ଦଳକୁ ଫେରିଲେ ବିଜୟ ! ପୁରୁଣା କଥାକୁ ଭୁଲି ଦଳରେ ଯୋଗଦେଲି ବୋଲି କହିଲେ ତୁଙ୍ଗ ନେତା

466

କନକ ବ୍ୟୁରୋ : ବିଜେପିକୁ ଫେରିଲେ ଟାଣୁଣା ନେତା ବିଜୟ ମହାପାତ୍ର । ଆଜିଠାରୁ ମୋଦି ସରକାରଙ୍କୁ ୧୨୦ ମିଶନକୁ ସଫଳ କରିବା ପାଇଁ ଚେଷ୍ଟା କରିବେ । ସବୁ ମାନ ଅଭିମାନ ଓ ଅଭିଯୋଗ ଭୁଲି ଦଳକୁ ଫେରି ଆସିଛନ୍ତି ତୁଙ୍ଗ ନେତା ବିଜୟ ମହାପାତ୍ର । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେଇଛନ୍ତି ବିଜୟ । ଆଜି ଦଳକୁ ଫେରିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବେ ।

ଦଳରେ ଯୋଗଦେବା ପରେ ବିଜୟ କହିଛନ୍ତି ପୁରୁଣା କଥାକୁ ଭୁଲି ନୂଆ ସଙ୍କଳ୍ପ ନେଇ ଦଳରେ ଯୋଗ ଦେଇଛି । ନିର୍ବାଚନ ଲଢ଼ିବା କଥା କେନ୍ଦ୍ରୀୟ ସମିତି ବିଚାର କରିବେ । ଦଳରେ ଯୋଗ ଦେବାପରେ ରାଜ୍ୟରେ ପରିବର୍ତ୍ତନ ପାଇଁ ନୂଆ ଅଭିଯାନରେ ବାହାରିଲୁ । ଏହାପୂର୍ବରୁ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

୨୦୧୮ ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଗତବର୍ଷ ନଭେମ୍ବରରେ ଦଳ ଛାଡିଥିଲେ । । ହେଲେ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ ବୋଲି ଭାଜପା ନେତା ଗୋଲକ ମହାପାତ୍ର କହିଥିଲେ । ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ । ବିଜୟଙ୍କୁ ଫେରାଇ ଆଣିବାକୁ ଗତ ରବିବାର ଦିନ ବସିଥିବା ଏକ ବୈଠକରେ ବିଜେପିର ନେତୃବୃନ୍ଦ ପ୍ରାୟ ଚୂଡ଼ାନ୍ତ କରିଥିଲେ ।