୨୦୧୯ରେ ଅଧିକ ଆସନ ଉପରେ ଆମର ହକ୍ ! ଅମିତ ଶାହାଙ୍କୁ ଭେଟିବା ପୂର୍ବରୁ ଲାଲୁଙ୍କୁ ଫୋନ କଲେ ନିତୀଶ କୁମାର, ଆରମ୍ଭ ହେଲା ଜୋରଦାର ଚର୍ଚ୍ଚା

31

 ‘ସର୍ମ୍ପକ ଫର ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଜୁଲାଇ ମାସ ୧୨ ତାରିଖରେ ବିହାର ଗସ୍ତରେ ଯିବେ ।ଏହି ଗସ୍ତ ସମୟରେ ଶାହା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଭେଟିବେ । ତେବେ ଏହି ଭେଟଘାଟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କାରଣ ଏହି ଚର୍ଚ୍ଚା ସଫଳ ହେଲେ ହି ବିହାରରେ ଜେଡ଼ିୟୁ ଓ ବିଜେପି ମେଣ୍ଟ ଆଗକୁ ବଢ଼ିବ । ନଚେତ ୨୦୧୯ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିପାରେ । ସୂଚନା ଅନୁସାରେ ନୀତିଶ ଓ ଶାହାଙ୍କ ମଧ୍ୟରେ ଆଗାମୀ ୨୦୧୯ ନିର୍ବାଚନରେ ଦଳୀୟ ଟିକଟ ଆବଣ୍ଟନ ନେଇ ବୁଝାମୁଣା ହୋଇପାରେ ।ଏହି ଘଟଣାରେ ଜେଡିୟୁ କହିଛି, ବିହାରରେ ବିଜେପି-ଜେଡ଼ିୟୁ ମେଣ୍ଟରେ ବଡ଼ ଚେହେରା ହେଉଛନ୍ତି ନୀତିଶ କୁମାର । ଯେହେତୁ ଆମେ ମାନେ ଏକାଠି ନିର୍ବାଚନ ଲଢିବୁ ବୋଲି କଥା ହେଇଛୁ ତେଣୁ ଉଭୟ ଦଳ ମିଶିକି ଏକାଠି କାମ କରିବୁ । ସବୁଠୁ ବଡ଼ କଥା ହେଲା, ଆସନ ବୁଝାମଣା ନେଇ ଯେତେଶୀଘ୍ର ଆଲୋଚନା ହେବ ମେଣ୍ଟ ପାଇଁ ସେତିକି ଏହା ଲାଭବାନ ହେବ ବୋଲି ଜେଡ଼ିୟୁ ପକ୍ଷରୁ କୁହାଯାଇଛି ।

ଜେଡିୟୁ ନେତା ସଞ୍ଜୟ ସିଂହଙ୍କ କହିବା ଅନୁସାରେ ଯେହେତୁ ଏନଡିଏ ସରକାରରେ ଅନେକ ଆଞ୍ଚଳିକ ଦଳ ମିଶିକି ଅଛନ୍ତି । ତେଣୁ ଯେତେ ଶୀଘ୍ର ଆସନ ନେଇ ବୁଝାମଣା ହେବ ତାହା ଦଳ ପାଇଁ ଭଲ ରହିବ । କାରଣ ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଛି । ଏହା ପୂର୍ବରୁ ଜେଡିୟୁ କହିଥିଲା କି ବିହାର ଲୋକସଭା ନିର୍ବାଚନରେ ୪୦ ଆସନରୁ ଜେଡିୟୁ ଅଧିକ ଆସନରେ ଲଢ଼ିବ ବୋଲି କହିଥିଲା । ଏସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ବିହାର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ଲୋକସଭା ଆସନକୁ ନେଇ ବିଜେପି-ଜେଡ଼ିୟୁ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲାଲୁ ପ୍ରସାଦ ଯାଦବଙ୍କୁ ଫୋନ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ନୀତିଶ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ପରେ ବିହାରରେ ରାଜନୈତିକ ଭୁକମ୍ପ ସୃଷ୍ଟି ହୋଇଛି । ଏହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । ପୁଣିଥରେ ଜେଡ଼ିୟୁ ମହାଗଠବନ୍ଧନକୁ କମବ୍ୟାକ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ଜେଡ଼ିୟୁ । ଫୋନ କଲକୁ ନେଇ ଯେଉଁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ଅମୂଳକ ବୋଲି କହିଛି ଜେଡ଼ିୟୁ । ନୀତିଶ କୁମାର କିମ୍ବା ତାଙ୍କ ପାର୍ଟି ମହାଗଠବନ୍ଧନକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ତେଜସ୍ୱୀ ଯାଦବ କହିଥିଲେ, ମହାଗଠବନ୍ଧନରେ ଏଣ୍ଟ୍ରି କରିବାକୁ ନିତୀଶଙ୍କ ପାଇଁ ସମସ୍ତ ଦ୍ୱାର ବନ୍ଦ ହୋଇ ଯାଇଛି ।ତେବେ ଶାହା ଆସିବାପରେ ହିଁ ପ୍ରକୃତ କଥା ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।