ପୁଅକୁ ନେଇଗଲା ପ୍ରେମିକା ! ଏକ ନିଖୋଜ କାହାଣୀର ଚାଂଚଲ୍ୟକର ସତ

24

କନକ ବ୍ୟୁରୋ : ବିହାରରୁ ପଶ୍ଚିମବଙ୍ଗ ଭାୟା ଫେସବୁକ । ଓଡିଶାରେ ଇଂଜିନିୟରିଂ ପାଠ ପଢୁଥିବା ଜଣେ ବିହାରୀ ଯୁବକ ସିଂଟୁ କୁମାର ମାଥୁରୀ ଫେସବୁକରୁ ପ୍ରେମ ପରେ ପଶ୍ଚିମବଙ୍ଗ ଚାଲିଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଥାନାରେ ନିଖୋଜ ମାମଲା ପରେ ପୁରା କାହାଣୀ ଉପରୁ ପରଦା ଉଠାଇଛି ପୋଲିସ । ଯୁବକ ଜଣକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ହେବା ପରେ ଏଭଳି କଲେଜ ଛାଡି ତାଙ୍କ ନିକଟକୁ ଚାଲିଯାଇଛନ୍ତି ।

ପୁଅକୁ ଖୋଜିବା ପାଇଁ ୫ଦିନ ହେଲା ପୋଲିସ ଓ କଲେଜ କର୍ତୃପକ୍ଷଙ୍କ ସହାୟତା ଲୋଡୁଛନ୍ତି ପରିବାର । ଏନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିବା ପରେ ପୋଲିସ ଦେଇଛି ସାଂଘାତିକ ତଥ୍ୟ । ସିଂଟୁଙ୍କ କଲ ରେକର୍ଡ ଯାଂଚ କରିବା ପରେ ଜଣାପଡିଛି ଯେ, ପଶ୍ଚିମବଙ୍ଗ ଦମଦମ ଅଂଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ସିଂଟୁଙ୍କର ଗଢିଉଠିଥିଲା ପ୍ରେମ ସଂପର୍କ । ଫେସବୁକରୁ ବନ୍ଧୁତା ଓ ପ୍ରମ ପରେ ତାଙ୍କରି ନିକଟକୁ ଚାଲିଯାଇଛନ୍ତି ସିଂଟୁ । ଯୁବତୀଙ୍କ ଫୋନ କରି ଯୋଗାଯୋଗ କରିଛି ପୋଲିସ ଓ ସିଂଟୁ ଖୁବଶୀଘ୍ର ଘରକୁ ଫେରିବେ ବୋଲି ଆଶ୍ୱାସନା ଦେଇଛି । କଲେଜ କର୍ତୃପକ୍ଷ ମଧ୍ୟ ସଂପୃକ୍ତ ଯୁବତୀଙ୍କ ସହ ଫୋନରେ ଯୋଗାଯୋଗ କରିଥିବା କହିଛନ୍ତି ।

ବିହାରରୁ ପଶ୍ଚିମବଙ୍ଗ । ସେସିଆଲ ମିଡିଆରୁ ପ୍ରେମ ଭାୟା ଓଡିଶା । ପୋଲିସର ହସ୍ତକ୍ଷେପ ପରେ ନିରୁଦ୍ଦିଷ୍ଟ ସିଂଟୁଙ୍କ ପତା ମିଳିଛି । ହେଲେ ସବୁଠାରୁ ବଡକଥା ହେଲା ଏହି ପ୍ରେମ ସଂପର୍କ ବିଷୟରେ ସିଂଟୁଙ୍କ ଭଉଣୀଙ୍କୁ ଜଣାଥିଲା । ହେଲେ ଏନେଇ ସେ ପୋଲିସକୁ କିଛି ଜଣାଇନଥିଲେ । ପୁଅର ପତା ମିଳିବା ପରେ ଏବେ ସେ ଘରକୁ ସୁରକ୍ଷିତ ଫେରିଆସନ୍ତୁ ବୋଲି ଆଶା କରୁଛନ୍ତି ପରିବାର ।