ବିଜୟଙ୍କ ବୟାନ ! କହିଲେ, ୨୦୦୦ ମସିହା କଥା ଭୁଲିଯାଇଛି, ବୟାନ ପଛର ସଙ୍କେତକୁ ନେଇ ଚର୍ଚ୍ଚା

53

କନକ ବ୍ୟୁରୋ : ବିଜୟ ଓ ବିଜେପିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ସେ ୨୦୦୦ ମସିହାର ଟିକଟକଟା ବିବାଦକୁ ଭୁଲିଯାଇଛନ୍ତି । ବିଜୟଙ୍କ ରାଜନୈତିକ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭୁଲିଯିବା ପଛରେ କଣ ହୋଇପାରେ ରାଜନୈତିକ ସଙ୍କେତ? ବିଜୟ କନକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସେହି ଘଟଣାକୁ ବର୍ଷ ବର୍ଷ ବିତିଗଲାଣି ଆଉ ତାହା ଏବେ ଇତିହାସ ପାଲଟିଯାଇଛି । ପୁରୁଣା ଇତିହାସକୁ ସେ ଆଉ ମନେପକାଇବାକୁ ଚାହୁଁନାହାନ୍ତି । ବିଜୟଙ୍କ ଏହି ମନ୍ତବ୍ୟ ପରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ।

bijay mohapatraବିଜୟ ଭୁଲି ଗଲେଣି ୨୦୦୦ ମସିହାର କଥା ।ରାଜନୈତିକ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଭୁଲି ଗଲେଣି ବିଜୟ ମହାପାତ୍ର । ୨୦୦୦ ମସିହାରେ ଶେଷ ମୁହୂର୍ତ୍ତରେ ରାଜନୈତିକ ଚାଲ ଖେଳି ବିଜୟଙ୍କ ଟିକେଟ କାଟି ଦିଆଯାଇଥିଲା । ଇଏ ହେଉଛି ସେହି ଘଟଣା, ଯାହା ବିଜୟଙ୍କ ରାଜନୈତିକ କ୍ୟାରିୟରରେ ଏକ ବିରାଟ୍ ମୋଡ଼ ନେଇ ଆସିଲା । ଆଉ ତାପରଠାରୁ, ସେ ରାଜନୀତିରେ କେବଳ ଜଣେ ଚରିତ୍ର ହୋଈ ରହିଲେ, କିନ୍ତୁ କ୍ଷମତା ଅଳିନ୍ଦର ପାଖ ମାଡ଼ି ପାରିଲେ ନାହିଁ ।

୨୦୦୦ ମସିହାରେ ଯେତେବେଳେ, ଏକ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳ ପ୍ରଥମ ବିଧାନସଭା ନିର୍ବାଚନର ସମ୍ମୁଖିନ ହେବାକୁ ଯାଉଥାଏ, ଏବଂ ବିଜୟ ମହାପାତ୍ର ବିଜେଡି ରାଜନୀତିର ଜଣେ ପ୍ରଭାଶାଳୀ ନେତା ଥାନ୍ତି, ଠିକ୍ ସେହି ଶେଷ ମୁହୁର୍ତରେ ବିଜୟ ମହାପାତ୍ରଙ୍କ ଟିକେଟ୍ କାଟିଦେଲା ଦଳ । ଏମିତିକି ନିର୍ବାଚନ ଲଢ଼ି ପାରିଲେନାହିଁ ବିଜୟ ।ଚାରିଆଡେ ହଇଚଇ ସୃଷ୍ଟି ହୋଇଗଲା । ଆଉ ତା ପରେ ଦୀର୍ଘ ୧୭ ବର୍ଷ ହେଲା କ୍ଷମତାରୁ ଦୁରେଇ ରହିଛନ୍ତି ହେଭିୱେଟ ନେତା ବିଜୟ । ତେବେ ଏହି ବୟାନ ପଛରେ କଣ ସଙ୍କେତ ରହିଛି ତାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

naveen-୨୦୦୦ ମସିହାର ଘଟଣା ଭୁଲିଯିବାର ତାତ୍ପର୍ଯ୍ୟ କ’ଣ ହୋଇପାରେ ?
-ରାଜନୈତିକ ଭବିଷ୍ୟତ ପାଇଁ ଇତିହାସକୁ ଭୁଲି ଗଲେ କି ବିଜୟ ?
– ଜୀବନର ସବୁଠୁ ବଡ଼ ଘଟଣାକୁ ଭୁଲି ଯିବା ପଛରେ କ’ଣ ହୋଇପାରେ କାରଣ ?

ଏହା ପୂର୍ବରୁ ମଧ୍ୟ ଗତକାଲି ପାରାଦ୍ୱୀପରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ବିଜେଡି ଉପ-ସଭାପତି ତଥା ମନ୍ତ୍ରୀ ଦାମ ରାଉତଙ୍କ ଜନ୍ମଦିନ ପାଳନରେ ସାମିଲ ହୋଇଥିଲେ ବିଜେପି ନେତା ବିଜୟ ମହାପାତ୍ର । ଜନ୍ମଦିନ ପାର୍ଟିରେ ବିଜୟ ମହାପାତ୍ର ଓ ମନ୍ତ୍ରୀ ଦାମ ରାଉତ କୋଳାକୋଳି ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଜୟ ମହାପାତ୍ର, ଦାମଙ୍କୁ ପ୍ରଶଂସା କରି କହିଥିଲେ-ଦାମଙ୍କ ବିନା ଓଡିଶା ରାଜନୀତିର ଇତିହାସ ଲେଖାଯାଇ ପାରିବନାହିଁ । ସେପଟେ ବିଜେପି କହିଛି, ବିଜୟଙ୍କ ଆଭିମୁଖ୍ୟ କଣ ତାହା ସେ ହିଁ କହିପାରିବେ, ଦଳ କାହା ଉପରେ ନିର୍ଭର କରେନାହିଁ । ଏସବୁ ଭିତରେ ୨୦୧୯ ରାଜନୈତିକ ପାଣିପାଗ କେଉଁଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।