ଅନ୍ୟ ନେତାଙ୍କୁ ପାଖରେ, ବିଜୟଙ୍କ ଠାରୁ ଦୂରରେ? ସିଟ୍ ଦେଉଛି ଭିନ୍ନ ସଂକେତ?

922

କନକ ବ୍ୟୁରୋ : ପାର୍ଟିକୁ ଫେରାଇ ଆଣିଲେ କିନ୍ତୁ ପାଖରେ ବସାଇଲେ ନାହିଁ । ଏଭଳି ଏକ ଚିତ୍ର ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଯେତେବେଳେ ଦୀର୍ଘ ୪ ମାସ ପରେ ବିଜୟ ମହାପାତ୍ର ପୁଣିଥରେ ଘରବାହୁଡା କରିଥିଲେ ସେତେବେଳେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିଲା । ରାଜ୍ୟ ବିଜେପିର ପାୱାର ସେଣ୍ଟ ର କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ସହ ବିଜୟ ମଞ୍ଚ ସେୟାର କରିଥିଲେ ସତ । କିନ୍ତୁ ଧର୍ମେନ୍ଦ୍ରଙ୍କ ପାଖରେ ବିଜୟଙ୍କୁ ଦେଖିବାକୁ ମିଳିନଥିଲା । ଧର୍ମେନ୍ଦ୍ରଙ୍କ ସିଟର ଗୋଟିଏ ସିଟ ପରେ ବସିଥିଲେ ବିଜୟ । ଆଉ ଦୁହିଁ ନେତାଙ୍କ ନିକଟତାକୁ ଦୂରତାରେ ପରିବର୍ତ୍ତନ କରିଥିଲା ମଝିରେ ପଡିଥିବା ଚେୟାର ଯେଉଁଥିରେ ବସିଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ଆଉ ଏଭଳି ଚିତ୍ର ପୁଣିଥରେ ଏକ ଭିନ୍ନ ସଂକେତ ଦେଉଥିଲା । ଲାଗୁଥିଲା ବିଜୟ ଦଳରେ ମିଶିଛନ୍ତି ସତ କିନ୍ତୁ ଏଯାଏଁ ଉଭୟ ନେତାଙ୍କ ମନ ମିଶିନାହିଁ ।

ବିଜୟ ଓ ଧର୍ମେନ୍ଦ୍ରଙ୍କ ବସିବା ଆସନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ପଟେ ରାଜ୍ୟ ରାଜନୀତିର ଅନ୍ୟ ହେଭିୱେଟ ନେତାଙ୍କ ସ୍ୱାଗତ ସଭାରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ବିଜୟଙ୍କ ସ୍ୱାଗତ ସଭାରେ ନୂଆ ଏକ ଚିତ୍ର ଦେଖିବାକୁ ମିଳିଥିଲା । ଖାସକରି ଧର୍ମେନ୍ଦ୍ର ଓ ବିଜୟଙ୍କ ଆସନ ମଧ୍ୟରେ ଯେଉଁ ଦୂରତା ରହିଥିଲା ତାହା ଅନେକ କିଛି ଦିଗକୁ ଇଙ୍ଗିତ କରୁଥିଲା । କାରଣ ପୂର୍ବରୁ ବିଜେପିର ସ୍ୱାଗତ ସଭା ହେଉ ଅବା ମିଶ୍ରଣ ପର୍ବରେ ପର ଶିବିରର ନେତାଙ୍କୁ ଧର୍ମେନ୍ଦ୍ରଙ୍କ ପାଖ ସିଟରେ ଦେଖିବାକୁ ମିଳିଥିଲା । ଏପରିକି ଅନ୍ୟ ଶିବିରର ଯେଉଁ ନେତା ଦଳରେ ଯୋଗ ଦେଉଥିଲେ ତାଙ୍କୁ ଧର୍ମେନ୍ଦ୍ର ନିଜ ପାଖ ସିଟରେ ବସାଇଥିବାର ନଜିର ରହିଛି । କିନ୍ତୁ ବିଜୟଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଏହି ଫର୍ମୁଲା ବୋଧ ହୁଏ ବଦଳିଯାଇଥିଲା ।

