ନାଗେଶ୍ୱରଙ୍କୁ ଇଶ୍ୱର ସାହା । ତଦନ୍ତକାରୀ ଅଧିକାରୀ ବଦଳି ନେଇ ବର୍ଷିଲେ ସୁପ୍ରିମକୋର୍ଟ ।

251

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିହାର ସେଲଟର ହୋମ ଘଟଣା । ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ସମନ । ବିହାର ମୁଜାଫାରପୁର ଆଶ୍ରୟ ଗୃହ ତଦନ୍ତ ମାମଲାରେ ତଦନ୍ତକାରୀ ଅଫିସର ବଳଦି ନେଇ ନାଗେଶ୍ୱରଙ୍କୁ ସମନ କରିଛନ୍ତି ସିଜେଆଇ । ଆସନ୍ତା ୧୨ ତାରିଖରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନାଗେଶ୍ୱରଙ୍କୁ ନିର୍ଦ୍ଦେଶ ହୋଇଛି ।

ବିହାର ମୁଜାଫାରପୁର ସେଲଟର ହୋମ ଘଟଣାରେ ତଦନ୍ତକାରୀ ଅଫିସର ତଥା ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଗତ ୩୧ ଅକ୍ଟୋବର ତାରିଖରେ ଦାୟିତ୍ୱ ଦେଇଥିଲେ ମାନ୍ୟବର ସୁପ୍ରମିକୋର୍ଟ । କିନ୍ତୁ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓ କିଛି ଦିନ ପୂର୍ବେ ଶର୍ମାଙ୍କୁ ବଦଳି କରିଥିଲେ । ତେଣୁ ଏହାକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ସିଜେଆଇ ରଞ୍ଜନ ଗୋଗେଇ ।

ସିଜେଆଇ କହିଛନ୍ତି ଯେ, ତଦନ୍ତ କରୁଥିବା ସମୟରେ କାହିଁକି ବଦଳି କରାଗଲା ? ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ କିଭଳି ଶର୍ମାଙ୍କୁ ବଦଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସିଜେଆଇ । ଏହାସହ ମୁଖ୍ୟବିଚାରପତି କହିଛନ୍ତି ଯେ, ଏହି ଘଟଣାକୁ ଆମ୍ଭେମାନେ ଗମ୍ଭୀରତାର ସହ ନେଉଛୁ ସିବିଆଇ ସୁପ୍ରିମୋର୍ଟଙ୍କ ଆଦେଶ ସହ ଖେଳ ଖେଳିଛନ୍ତି ଏବେ ଆପଣଙ୍କୁ ଭଗବାନ ହିଁ ସାହା ହେବେ ବୋଲି କଡ଼ା ଟିପ୍ପଣୀ ଶୁଣାଇଛନ୍ତି ସିଜେଆଇ ।

ସେପଟେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିଥିବାରୁ ନାଗେଶ୍ୱର ରାଓଙ୍କୁ ସମନ କରିଛନ୍ତି କୋର୍ଟ । ଆସନ୍ତା ୧୨ ତାରିଖରେ ନାଗେଶ୍ୱର ରାଓଙ୍କ ସହ ଅନ୍ୟ ଘଟଣା ସହିତ ଜଡ଼ିତ ଥିବା ଅନ୍ୟ ଅଫିସରଙ୍କୁ ସୁପ୍ରିମମୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ ।