ଗୁଜରାଟରେ ରୂପାନୀ ରାଜ୍, ବଜାୟ ରଖିଲେ ମୁଖ୍ୟମନ୍ତ୍ରୀ ପଦ ! ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିତିବା ବଡ ଆହ୍ୱାନ

74

ବିଜୟ ରୂପାନୀ ହେବେ ଗୁଜରାଟ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଆଜି ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ନାଁରେ ମୋହର ବାଜିଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ନୀତିନ ପଟେଲଙ୍କୁ ଦାୟିତ୍ୱ ମିଳିଛି । ଏହାସହ ମୁଖ୍ୟମନ୍ତ୍ରୀ ପାଇଁ ଲଗାତାର କିଛିଦିନ ଧରି ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଗୁଜରାଟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଉଭୟ ବିଜୟ ଓ ନିତୀନଙ୍କ ନାଁରେ ମୋହର ମାରିଛନ୍ତି ବିଜେପି ବିଧାୟକ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଗତ କିଛିଦିନ ଧରି ଭିନ୍ନ ଭିନ୍ନ ନାଁ ଶୁଣିବାକୁ ମିଳୁଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ସାମ୍ନାକୁ ଆସିଥିଲା । ଏହାଛଡା କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବିଆଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଗୁଜରାଟ ନିର୍ବାଚନ ଜିତିବାକୁ ବିଜେପିକୁ ଯେତିକି କଷ୍ଟ କରିବାକୁ ପଡିଥିଲା ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ମଧ୍ୟ ସେତିକି କଷ୍ଟ କରିବାକୁ ପଡିଥିଲା ।

BJP-GUJ_3210773fସୁତ୍ର ଅନୁଯାୟୀ, ଆଗାମୀ ୨୫ ତାରିଖରେ ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କାରଣ ୨୫ ଡିସେମ୍ବର ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ । ପୂର୍ବରୁ ୨୦୧୨ ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିସେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ୭ ଅଗଷ୍ଟ ୨୦୧୬ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପି ଦ୍ୱିତୀୟ ଥର ପାଇଁ ବିଜୟଙ୍କ ହାତରେ ଗୁଜରାଟ ଦାୟିତ୍ୱ ଦେଇଛି । ତେବେ ଏହି ଗୁରୁଦାୟିତ୍ୱକୁ ବିଜୟ କିପରି ଭାବେ ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।