ଦିଲ୍ଲୀରୁ ପଲ୍ଲୀ । ବିଜେପି ପାର୍ଟି ଅଫିସ ହେଉ ଅବା କେଭିଙ୍କ ରାଜପ୍ରାସାଦ । ପ୍ରତିଟି ସ୍ୱାଗତ ସଭା ଓ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଉଥିବା ନେତାଙ୍କ ପାଖେ ପାଖେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁଥିଲା । ଏପରିକି ଅନ୍ୟ ନେତାଙ୍କୁ ଆଉ କେଉଁ ସିଟରେ ବସିବାକୁ ଇଙ୍ଗିତ କରି ଦଳରେ ମିଶିଥିବା ନୂଆ ଯୋଦ୍ଧାଙ୍କ ପାଖରେ ନିଜ ପାଇଁ ସିଟ ରଖୁଥିଲେ ଧର୍ମେନ୍ଦ୍ର । ବୈଜୟନ୍ତ, ଦାମ , ପ୍ରକାଶ, ବଳଭଦ୍ର, ପ୍ରତ୍ୟୁଷା, ଖାରବେଳ ସ୍ୱାଇଁଙ୍କ ଭଳି ତୁଙ୍ଗ ନେତାଙ୍କୁ ଦଳରେ ମିଶାଇବା ସହ ପାଖରେ ବସିବାର ଆଦୌ ସୁଯୋଗ ହାତଛଡା କରୁନଥିଲେ ଧର୍ମେନ୍ଦ୍ର । କିନ୍ତୁ ଦଳର ପୁରୁଣା ସିପାହୀ ବିଜୟଙ୍କ ପାଇଁ ବୋଧହୁଏ ସେତିକି ଉତ୍ସାହ ଦେଖାଇନଥିଲେ ଧର୍ମେନ୍ଦ୍ର ।

ପୁରୁଣା କଥାକୁ ଭୁଲି ବିଜୟ ପୁଣିଥରେ ଦଳକୁ କମବ୍ୟାକ୍ କରିଥିବା ବେଳେ ବୋଧହୁଏ ଧର୍ମେନ୍ଦ୍ର ପୁରୁଣା କଥାକୁ ଭୁଲି ନାହାନ୍ତି । କାରଣ ପୂର୍ବରୁ ଅନେକ ସମୟରେ ଧର୍ମେନ୍ଦ୍ରଙ୍କୁ ନେଇ ବୁଲେଇ ବଙ୍କେଇ ବାଣ ମାରିଛନ୍ତି ବିଜୟ । ଏପରିକି ପଞ୍ଚାୟତ ନିର୍ବାଚନ ପରେ ପରେ ଉଭୟ ନେତାଙ୍କ ମଧ୍ୟରେ ସର୍ମ୍ପକ ତିକ୍ତ ହୋଇଥିଲା । ଏପରିକି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ରାଜ୍ୟ ବିଜେପିକୁ ନିଜ କବଜାରେ ନେଇଥିବା ବେଳେ ବିଜୟଙ୍କୁ କୋଣଠେସା କରି ରଖାଯାଇଥିଲା । ଏପରିକି ଏନେଇ ରାଜ୍ୟ ବିଜେପିର କିଛି ନେତାଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ ବିଜୟ । ଆଉ ପରେ ପରେ ଗତ ନଭେମ୍ବର ୩୦ରେ ବିଜେପିକୁ ବାଏ ବାଏ କରିଥିଲେ ବିଜୟ ।

ତେବେ ଇସ୍ତଫା ଦେବାର ୪ ମାସ ପରେ ଦଳକୁ ଫେରିଛନ୍ତି ବିଜୟ । କିନ୍ତୁ ଏହାକୁ ବୋଧହୁଏ ସହଜରେ ହଜମ କରିପାରିନାହାନ୍ତି ଧର୍ମେନ୍ଦ୍ର । ବିଜୟ ଓ ଧର୍ମେନ୍ଦ୍ରଙ୍କ ବସିବା ଆସନ ହିଁ ଏହିଭଳି କିଛି ସଂକେତ ଦେଉଥିବା ଚର୍ଚ୍ଚା ହେଉଛି । ଉଭୟଙ୍କ ଆସନ ମଧ୍ୟରେ କେବଳ ଦୂରତା ସୀମିତ ହୋଇ ରହିନାହିଁ ବରଂ ଏହା ସଂକେତ ଦେଇଛି ଯେ, ଏବେ ମଧ୍ୟ ବିଜୟଙ୍କୁ ନେଇ ଏବେ ମଧ୍ୟ ବିଜେପି ଶିବିରରେ ସବୁକିଛି ଠିକ୍ ନାହିଁ ।