ଶ୍ରୀମନ୍ଦିର ଭଣ୍ଡାର ଘର ଚାବି ହଜିବା ପରେ ଜୋର ଧରିଲା ରତ୍ନ ଆଭୂଷଣର ଆକଳନ ଦାବି ! ବିଜୟ ମହାପାତ୍ର କହିଲେ, ୧୯୮୫ ପରଠୁ ତଦନ୍ତ କରନ୍ତୁ କମିସନ

36

କନକ ବ୍ୟୁରୋ : ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହେବା ପରେ ଏପଟେ ରତ୍ନଭଣ୍ଡାରରେ ସୁନା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ଏହି ସମୟରେ ପୁଣି ଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଉଠିଛି । ରତ୍ନଭଣ୍ଡାର ଖୋଲି ଏହାର ହିସାବ କରାଗଲେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ବିବାଦ ଭିତରେ ଦାବି ଉଠିଛି ଆଉ ଥରେ ଖୋଲାଯାଉ ରତ୍ନଭଣ୍ଡାର । ଚାବି କାହା ପାଖରେ ଅଛି ? ଏହି ଚାବିକୁ ବ୍ୟବହାର କରାଯାଇଛି କି ? ଏଭଳି ପରିସ୍ଥିତି ଭିତରେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ରତ୍ନଭଣ୍ଡାର ଖୋଲିବା ନେଇ ଯୁକ୍ତି ଉଠିଛି ।

ପୂର୍ବରୁ ୧୯୭୨, ୧୯୭୮ ଓ ୧୯୮୫ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ସେତେବେଳେ ଚାବି କଥା ଉଠିନଥିଲା । କାରଣ ଚାବି, ପ୍ରଶାସନ ପାଖରେ ରହୁଥିଲା । ଏବେ ୩୩ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବା ବେଳକୁ ପ୍ରଶାସନକୁ ଚାବି ମିଳୁନି । ସେପଟେ ରତ୍ନଭଣ୍ଡାର ଚାବି ନମିଳିଲେ ତାଲା ଭାଂଗିବାକୁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ଯାହା ଉପରେ ପରବର୍ତ୍ତୀ ବୈଠକରେ ନିଷ୍ପତି ନିଆଯିବ । ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇଛି ଯେ, ରତ୍ନଭଣ୍ଡାର ମଧ୍ୟରେ ସୁରକ୍ଷିତ ଅଛି ଶ୍ରୀଜିଉଙ୍କ ସମ୍ପତି । ତାଲା ଗୁଡିକରେ ଜଉମୁଦ ଲାଗିଥିବାରୁ ଭିତରେ ଥିବା ସମ୍ପତି ସୁରକ୍ଷିତ ରହିଛି ବୋଲି ପ୍ରଶାସନ ଦାବି କରୁଛି ।