ବିଜନ ପାଲକୁ ହତ୍ୟା ଉଦ୍ୟମ ମାମଲାରେ ସୁଶାନ୍ତ ଧଳସାମନ୍ତ ହାଜର ! କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କଲା କମିଶନରେଟ୍ ପୋଲିସ

22

କନକ ବ୍ୟୁରୋ : ବିଜନ ପାଲକୁ ହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ଧଳସାମନ୍ତକୁ ଝାରପଡା ଜେଲରୁ କଡା ସୁରକ୍ଷାରେ ଆଣି କୋର୍ଟରେ ହାଜର କରିଛି କମିସନରେଟ ପୁଲିସ । କମିସନରେଟ ପୁଲିସ କହିଛି ବିଜନ ପାଲକୁ ହତ୍ୟା ଷଡଯନ୍ତ୍ର ଡି ବ୍ରଦର୍ସ ରଚିଥିଲେ ଝାରପଡା ଜେଲରେ । ଆଗରୁ ଏହି ମାମଲାରେ ୨ ଅଭିଯୁକ୍ତଙ୍କ ସହ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରଛି ପୋଲିସ । ଏବେ ବିଜନ ପାଲ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ସୁଶାନ୍ତ ଧଳସାମନ୍ତକୁ ସଂପୃକ୍ତ କରିଛି । ତେବେ ସୁଶାନ୍ତ ଧଳସାମନ୍ତକୁ କମିଶନରେଟ ପୋଲିସ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ।

ସୂଚନାଯୋଗ୍ୟ ଧଳସାମନ୍ତ ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ କଟକ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ କିଛି ଦିନ ପୂର୍ବରୁ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ଜେଲରେ ଥିବା ରଂଜିତାଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ରଂଜିତା ବିଶ୍ୱାଳ ଗିରଫ ହେବା ପରେ ସାମ୍ନାକୁ ଆସୁଥିଲା ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ । ବିଜୟ ପାଲ, ବିଧାୟକ ଦେବାଶିଷ ସାମନ୍ତରାୟ, ଦୁଇ ପୁଲିସ ଅଧିକାରୀ ଏବଂ ଜଣେ ସାକ୍ଷୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ରଂଜିତା ୩ଟି ପିସ୍ତଲ ଏବଂ ୬୦ ରାଉଣ୍ଡ ଗୁଳି ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ସଦା ନାୟକ ଜରିଆରେ ଦେଇଥିଲେ । କିନ୍ତୁ ମାଉଜର ଓ ଗୁଳି ରଂଜିତା ପାଖକୁ କିଭଳି ଆସିଲା, ତାହା ସ୍ପଷ୍ଟ ହୋଇପାରିନଥିଲା । ତେଣୁ ଡି-ବ୍ରଦର୍ସଙ୍କ ନିର୍ଦ୍ଦେଶରେ ବ୍ୟବସାୟୀ ବିଜୟ ପାଲଙ୍କ ଉପରକୁ ଗୁଳିମାଡ କରିଥିବା ମିକୁକୁ ମଧ୍ୟ ପୋଲିସ୍ ପଚରାଉଚରା କରିଥିଲା ।

ସୂଚନା ଅନୁଯାୟୀ ସୁଶୀଲ ଧଳସାମନ୍ତ ବାଲେଶ୍ୱର ଜେଲରେ ଥିବା ବେଳେ ରଂଜିତା ତାକୁ ଭେଟିବାକୁ ଏକାଧିକ ଥର ଭିତରକୁ ଯାଇଛନ୍ତି । ଜେଲର ଭିଜିଟର୍ସ ରେଜିଷ୍ଟରରେ ରଂଜିତା ସ୍ୱାକ୍ଷର କରିବା ସହ ସୁଶୀଲଙ୍କୁ ନିଜର ଘନିଷ୍ଠ ସଂପର୍କୀୟ (ନିର୍ଦ୍ଦିଷ୍ଟ ସଂପର୍କ ଉଲ୍ଲେଖ କରି) ଭାବେ ଦର୍ଶାଇଛନ୍ତି । ସେହି ସଂପର୍କର ତଥ୍ୟ, ପ୍ରମାଣକୁ ନେଇ ମଧ୍ୟ ପୁଲିସ୍ ଖୋଳତାଡ ଆରମ୍ଭ କରିଛି ।