ଗଡକରୀଙ୍କ ଚିଠି ପରେ ବିଜୟଙ୍କ ବାଣ ! କହିଲେ, କେନ୍ଦ୍ରମନ୍ତ୍ରୀଙ୍କ ବିବୃତ୍ତି ସ୍ପଷ୍ଟ ନୁହେଁ

86

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଚିଠି ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମାଲୋଚନା । ବିଜୟ କହିଛନ୍ତି ସଂସଦରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରି ଦେଇଥିବା ବିବୃତ୍ତି ସ୍ପଷ୍ଟ ନୁହେଁ । ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କଲେ କ୍ଷତି କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସିଡବ୍ଲୁସି କିମ୍ବା ଜଳସମ୍ପଦ ବିଭାଗ କେନ୍ଦ୍ର ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦେଇନଥିବା ସେ କହିଛନ୍ତି । ମହାନଦୀ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହୋଇସାରିଛି ଏବଂ ଓଡ଼ିଶାକୁ ପାଣି ଆସୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଓଡ଼ିଶା ଛତିଶଗଡ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ଆଉ ଏ ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ବିଜୟ କହିଛନ୍ତି ।

ସୂଚନାଯୋଗ୍ୟ ସଂସଦରେ ବିଜେଡି ମହାନଦୀ ପ୍ରସଙ୍ଗ ଉଠାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ । ଜାନୁଆରୀ ୨ ତାରିଖରେ ନୀତିନ ଗଡକରି ଚିଠି ଲେଖି ତାଙ୍କ ମଧ୍ୟସ୍ଥତାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ଗଡକରି । ଏପରିକି ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଏକ ବିଳମ୍ବିତ ପ୍ରକ୍ରିୟା ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି । ସେହିପରି ୧୯୫୬ ଜଳ ବିବାଦ ଆଇନରେ ସଂଶୋଧନ କରି ୨୦୧୭ରେ ଅଣାଯାଇଥିବା ଆଇନ କେନ୍ଦ୍ର ସରକାରଙ୍କ ଆଇନ ବିଭିଗ ଅନୁମୋଦନ ଅପେକ୍ଷାରେ ରହିଛି । ଏହି ଆଇନ ଆସିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଆଉ ଏ ଚିଠି ଉପରେ ଗଡ଼କରିଙ୍କୁ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।