ବିଜୟ ଦେଲେ ବଡ ବୟାନ ! କହିଲେ, ୨୦୧୯ ନିର୍ବାଚନ ହେବ ଏକ ଜଟିଳ ନିର୍ବାଚନ, ଖୁବଶୀଘ୍ର ଜଣାଇବି ନିଷ୍ପତି ।

542

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ରଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜି ବଡ ବୟାନ ଦେଇଛନ୍ତି ରାଜ୍ୟ ରାଜନୀତିର ଏହି ହେଭିୱେଟ ନେତା । ୨୦୧୯ ନିର୍ବାଚନ ଏକ ଜଟିଳ ନିର୍ବାଚନ ହେବ । ଏମିତି ନିର୍ବାଚନ ଓଡିଶାବାସୀ ପୂର୍ବରୁ କେବେ ଦେଖିନଥିବେ ବୋଲି ବିଜୟ କହିବା ପରେ ବଡ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାସହ ନିଜର ରାଜନୈତିକ କ୍ୟାରିୟରକୁ ନେଇ ବିଜୟ କହିଛନ୍ତି, ନିର୍ବାଚନମଣ୍ଡଳୀ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶୁଭେଚ୍ଛାଙ୍କ ସହ ଆଲୋଚନା କରୁଛି । ସମସ୍ତଙ୍କର ପାଖରୁ ଭିନ୍ନ ଭିନ୍ନ ପ୍ରସ୍ତାବ ଆସୁଛି । କିନ୍ତୁ ବର୍ତ୍ତମାନ କୌଣସି ନିଷ୍ପତି ନେଇନି । ତେବେ ବିଜେଡିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରୁ ପରଦା ଉଠାଇଛନ୍ତି ବିଜୟ । ବିଜେଡିରୁ କେହି ମୋତେ ଯୋଗାଯୋଗ କରିନାହାନ୍ତି । କିନ୍ତୁ ବ୍ୟକ୍ତିଗତ ସ୍ତରରେ ସବୁ ଦଳର ନେତା ମୋ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜୟ । ଖୁବଶୀଘ୍ର ନିଷ୍ପତି ଜଣାଇବି ବୋଲି କହିଛନ୍ତି ବିଜୟ ।

ବିଜୟଙ୍କ ଏହି ବୟାନ ତାଙ୍କର ବିଜେଡି ଯିବା ଚର୍ଚ୍ଚାକୁ ଆହୁରି ସସପେନ୍ସ ଘେରକୁ ଠେଲି ଦେଇଛି । ଏପରିକି ବିଜେପିକୁ କମବ୍ୟାକ୍ କରିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଖୋରାକ ଯୋଗାଇଛି ବିଜୟଙ୍କ ବୟାନ । ଗୋଟିଏ ପଟେ ଗତକାଲି ବିଜୟଙ୍କ ଘନିଷ୍ଠ ତଥା ରାଜନୈତିକ ବନ୍ଧୁ ଦିଲ୍ଲୀପ ରାୟ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ । ଆଉ ଏହାପରେ ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପଙ୍କ ଘରବାହୁଡା ହେବ ବୋଲି ବିଜେଡି ଶିବିରରୁ ଗ୍ରୀନ୍ ସିଗନାଲ ଏକପ୍ରକାର ମିଳିଥିବା ଚର୍ଚ୍ଚା ହେଉଛି । ତେବେ ଦିଲ୍ଲୀପଙ୍କ ସହ ଆଲୋଚନା କରି ନିଷ୍ପତି ନେବି ବୋଲି କହିଥିବା ବିଜୟ କଣ ନିଷ୍ପତି ନେବେ ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି ।