ବାହୁଡ଼ିବେ ବିଜୟ ମହାପାତ୍ର ! ଆଜି ରାଜ୍ୟ କାର୍ଯ୍ୟାଳୟରେ ଦେବେ ଯୋଗ, ଆସନ୍ତକାଲି ଜୟପୁରରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ହେବେ ସାମିଲ

495

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ଦଳ ଡ଼ିଆଁ ରାଜନୀତି ଯୋଗୁଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଂଝା ଜାରି ରହିଛି । ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ ପାଇଁ ଯଥାସମ୍ଭବ ଚେଷ୍ଟା ହେଉଛି । ଏହି ପରିପେକ୍ଷୀରେ ଆଜି ବିଜେପି କାର୍ଯ୍ୟାଳୟ ଯାଇ ଦଳରେ ସାମିଲ ହେବେ ବିଜୟ ମହାପାତ୍ର । ଏବଂ ଆସନ୍ତାକାଲି ମୋଦିଙ୍କ ସଭାବେଶରେ ଯୋଗଦେବେ ବିଜୟ । ମିଶ୍ରଣ ପୂର୍ବରୁ ୬୯ ବର୍ଷିୟ ବିଜୟ ମହାପାତ୍ରଙ୍କୁ ବିଜେପି ପ୍ରଭାରୀ ଅରୁଣ ସିଂହ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସାକ୍ଷାତ କରିଛନ୍ତି ।

ସବୁ କଳ୍ପନା ଜଳ୍ପନାର ଅନ୍ତ କରି ଶେଷରେ ମାନିଲେ ବିଜୟ । କିନ୍ତୁ ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଗତବର୍ଷ ନଭେମ୍ବରରେ ଦଳ ଛାଡିଥିଲେ । ଏବେ ୪ ମାସ ପରେ ପୁଣି ବିଜୟଙ୍କ ଘରବାହୁଡା ହେବ । ଏହାପୂର୍ବରୁ ବି ବିଜୟ ବିଜେପିରେ ଥିଲେ । ବିଜେପିକୁ ଫେରିବେ ହେଭିୱେଟ୍ ନେତା ବିଜୟ ମହାପାତ୍ର । ବିଜେପି ବିରୋଧରେ ଅନେକ ଅଭିଯୋଗ ଆଣି ଦଳ ଛାଡ଼ିଥିଲେ ଟାଣୁଆ ନେତା ବିଜୟ ମହାପାତ୍ର । ଦଳ ଛାଡ଼ିବା ପରେ ପୁଣି ଥରେ ବିଜେଡ଼ିକୁ ଫେରିବେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ନିର୍ବାଚନ ପାଖେଇ ଆସୁଥିବେ ମଧ୍ୟ କୌଣସି ଦଳରେ ଯୋଗ ଦେଇନଥିଲେ ବିଜୟ । କୌଣସି ଦଳରେ ଯୋଗ ଦେଉନଥିବାରୁ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କଣ ହେବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ହେଲେ ଏବେ ଚିତ୍ର ସ୍ପଷ୍ଟ ହୋଇଯାଇଛି ।

ବିଜୟ ପାଟକୁରାରୁ ବିଧାୟସଭାକୁ ନିର୍ବାଚିତ ହୋଇଥିଲେ । ବିଜୟ, ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ଟାଣୁଆ ମନ୍ତ୍ରୀ ଥିଲେ । ୧୯୯୭ରେ ବିଜୁ ଜନତା ଦଳ ଗଠରେ ବି ତାଙ୍କ ପ୍ରମୁଖ ଭୂମିକା ଥିଲା । ସେ ଦଳର ରାଜନୈତିକ ବ୍ୟାପାର କମିଟିର ମୁଖ୍ୟ ବି ଥିଲେ । ୨ ହଜାର ମସିହାରେ ତାଙ୍କ ଟିକେଟ କାଟିଦିଆଯାଇଥିଲା । ଏହାପରେ ବିଜେଡି ଛାଡି ବିଜୟ ମହାପାତ୍ର ଗଠନ କରିଥିଲେ ଓଡିଶା ଗଣ ପରିଷଦ । କିନ୍ତୁ ଏଥିରେ ସଫଳତା ନ ପାଇ ୨୦୦୯ରେ ବିଜେପିରେ ସାମିଲ ହୋଇଥିଲେ । ଗତବର୍ଷ ନଭେମ୍ବର ମାସରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବା ପରେ ଆଜି ପୁଣି ବିଜେପିରେ ସାମିଲ ହେଉଛନ୍ତି ବିଜୟ ମହପାତ୍ର ।ଅନ୍ୟପଟେ ବିଜୟଙ୍କ ସହିତ ଏକାଠି ଦଳ ଛାଡ଼ିଥିବା ଦିଲ୍ଲୀପ ରାୟ କେଉଁ ଦଳରେ ଯୋଗଦେବେ ଏଯାଏଁ ସ୍ପଷ୍ଟ ହୋଇନି । କିଛି ଦିନ ପୂର୍ବରୁ ତାଙ୍କୁ ନବୀନ ନିବାସରେ ଦେଖିବା ପାଇଁ ମିଳିଥିଲା ।