ବିହାରରେ ଖୁଲମଖୁଲ୍ଲା ଚାଲିଛି ବନ୍ଧୁକ ଚୋରା କାରବାର ! ନଦୀ ନାଳରୁ ମିଳିଲା ଏକେ ୪୭ ରାଇଫଲ୍, ସାଧାରଣ ମହଲରେ ଆତଙ୍କର ବାତାବରଣ ।

37

କନକ ବ୍ୟୁରୋ : ପାଣିରେ ଭାସୁଛି ବାରୁଦ । ବିହାରର କୂଅ, ପୋଖରି ଓ ନଦୀନାଳରୁ ମିଳୁଛି ମାରାତ୍ମକ ମାରଣାସ୍ତ୍ର ଏକେ-୪୭ । କେବଳ ପାଣି ନୁହଁ ପୁରୁଣା ପରିତ୍ୟକ୍ତ କୋଠା, ବାଲି ଆଦିରେ ଏକେ-୪୭ ମିଳୁଛି ବିହାରରେ । ଏହି ଚୋରା ବନ୍ଧୁକ ବିହାରରେ ଅପରାଧକୁ ବୃଦ୍ଧି କରୁଥିବା ବେଳେ ସାଧାରଣରେ ଆତଙ୍କ ବି ବୃଦ୍ଧି ପାଉଛି ।

ନଦୀନାଳରୁ ମିଳୁଛି ମାରାତ୍ମକ ମାରଣାସ୍ତ୍ର । ବିହାରରେ ବଢ଼ୁଛି ଚୋରା ଏକେ-୪୭ର ଆତଙ୍କ । ଅପରାଧପ୍ରବଣ ବିହାରରେ ଖୁଲମଖୁଲ୍ଲା ଚାଲିଛି ବନ୍ଧୁକ ଚୋରାବେପାର  । ରାଜ୍ୟର ନଦୀନାଳ, ପୋଖରି, କୂଅ, ପରିତ୍ୟକ୍ତ କୋଠା ଓ ବାଲିରୁ ମିଳୁଛି ମାରାତ୍ମକ ଏକେ-୪୭ ବନ୍ଧୁକ  । ବିହାରର ଖାସ୍ କରି ମୁଙ୍ଗେରରେ ଏହି ଘଟଣା ଦେଖିବାକୁ ମିଳିଛି  । ସେପଟେ ବିହାର ପୁଲିସ ଚୋରା ବନ୍ଧୁକ ପାଇଁ ଖାନତଲାସି ଜାରି କରିଥିବା ବେଳେ ୪ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି  । ଅନ୍ୟପଟେ ସାଧାରଣ ସ୍ଥାନରୁ ବନ୍ଧୁକ ମିଳିବା ଯୋଗୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି  । ଗତକିଛି ଦିନ ମଧ୍ୟରେ ଘଟିଥିବା ଅପରାଧ ଘଟଣା ପଛରେ ଚୋରା ଏକେ-୪୭ ବନ୍ଧୁକ ଥିବାରୁ ଏହା ପୁଲିସ ସମେତ ଲୋକଙ୍କର ବି ଚିନ୍ତା ବଢ଼ାଇଛି  ।

ଦେଖନ୍ତୁ ବିହାର ଓ ଏକେ-୪୭ ସମ୍ପର୍କିତ ଘଟଣାକ୍ରମ :

  • ୯୦ ଦଶକରେ ପ୍ରଥମ ଥର ଅପରାଧୀ ଚୋରା ବନ୍ଧୁକ କାରବାର ଆରମ୍ଭ କରନ୍ତି  ।
  • ୧୯୯୫ରେ ପୁରୁଲିଆରେ ବିମାନରୁ ଏକେ-୪୭ ବନ୍ଧୁକ ଖସିବା ପରେ ଏହା ସାରା ରାଜ୍ୟକୁ ବ୍ୟାପିଯାଏ  ।
  • ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଓ କିଛି ଅସାଧୁ ପୁଲିସ ସହଯୋଗରେ ବଢ଼େ ଚୋରାବେପାର  ।
  • ୨୦୧୨ରେ ଜବଲପୁର ଅର୍ଡ଼ିନାନ୍ସ ଡିପୋରୁ ଏକେ-୪୭ ଚୋରି କରନ୍ତି ଦୁର୍ବୃତ୍ତ ।
  • ପାଖାପାଖି ୬୩ଟି ଏକେ-୪୭ ବନ୍ଧୁକ ଏବେ ବିହାରରେ ଲୋକଙ୍କ ହାତକୁ ପହଁଚିଛି  ।
  • ମାତ୍ର ୬ରୁ ୮ଲକ୍ଷ ଟଙ୍କାରେ ବିହାରରେ ଏକେ-୪୭ ବନ୍ଧୁକ ମିଳୁଛି  ।

ଗତକିଛି ଦିନ ମଧ୍ୟରେ ବିହାରରେ ଏକାଧିକ ଅପରାଧିକ ଘଟଣା ସଙ୍ଗଠିତ ହୋଇଛି  । ଆଉ ଅଧିକାଂଶ ଅପରାଧ ଚୋରା ଏକେ-୪୭ ବନ୍ଧୁକ ଜରିଆରେ ରୂପ ଦିଆଯାଇଥିବା ବିହାର ପୁଲିସ ଜାଣିବାକୁ ପାଇଛି  । ଏହି ବନ୍ଧୁକ ଜରିଆରେ ଅପରାଧ ସଙ୍ଗଠିତ ହେଲେ ଟାର୍ଗେଟ୍ ବଂଚିବାର ସୁଯୋଗ କମ୍ ଥିବାରୁ ଅପରାଧୀ ଅଧିକରୁ ଅଧିକ ଏକେ-୪୭ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି, ଯାହା ଚିନ୍ତା ବଢ଼ାଇଦେଇଛି ପୁଲିସର  । ସେପଟେ ଖୁଲମଖୁଲ୍ଲା ଚୋରା ବନ୍ଧୁକ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି କରାଯାଇଛି  ।