ବିହାର ମୁଜଫରନଗରର ସାଂଘାତିକ ସତ: ବାଳିକା ସୁଧାର ଗୃହରେ ୨୯ ନାବାଳିକା ସହ ଦୁଷ୍କର୍ମ, ଜଣକୁ ମାରି ପୋତିଦେଇଥିବା ଅଭିଯୋଗ

35

କନକ ବ୍ୟୁରୋ: ବିହାର ମୁଜଫରନଗରରେ ଚାଚଂଲ୍ୟକର ଘଟଣା । ସହରରେ ଥିବା ଏକ ବାଳିକା ସୁଧାର ଗୃହରେ ୨୯ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ସହ ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୁଜଫରନଗରର ସେଲଟର ହୋମରେ ଜଣେ ନାବାଳିକାକୁ ହତ୍ୟା କରି ପୋତାଯାଇଥିବା ଅଭିଯୋଗ ପାଇ ପୁଲିସ ଛାନଭିନ ଆରମ୍ଭ କରିଛି । ହଷ୍ଟେଲ ପରିସରରେ ଫରେନସିକ୍ ଟିମ୍ ପହଂଚି ଖୋଳତାଡ ଆରମ୍ଭ କରିଛି । ନିକଟରେ ମୁମ୍ବାଇର ଏକ ସଂସ୍ଥା ସେଲଟର ହୋମରେ ପହଁଚି ସୋସିଆଲ ଅଡିଟ କରିଥିଲେ । ଏହି ସମୟରେ ନାବାଳିକାମାନେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଡାକ୍ତରୀ ଯାଂଚ ପରେ ସେମାନଙ୍କ ସହ ଦୁର୍ଷ୍କମ ହୋଇଥିବା ଜଣାପଡିଛି । ସେବା ସଂକଳ୍ପ ଓ ବିକାଶ ସମିତି ନାମକ ଏହି ହଷ୍ଟେଲରେ ଥିବା ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ୧୦ଣଙ୍କ ଗିରଫ କରାଯାଇଛି । ଅନ୍ୟପଟେ ଶିଘ୍ର ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି କହିଛନ୍ତି ମୁଜଫରନଗର ଏସଏସପି ।

ସୂଚନାନୁଯାୟୀ, ମୁଜାଫରପୁର ସାହୁ ରୋଡ୍ରେ ସରକାରୀ ପାଣ୍ଠିରେ ପରିଚାଳିତ ହେଉଥିବା ଏକ ବେସରକାରୀ ଆଶ୍ରୟ ସ୍ଥଳ ‘ସେବା ସଂକଳ୍ପ ଏବମ୍ ବିକାଶ ସମିତି’ରେ ୪୦ ରୁ ଊର୍ଦ୍ଧ୍ୱ ନାବାଳିକା ରହୁଥିଲେ। ତେବେ ଆଶ୍ରମ ପରିସରରେ ନାବାଳିକାମାନେ ଦୁଷ୍କର୍ମର ଶିକାର ହେଉଥିବା ଏବଂ ଜଣେ ନାବାଳିକାଙ୍କୁ ଏଠାରେ ମାରି ପୋତି ଦେଇଥିବା ନେଇ ଜଣେ ପୀଡ଼ିତା ପୁଲିସରେ ଅଭିଯୋଗ କରିଛି। ଏହାପରେ ଏହି ଘଟଣାର ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ୪୦ରୁ ଊର୍ଦ୍ଧ୍ୱ ନାବାଳିକାଙ୍କ ମଧ୍ୟରୁ ୨୧ ଜଣଙ୍କ ଡାକ୍ତରୀ ମାଇନା ସରିଛି। ତେବେ ସେମାନଙ୍କ ମଧ୍ୟରୁ ୧୬ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି।

ଅନ୍ୟମାନଙ୍କର ରିପୋର୍ଟ ଏଯାବତ୍ ଆସିନାହିଁ। ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠିତ ହୋଇଛି। । ଆଶ୍ରୟ ସ୍ଥଳଟି ଏବେ ବନ୍ଦ କରିଦିଆଯାଇଛି। ତେବେ ନୀତୀଶ ସରକାର ଏବେ ଏହି ଘଟଣାକୁ ନେଇ ପ୍ରବଳ ଚାପରେ ରହିଛନ୍ତି। ରାଜ୍ୟ ପ୍ରଶାସନର ବିଫଳତା ହେତୁ ରାଜ୍ୟରେ ଏମିତି ଅପରାଧ ବଢ଼ି ଚାଲିଛି ବୋଲି ଆର୍ଜେଡି ନେତା ତେଜଶ୍ୱୀ ଯାଦବ ଗତକାଲି ନୀତୀଶ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେଜଶ୍ୱୀ କହିଛନ୍ତି ଯେ ମାର୍ଚ୍ଚ ମାସଠାରୁ ମୁଜାଫରପୁର ଆଶ୍ରୟ ସ୍ଥଳରେ ୪୦ରୁ ଊର୍ଦ୍ଧ୍ୱ ନାବାଳିକା ବିଭିନ୍ନ ରାଜନେତା ଏବଂ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ବିହାର ସରକାରଙ୍କୁ ସତର୍କ କରାଯାଇଥିଲା।