ବଢ଼ିବାରେ ଲାଗିଛି ନୀତିଶ-ଲାଲୁଙ୍କ ମଧ୍ୟରେ ଫାଟ ! ନୀତିଶଙ୍କ କାର୍ଯ୍ୟକ୍ରମକୁ ଗଲେନି ତେଜସ୍ୱୀ

22

କନକ ବ୍ୟୁରୋ: ନୀତିଶ-ଲାଲୁଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ଶନିବାର ଏକ ସରକାରୀ କାର୍ଯ୍ୟକ୍ରମଠୁ ନିଜକୁ ଦୂରେଇ ରଖିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ବିଶ୍ୱ ଯୁବ ଦକ୍ଷତା ଦିବସ ନାମକ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।

କିନ୍ତୁ ଏହି କାର୍ଯ୍ୟକ୍ରମକୁ ଗଲେ ନାହିଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ । ଏମିତିକି ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ବିଜୟ ପ୍ରକାଶଙ୍କ ନିକଟରେ ବସିବା ବଦଳରେ ଜେଡିୟୁ ନେତାଙ୍କ ପାଖରେ ବସିଥିଲେ ନୀତିଶ କୁମାର ।

ତେଜସ୍ୱୀ ଯାଦବ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଫଳରେ ଅତିଥି ତାଲିକାରୁ ତାଙ୍କ ନାମକୁ ହଟାଇ ଦିଆଯାଇଥିଲା । ଲାଲୁଙ୍କ ପରିବାର ସଦସ୍ୟଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିହାର ଶାସନରେ ଥିବା ମହାମେଂଟର ସରକାର ସ୍ଥିତି ଓ ଭବିଷ୍ୟତ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଚାଲିଛି ।