ଆତ୍ମସମ୍ମାନ ଓ ରାଜ୍ୟସ୍ୱାର୍ଥ କଥା କହି ଦଳ ଛାଡ଼ିଥିଲେ ବିଜୟ, ୪ ମାସ ପରେ ବଦଳାଇଲେ ଆଭିମୁଖ୍ୟ ! ଇସ୍ତଫାପତ୍ରରେ ଉଠାଇଥିବା ପ୍ରସଙ୍ଗର ହୋଇଗଲାକି ସମାଧାନ ?

235

କନକ ବ୍ୟୁରୋ ; ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ସମୀକରଣ । କିଏ ଦଳ ଛାଡ଼ୁଛି ତ କିଏ ଦଳକୁ ଫେରୁଛି । ଗତ ବର୍ଷ ନଭେମ୍ବରରେ ବିଜେପିକୁ ବାଏ ବାଏ କରିଥିବା ଟାଣୁଆ ନେତା ପୁଣି ଗେରୁଆ ଶିବିରକୁ ଫେରୁଛନ୍ତି । ଅନେକ କଳ୍ପନା ଜଳ୍ପନା, ଆଲୋଚନା, ଚର୍ଚ୍ଚା ଓ ଗୁପ୍ତମନ୍ତ୍ରଣା ପରେ ବିଜେପିକୁ ଫେରୁଛନ୍ତି ବିଜୟ । ଶେଷରେ ବିଜୟଙ୍କ ଫେରାଇ ଆଣିବାରେ ସଫଳ ହୋଇଛି ବିଜେପି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖରେ ଦଳ ଛାଡ଼ିଥିଲେ ବିଜୟ ମହାପାତ୍ର । ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ ବିଜୟ । ଇସ୍ତଫା ପତ୍ରରେ ଅନେକ ସାଂଘାତିକ କଥା ଲେଖିଥବା ସହ ଅନେକ ସମସ୍ୟା କଥା ଉଠାଇଥିଲେ ବିଜୟ । ତେବେ ପ୍ରଶ୍ନ ଉଠୁଛି ମାତ୍ର ୪ ମାସ ଭିତରେ କ’ଣ ବିଜୟ ଉଠାଇଥିବା ପ୍ରଶ୍ନର ସମାଧାନ ହୋଇଛି ।

ଇସ୍ତଫା ପତ୍ରରେ କ’ଣ ଲେଖିଥିଲେ ବିଜୟ ?
ଗତ ବର୍ଷ ନଭେମ୍ବରରେ ଦଳରୁ ଇସ୍ତଫା ଦେଇଥିଲେ ବିଜୟ । ଇସ୍ତଫା ପତ୍ରରେ ରାଜ୍ୟ ସ୍ୱାର୍ଥ ସମ୍ମିଳିତ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଥିଲେ । ମହାନଦୀ ସମସ୍ୟାର ସମାଧାନ ଓ ବାହ୍ମାଣୀ ଦ୍ୱିତୀୟ ସେତୁ କାମ ହେଲାନାହିଁ ବୋଲି ଇସ୍ତଫାପତ୍ରରେ ଦର୍ଶାଇଥିଲେ । ଆଇଓସିଏଲରେ ଓଡ଼ିଆ ଯୁବକଙ୍କୁ ନିଯଯୁକ୍ତି ନମିଳିବା ପ୍ରସଙ୍ଗ ତଥା ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ଦଳ ଭୁଲ ଧାରଣା ସୃଷ୍ଟି କଲା ବୋଲି ମଧ୍ୟ ଲେଖିଥିଲେ । ଦଳରେ ଅସ୍ଥିତ୍ୱ ନଥିବା ନେତାମାନେ ବଡ଼ ଏବେ ବଡ଼ କଥା କହୁଛନ୍ତି ବୋଲି ଅଭିଯୋଗ କରିଥିଲେ ।  ଆତ୍ମସମ୍ମାନ ଓ ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଦଳ ଛାଡ଼ିଥିଲେ  ତୁଙ୍ଗ ନେତା ବିଜୟ । ବିଜେପୁର ଉପନର୍ବାଚନରେ ବଡ଼ ବ୍ୟବଧାନରେ ହାରିବା ଅଧିକ ବାଧିଥିଲା ବୋଲି ଇସ୍ତଫା ପତ୍ରରେ ପ୍ରକାଶ କରିଥିଲେ ବିଜୟ ।

ଗୋଟିଏ ପଟେ ଟାଣୁଆ ନେତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଦଳକୁ ବଳ ମିଳିବ । ମଜଭୁତ ହେବ ଦଳ । ମୋଦି ସରକାରଙ୍କୁ ୧୨୦ ମିଶନକୁ ଆଗେଇନେବାରେ ବିଜୟଙ୍କ ଭୂମିକା ରହିବ । ଆତ୍ମସମ୍ମାନ ଓ ରାଜ୍ୟସ୍ୱାର୍ଥ କଥା ଉଠାଇ ଦଳ ଛାଡ଼ିଥିଲେ ବିଜୟ । ଅନ୍ୟପଟେ ଏଇଠି ପ୍ରଶ୍ନ ଉଠୁଛି ଯେଉଁ ସବୁ ସମସ୍ୟା କଥା ଉଠାଇ ବିଜୟ ଦଳ ଛାଡ଼ିଥିଲେ ସେସବୁର ସମାଧାନ ହୋଇଗଲା କି ? ମାତ୍ର ୪ ମାସ ଭିତରେ କିପରି ବଦଳିଗଲା ବିଜୟଙ୍କ ଆଭିମୁଖ୍ୟ ?