ବିଜୟଙ୍କ ‘ବିଜୟ’ ପାଇଁ ସାରଥୀ ସାଜିବେ ଅପରାଜିତା । କହିଲେ, ଭୁବନେଶ୍ୱରର ପୁନରାବୃତ୍ତି ହେବ ପାଟକୁରାରେ । 

1,109

କନକ ବ୍ୟୁରୋ  : ରାଜଧାନୀର ରିପିଟ ହେବ ପାଟକୁରାରେ । ଆଗାମୀ ନିର୍ବାଚନରେ ପାଟକୁରାରେ ଫୁଟିବ ପଦ୍ମ । ଏଭଳି ଦମ୍ଭ ଦେଖାଇଛନ୍ତି ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ।  ଯେତେ ସରକାରୀ କଳ ଲାଗିଲେ ବା ଯେତେ ଷଡଯନ୍ତ୍ର କଲେ ମଧ୍ୟ ଏଥର ପାଟକୁରାରେ ବିଜେପିର ‘ବିଜୟ’ ସୁନିଶ୍ଚିତ । କାରଣ ବିଜେପି ପ୍ରାର୍ଥୀ ବିଜୟଙ୍କୁ ପୁଣିଥରେ ବିଧାନସଭା ପଠାଇବାକୁ ପାଟକୁରାବାସୀ ମନ ବଳାଇ ସାରିଲେଣି । ଯେଉଁଭଳି ଭୁବନେଶ୍ୱରରେ ସରକାରୀ କଳ ଓ ଷଡଯନ୍ତ୍ର ପରେ ମଧ୍ୟ ଲୋକେ ଭଲପାଇବା ଦେବା ସହ ବିଜୟୀ କରାଇଲେ ଠିକ୍ ସେହିଭଳି ପାଟକୁରାରେ ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିବ ।

ପାଟକୁରାରେ ବିଜୟଙ୍କ ନିର୍ବାଚନ ରଥର ସାରଥୀ ସାଜିବେ ଅପରାଜିତା । ବିଜୟଙ୍କୁ ଦେବେ ‘ବିଜୟ’ର ଫର୍ମୁଲା । ପାଟକୁରା ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ହେଉଥିବା ବେଳେ ବିଜୟଙ୍କ ବିଧାନସଭା ପ୍ରବେଶ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଅପରାଜିତା । ଆଉ ଏଥିପାଇଁ ଏବେଠୁ ଆରମ୍ଭ ହେଉଛି ଅଙ୍କକଷା । ବିଜେଡି ଠାରୁ ଗୋଟିଏ ପାଦ ଆଗରେ ରହି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବିଜେପି । ଆଉ ଏହି ପ୍ରଚାରରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ପାଟକୁରାରେ ଗତକାଲି ବିଜେପିର ନିର୍ବାଚନ ପ୍ରଚାରରେ ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି ଅପରାଜିତା ଷଡଙ୍ଗୀ । ଆଉ ଏହି ପ୍ରଚାର ସମୟରେ ବିଜୟଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅପରାଜିତା । ଏପରିକି ବିଜୟଙ୍କ ବିଜୟ ପର୍ଯ୍ୟନ୍ତ ସେ ପାଟକୁରା ଆସୁଥିବେ ବୋଲି କହିଛନ୍ତି ଅପରାଜିତା । ଆଉ ଏହାସହ ପାଟକୁରାବାସୀଙ୍କୁ ଭୁବନେଶ୍ୱରବାସୀଙ୍କ ଉଦାହରଣ ଦେଇ ବିଜୟ ମହାପାତ୍ରଙ୍କୁ ବିଜୟୀ କରିବାକୁ ଅପିଲ୍ କରିଛନ୍ତି ଅପରାଜିତା । ଗତକାଲିର ନିର୍ବାଚନ ପ୍ରଚାର ପରେ ଏବେ ପାଟକୁରା ପଲିଟିକ୍ସରେ ନୂଆ ମୋଡ ଆସିଛି । ରାଜ୍ୟ ରାଜନୀତିରେ ପାଟକୁରା ନିର୍ବାଚନ ଫୋକସରେ ରହିଥିବା ବେଳେ  ଉଭୟ ବିଜେଡି ଓ ବିଜେପି ପାଇଁ ଏହା ସମ୍ମାନର ଲଢେଈ ଭାବେ ଉଭା ହୋଇଛି ।

ଆଉ ଏଭଳି ସ୍ଥିତିରେ ପାଟକୁରାରେ ବିଜୟଙ୍କୁ ବିଜୟ ଭେଟି ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଅପରାଜିତା । ମାରାଥନ ପ୍ରଚାର ସହ ଲୋକଙ୍କ ମନ ଜିଣିବାକୁ ସେ ବାରମ୍ବାର ପାଟକୁରା ଆସିବେ ବୋଲି କହିଛନ୍ତି । ଅପରାଜିତାଙ୍କ ଏଭଳି ଦମ୍ଭୋକ୍ତି ଏବେ ପାଟକୁରା ବିଜେପି ଶିବିରରେ ଜୋଶ ଭରିଛି । ଅପରାଜିତାଙ୍କ ଏଭଳି ରଣହୁଙ୍କାର ପରେ ବିଜେଡିର ଆଭିମୁଖ୍ୟ କଣ ରହୁଛି ତାହା ଦେଖିବା ବାକି ରହିଲା ।