ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜୟ ମହାପାତ୍ରଙ୍କ କଡା ଚିଠି ! ଆଇଓସିଏଲରେ ଓଡିଆ ଯୁବକ କାହିଁକି ପାଉନାହାନ୍ତି ନିଯୁକ୍ତି ବୋଲି କଲେ ପ୍ରଶ୍ନ

115

କନକ ବ୍ୟୁରୋ : ପାରାଦ୍ୱୀପ ତୈଳ ବିଶୋଧନାଗାର ସମେତ ଅନ୍ୟାନ୍ୟ ପ୍ରକଳ୍ପରେ ଓଡିଆ ଯୁବକଙ୍କୁ ନିଯୁକ୍ତି ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ କଡା ଚିଠି ଲେଖିଛନ୍ତି । ବିଜୟ ଚିଠିରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଐତିହାସିକ ସଭାରେ ପାରାଦ୍ୱୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିଲା ।

ଏହାଦ୍ୱାରା ଜଗତସିଂହପୁର, କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାର ବେକାରୀ ଯୁବକଙ୍କ ପାଇଁ ନିଯୁକ୍ତିର ନୂଆ ଆଶା ସଂଚାର ହୋଇଥିଲା । କିନ୍ତୁ ଓଡିଶା ଯୁବକଙ୍କ ଏହି ଆଶା ଏବେ ମଉଳିଯାଇଛି । ଏଥିଯୋଗୁଁ ସେମାନଙ୍କ ମଧ୍ୟରେ ହତାଶାଭାବ ସୃଷ୍ଟି ହୋଇଛି । ବାହାର ରାଜ୍ୟର ଲୋକେ ଏହି ସୁବିଧା ପାଇଛନ୍ତି । ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଖର୍ଚ୍ଚ ହେଲା, କିନ୍ତୁ ଆମ ପିଲା ୪୦ଟି ଚାକିରୀ ପାଇଲେନି ବୋଲି ବିଜୟ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।

ଆପଣ ଓଡିଆ ପିଲାଙ୍କ ଭବିଷ୍ୟତ ପ୍ରତି ସତରେ ଆଗ୍ରହୀ ଅଛନ୍ତି ଓ ଓଡିଶା ପାଇଁ ସତରେ କାମ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ପ୍ରତ୍ୟକ୍ଷ – ପରୋକ୍ଷ ନିଯୁକ୍ତି, ଠିକା କାମ ଓ ପରିବହନ ସେବାରେ ବି ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ଚିଠିରେ କହିଛନ୍ତି ଲେଖିଛନ୍ତି ବିଜୟ ମହାପାତ୍ର । ଏ ବାବଦରେ ଧର୍ମେନ୍ଦ୍ର ପ୍ରଧାନ ଠିକ ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର ।