ଭାଷଣ ନୁହେଁ ବାଜପେୟୀଙ୍କ ଆଦର୍ଶ ଓ କାମରେ ଅନୁପ୍ରାଣିତ ହୁଅ । ଦେଶବାସୀ ସବୁ ଦେଖୁଛନ୍ତି, ବିଜେପିକୁ ପରାମର୍ଶ ଦେଲେ ବିଜୟ ମହାପାତ୍ର

28

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶୋକସଭାରେ ଏକାଠି ହେଲେ ସବୁ ଦଳର ନେତା । ରାଜନୈତିକ ଶତ୍ରୁତା ଭୁଲି ଭାରତରତ୍ନ ବାଜପେୟୀଙ୍କ ସ୍ମୃତିଚାରଣ କଲେ । କିନ୍ତୁ ଆସିନଥିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ନିଜର ଅନୁପସ୍ଥିତିକୁ ବ୍ୟକ୍ତିଗତ କହିଥିଲେ ମଧ୍ୟ ଆଜି ପରୋକ୍ଷରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏହି ବରିଷ୍ଠ ବିଜେପି ନେତା । କେବଳ ଭାଷଣରେ ନୁହେଁ, ବାଜପେୟୀଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହେବାକୁ ବିଜେପି ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର ।

କେବଳ ଭାଷଣ ନୁହେଁ, ବାଜପେୟୀଙ୍କ କାମରେ ସବୁ ରାଜନୈତିକ ବ୍ୟକ୍ତି ଅନୁପ୍ରାଣିତ ହେଲେ ହିଁ ତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି କହିଛନ୍ତି ବିଜୟ ମହାପାତ୍ର । ଆଉ ବିଜୟ ଏଭଳି ବୟାନ ଦେଇ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏପରିକି ବାଜପେୟୀଙ୍କ ନୀତିକୁ ବିଜେପି କେତେ ପାଳନ କରୁଛି ତାହା ଦେଶବାସୀ ଜାଣୁଛନ୍ତି ବୋଲି କହିଛନ୍ତି ବିଜୟ । ତେବେ ବିଜେପି ପକ୍ଷରୁ କୁହାଯାଇଛି, ବାଜପେୟୀଙ୍କ ଆଦର୍ଶରେ ହିଁ ଦଳ ଚାଲୁଛି । ଅନ୍ୟପଟେ କଂଗ୍ରେସ କହିଛି ଓଡିଶାର ସ୍ୱାର୍ଥ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଲଢିବାକୁ ପ୍ରସ୍ତୁତ ଅଛି ଦଳ । କିନ୍ତୁ କେତେବେଳେ ବିଜେଡି ମିଶୁନାହିଁ ତ ପୁଣି କେତେବେଳେ ବିଜେପି ମିଶୁନାହିଁ ।