଳ ନେଇ ମର ତଖିଛନ୍ତି । ପ୍ରଶ୍ନ ଉଠୁଛି, କିଏ ସତ କହୁଛି ଆଉ କାହାର ତଥ୍ୟ ଭୁଲ । ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଥିବା ରାଜନୈତିକ ଶତ୍ରୁତା ଯୋଗୁଁ ଏଭଳି ବକ୍ତବ୍ୟ ଦିଆଯାଉଛି କି? ଭୋଟ ବ୍ୟାଙ୍କ ହାତେଇବାକୁ ଓ ରାଜନୈତିକ ମୁଦ୍ଦା ତିଆରି କରିବାକୁ କେନ୍ଦ୍ର ଓ ରାଜ୍ୟ ବିକାଶ ଓ ଅବହେଳାର ପ୍ରସଙ୍ଗ ଉଠାଉଛନ୍ତି କି?